ପିଲାଙ୍କ ପାଇଁ ଅଭ୍ୟାସ ବଦଳାନ୍ତୁ ମା’ ବାପା


ପିଲାଙ୍କ ଉପରେ ସେମାନଙ୍କ ମା’ ବାପାଙ୍କର ପ୍ରଭାବ ସବୁଠାରୁ ଅଧିକ ରହିଥାଏ। ସେମାନଙ୍କୁ ଦେଖି ଦେଖି ପିଲାମାନେ ବହୁତ କିଛି ଶିଖିଥାନ୍ତି। ସମସ୍ତ ବାପା ମା’ ପିଲାଙ୍କ ଭଲ ପାଇଁ ଚିନ୍ତା କରନ୍ତି। ମାତ୍ର ଅନେକ ସମୟରେ ଏମିତି କିଛି କରି ଦିଅନ୍ତି, ଯାହା ପିଲା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହି ପ୍ରଭାବ ଯଦି ସବୁବେଳ ପାଇଁ ପଡ଼ି ରହେ, ତେବେ ଆଗକୁ ଯାଇ ପିଲାମାନେ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କ ପିଲା ସହିତ ଯେପରି ଏମିତି ନ ହୁଏ, ତେଣୁ ପିତାମାତାମାନେ ନିଜର କେତେକ ଅଭ୍ୟାସ ଉପରେ ଧ୍ୟାନ ଦେବା ଉଚିତ।

ନିଜ ଇଚ୍ଛାକୁ ଜବରଦସ୍ତ ପିଲା ଉପରେ ଥୋପିବା
ମା’ ବାପାମାନେ ନିଜ ପିଲାଠାରୁ ବହୁତ କିଛି ଆଶା ରଖନ୍ତି। ଏହା ସ୍ବାଭାବିକ ମଧ୍ୟ। କିନ୍ତୁ ଏହି ଆଶାକୁ ପିଲା ଉପରେ ଥୋପିବା ଓ ଏହାକୁ ପୂରା କରିବାକୁ ପିଲାଙ୍କଠାରୁ ସବୁବେଳେ ଆଶା ରଖିବା ଠିକ୍‌ ନୁହେଁ। ଆପଣ ଯାହା ଚାହୁଛନ୍ତି, ହୁଏତ ଆପଣଙ୍କ ପିଲା ତାହା ଚାହୁ ନ ଥାଇ ପାରନ୍ତି। ତେଣୁ ପିଲାଙ୍କ ଇଚ୍ଛାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଓ ଠିକ୍‌ ଲାଗିଲେ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରନ୍ତୁ।

ଓଭର ପଜେସିଭ୍‌ନେସ୍‌

ପିଲାଙ୍କୁ ନେଇ ମା’ବାପାମାନେ ପଜେସିଭ୍‌ ହୋଇଥାନ୍ତି। କିନ୍ତୁ ଏହି ଭାବନା ଆବଶ୍ୟକତାଠାରୁ ଅଧିକ ରହିବା ପିଲାଙ୍କ ପାଇଁ ଠିକ୍‌ ନୁହେଁ। ପିଲାଙ୍କୁ ଅଧିକ ପଚରା ଉଚୁରା କରିବା କିମ୍ବା ପ୍ରତ୍ୟେକ କାମକୁ ନେଇ ରୋକ୍‌ ଟୋକ୍‌ କରିବା, ସେମାନଙ୍କଠାରେ ନକାରାତ୍ମକ ଭାବନା ବଢ଼ାଇପାରେ। ବଡ଼ ହେଲା ପରେ ସେମାନେ ଆପଣଙ୍କଠାରୁ ଦୂରେଇ ଯାଇପାରନ୍ତି।

ତୁଳନା କରିବା

ଅନ୍ୟ କାହା ସହିତ ତୁଳନା କରିବା ପିଲାଙ୍କ ଆତ୍ମବିଶ୍ବାସକୁ ସବୁଠାରୁ ଅଧିକ ଆଘାତ ପହଞ୍ଚାଏ। ଆପଣଙ୍କ ପିଲାଠାରୁ ଯଦି କେହି ଅଧିକ ନମ୍ବର ଆଣିଲେ କିମ୍ବା କୌଣସି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କଲେ, ତାଙ୍କ ସହ ପିଲାଙ୍କୁ ତୁଳନା କରନ୍ତୁ ନାହିଁ। ଯଦି ଥରେ ଆପଣଙ୍କ ପିଲାର ଆତ୍ମବିଶ୍ବାସ ଦୁର୍ବଳ ହୋଇଗଲା, ଏହାର ନକାରାତ୍ମକ ପ୍ରଭାବ ଭବିଷ୍ୟତରେ ଭୋଗିବାକୁ ପଡ଼ିବ।

କଠୋରତା ପୂର୍ବକ ଆଚରଣ

ପିଲାଙ୍କୁ ଶୃଙ୍ଖଳିତ କରିବା ଲାଗି ଅନୁଶାସନ ଆବଶ୍ୟକ। ମାତ୍ର ଅଧିକ କଠୋର ହେବା ପିଲା ଉପରେ ଖରାପ ପ୍ରଭାବ ପକାଇଥାଏ। ପ୍ରତ୍ୟେକ ଜିନିଷକୁ ନେଇ ପିଲାକୁ ଗାଳି ଦେବା, ଦଣ୍ଡ ଦେବା ଆବଶ୍ୟକ ନୁହେଁ। ଭୁଲନ୍ତୁ ନାହିଁ ଆପଣଙ୍କ ପିଲାଙ୍କ ବୟସ ବହୁତ କମ୍‌। ସେମାନଙ୍କର ଭୁଲ୍‌ ଠିକ୍‌ ଜାଣିବାର ଉପଯୁକ୍ତ ଜ୍ଞାନ ହୋଇନାହିଁ। ତେଣୁ କଠୋର ହେବା ପରିବର୍ତ୍ତେ ପିଲାଙ୍କୁ ସ୍ନେହର ସହ ବୁଝାନ୍ତୁ। ଏପରି କରିବା ଦ୍ବାରା ପିଲା ମନରେ ଆପଣଙ୍କ ପାଇଁ ଡର ବଢ଼ିବ ନାହିଁ ଓ ସେମାନେ କଥା ବୁଝିବାକୁ ଚେଷ୍ଟା କରିବେ।

ସମୟ ନ ଦେବା
ବ୍ୟସ୍ତ ବହୁଳ ଜୀବନରେ ନିଜ ପାଇଁ ସମୟ ବାହାର କରିବା ଏକ କଷ୍ଟକର କାମ। ମାତ୍ର ଘରେ ଯଦି ପିଲା ଅଛନ୍ତି, ତେବେ ନିଜ ଜୀବନଚର୍ଯ୍ୟାରେ କିଛି ପରିବର୍ତ୍ତନ କରିବା ଉଚିତ। ପିଲାଙ୍କୁ କ୍ବାଲିଟି ଟାଇମ୍‌ ଦେବା ପାଇଁ ଯୋଜନା କରନ୍ତୁ। ଆପଣଙ୍କ ଅନୁପସ୍ଥିତି କେବଳ ତାଙ୍କୁ ଆପଣଙ୍କଠାରୁ ଦୂରେଇ ଦେବ ନାହିଁ, ସେମାନଙ୍କ ଭାବନା ସହିତ ଜଡ଼ିତ ଅନେକ ସମସ୍ୟାର କାରଣ ମଧ୍ୟ ପାଲଟିପାରେ।

ବିଶ୍ବାସ ନ କରିବା

ଅନେକ ସମୟରେ ପିଲା ନିଜ ଭୁଲ୍‌ ଲୁଚାଇବା ଲାଗି ମିଛ କହନ୍ତି। ଏହାର ଅର୍ଥ ନୁହେଁ ଯେ ଆପଣ ତାଙ୍କ କଥାରେ ବିଶ୍ବାସ କରିବେ ନାହିଁ। ପିଲାମାନେ ଯାହା କହୁଛନ୍ତି, ପ୍ରଥମେ ତାହା ଧ୍ୟାନରେ ଶୁଣନ୍ତୁ। ଏହାପରେ ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କରନ୍ତୁ ଓ ସେମାନଙ୍କୁ ପ୍ରଶ୍ନ କରନ୍ତୁ। ପିଲାଙ୍କ ଉତ୍ତରରୁ ଆପଣ ସତ୍ୟତା ଜାଣିପାରିବେ। ପିଲାମାନେ କାହିଁକି ମିଛ କହୁଛନ୍ତି, ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ପିଲାଙ୍କୁ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖିବେ, ତେବେ ସେ ଆପଣଙ୍କୁ କିଛି କହିବାକୁ ସଙ୍କୋଚ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ