ଦୀପାବଳିରେ ସ୍ବାସ୍ଥକୁ କରନ୍ତୁନି ଅଣଦେଖା


ଦୀପାବଳି ପର୍ବ ନିଜ ସହିତ କେବଳ ଖୁସି କିମ୍ବା ଚମକ ନୁହେଁ, ବରଂ ସ୍ବାସ୍ଥ୍ୟ ସମସ୍ୟା ନେଇ ମଧ୍ୟ ଆସିଥାଏ। ଦୀପାବଳିରେ ମିଠା ଖାଇ ପେଟ ଜନିତ ସମସ୍ୟା ଉପୁଜୁଥିବା ସହ ଏହି ସମୟରେ ବାଣ ଫୁଟାଇବା ଫଳରେ ବାହାରୁଥିବା ଧୂଆଁ ଓ ଶବ୍ଦ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପାରେ। ଏପରିସ୍ଥଳେ ଏଠାରେ କେତେକ ଟିପ୍ସ ଦିଆଯାଇଛି, ଯାହାଦ୍ବାରା ଆପଣଙ୍କ ଦୀପାବଳି ସେଲିବ୍ରେଟ୍‌ କରିବା ସହିତ ନିଜକୁ ସୁସ୍ଥ ରଖିପାରିବେ।

ମଧୁମେହ ରୋଗୀ
ମଧୁମେହ ରୋଗୀମାନେ ମିଠାଠାରୁ ଦୂରେଇ ରହିବା ସହିତ ଫଳ, ଡ୍ରାଏଫ୍ରୁଟ୍‌ସ୍‌, ସୁଗାର ଫ୍ରି ଖାଦ୍ୟ ସେବନ କରନ୍ତୁ। ସୁଗାର ଲେବଲ ପରୀକ୍ଷା କରନ୍ତୁ। ପ୍ରତ୍ୟେକ ଦୁଇ ଘଣ୍ଟାରେ କିଛି ନା କିଛି ଖାଇବା ଉଚିତ। ପାଣିର ମାତ୍ରା ବଢ଼ାଇ ଦିଅନ୍ତୁ। ଅଧିକରୁ ଅଧିକ ମାତ୍ରାରେ ସାଲାଡ଼ ଖାଆନ୍ତୁ। ବ୍ୟାୟାମ ନିହାତି ଭାବେ କରନ୍ତୁ ଓ ବାଣ ଧୂଆଁରୁ ନିଜକୁ ସୁରକ୍ଷିତ ରଖନ୍ତୁ। ଏକ ଫୁଡ୍‌ ଡାଏରୀ ତିଆରି କରନ୍ତୁ ଓ ଏହାକୁ ଅନୁସରଣ କରନ୍ତୁ। ଯାହାଫଳରେ ଆପଣ ଅଧିକ ଖାଦ୍ୟ ଖାଇପାରିବେ ନାହିଁ।

ଆସ୍ଥମା ରୋଗୀ

ବାୟୁ ପ୍ରଦୂଷଣ ଓ ଧୂଳିରୁ ସୁରକ୍ଷିତ ରହିବା ପାଇଁ ଫେସ୍‌ ମାସ୍କ ଲଗାନ୍ତୁ। ନିଜ ସହିତ ସବୁବେଳେ ଇନ୍‌ହେଲର ରଖନ୍ତୁ। ଯାହାଫଳରେ ନିଶ୍ବାସ ପ୍ରଶ୍ବାସ ନେବା ଆଣିବାରେ ସମସ୍ୟା ଓ କାଶ ହେଲେ ଏହାକୁ ବ୍ୟବହାର କରିପାରିବେ। ଖାଇବା ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ଅଧିକରୁ ଅଧିକ ପାଣି ପିଅନ୍ତୁ। ଦୀପାବଳିର ତୁରନ୍ତ ପରେ ୱାକ୍‌ କରିବାକୁ ବାହାରକୁ ଯାଆନ୍ତୁ ନାହିଁ। କାରଣ ସେହି ସମୟରେ ପବନରେ ମାତ୍ରାଧିକ ପ୍ରଦୂଷଣ ଥାଏ। ଅସ୍ତବ୍ୟସ୍ତ ଓ ଅଣନିଶ୍ବାସୀ ଅନୁଭବ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସବୁଠାରୁ ଜରୁରୀ କାମ

ଦୀପାବଳି ପାଳନ କରିବାରେ ମସ୍‌ଗୁଲ ହୋଇ ଲୋକେ ସାଧାରଣତଃ ନିଜ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିଥାନ୍ତି। ପର୍ଯ୍ୟାପ୍ତ ପାଣି ପିଇ ପାରି ନ ଥାନ୍ତି। ଏହାଦ୍ବାରା ଶରୀର ଡିହାଇଡ୍ରେଟ୍‌ ହୋଇପାରେ। ତେଣୁ ଭରପୂର ପାଣି ପିଇବା ଉଚିତ।

ଅଳ୍ପ ଅଳ୍ପ ଖାଆନ୍ତୁ
ଦୀପାବଳିରେ ଫିଟ୍‌ ରହିବା ଲାଗି ଏକାଥରକେ ପେଟ ଭରି ଖାଆନ୍ତୁନି। ବରଂ ଅଳ୍ପ ଅଳ୍ପ କରି କିଛି ସମୟ ବ୍ୟବଧାନରେ ଖାଆନ୍ତୁ। ଆପଣ ଖାଦ୍ୟରେ ସାଲାଡ଼, ଫଳ ଆଦି ନେଇପାରିବେ। ଏହାଦ୍ବାରା ଆପଣଙ୍କ ଡାଏଟ୍‌ ବାଲାନ୍ସଡ ରହିବ ଓ ସ୍ବାସ୍ଥ୍ୟ ଖରାପ ହେବ ନାହିଁ। ଖୁସିରେ ଖୁସିରେ ଆପଣ ଏତେ ମାତ୍ରାରେ ମିଠା ଖାଇ ନିଅନ୍ତି, ଯାହାଫଳରେ ଆଗାମୀ ୩ରୁ ୪ ଦିନ ପାଇଁ ପେଟରେ ଅନ୍ୟ କୌଣସି ଜିନିଷ ପାଇଁ ଜାଗା ନ ଥାଏ। ଏହାଫଳରେ ଅମ୍ଳ, ପେଟ ଯନ୍ତ୍ରଣା, ଛାତି ଜଳାପୋଡ଼ା ଭଳି ସମସ୍ୟା ଦେଖାଯାଏ। ତେଣୁ ଦୀପାବଳିରେ କମ୍‌ ମିଠା ସେବନ କରନ୍ତୁ। ମଧୁମେହ ରୋଗୀମାନେ ମିଠାଠାରୁ ଦୂରେଇ ରହନ୍ତୁ। ସାଧାରଣତଃ ପର୍ବପର୍ବାଣୀ ସମୟରେ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରହି ନ ଥାଏ। ଏହାର ଅପକାରିତା ପରେ ଭୋଗିବାକୁ ପଡ଼ିଥାଏ। ପାର୍ବଣ ସମୟରେ ଭରପୂର ମାତ୍ରାରେ ପ୍ରୋଟିନ୍‌ରେ ଭରପୂର ଡ୍ରାଏଫ୍ରୁଟ୍‌, ଅଞ୍ଜିର ଆଦି ଖାଆନ୍ତୁ। ଏହାବ୍ୟତୀତ ନିଜ ଡାଏଟ୍‌ରେ ବ୍ରାଉନ୍‌ ରାଇସ୍‌, ମାଣ୍ଡିଆ, ସୁପ୍‌ ଓ ଫଳ ଆଦି ସାମିଲ୍‌ କରିପାରିବେ।

କ’ଣ ଖାଇବେ, କ’ଣ ଖାଇବେ ନାହିଁ

ସର୍ବପ୍ରଥମେ ବଜାରରେ ମିଳୁଥିବା ମିଠା ଖାଇବାଠାରୁ ଦୂରେଇ ରହନ୍ତୁ। ଏହା ବଦଳରେ ଘରେ ତିଆରି ମିଠା ଖାଆନ୍ତୁ। ଅଧିକରୁ ଅଧିକ ଫଳ, ଘରେ ତିଆରି ହୋଇଥିବା ଖାଦ୍ୟ ଓ ଡ୍ରାଏଫ୍ରୁଟ୍‌ ଖାଆନ୍ତୁ। କୋଲ୍ଡ ଡ୍ରିଙ୍କସ୍‌ ବଦଳରେ ଲେମ୍ବୁ ପାଣି, ପଇଡ଼ ପାଣି କିମ୍ବା ଫଳ ଜୁସ୍‌ ପିଅନ୍ତୁ। ସିଲ୍‌ଭର କୋଟିଂ ଯୁକ୍ତ ମିଠା ଠାରୁ ଦୂରେଇ ରହନ୍ତୁ। କାରଣ ଏହା ଆଲୁମିନିୟମ୍‌ରେ କଭର ହୋଇଥାଏ ଓ ଶରୀରର ଟିସ୍ୟୁରେ ଯାଇ ଏହା ଜମା ହୁଏ। ଆଜିକାଲି ମିଠା ଓ ସ୍ନାକ୍‌ସରେ ଲୋ-ଫ୍ୟାଟ୍‌, ଲୋ-ସୁଗାର ଓ ବେକ୍‌ଡ ଆଦି ଉପଲବ୍ଧ ହେଉଛି। ତେଣୁ ପାରମ୍ପରିକ ମିଠା ବଦଳରେ ଏହାକୁ ସେବନ କରିବା ଉଚିତ।

ବାଣଠାରୁ ଦୂରେଇ ରହନ୍ତୁ
ବାଣର ଶବ୍ଦରେ ଶବ୍ଦ ପ୍ରଦୂଷଣ ହେବା ସହିତ ଏହାର ଧୂଆଁ ମଧ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ବାଣଠାରୁ ଦୂରେଇ ରହିବା ଅଧିକ ଆବଶ୍ୟକ। ଛୋଟ ପିଲାଙ୍କୁ ବାଣଠାରୁ ଦୂରେଇ ରଖନ୍ତୁ। ଚଷମା ଲଗାଇ ବାଣ ଫୁଟାନ୍ତୁ, ଯାହାଫଳରେ ଆଖି ଖରାପ ହେବ ନାହିଁ। ଖୋଲା ସ୍ଥାନରେ ବାଣ ଫୁଟାନ୍ତୁ। ଘର ଭିତରେ କିମ୍ବା ବନ୍ଦ ସ୍ଥାନରେ ବାଣ ଫୁଟାନ୍ତୁନି। ବାଣ ଫୁଟାଇବା ସମୟରେ ଆଖପାଖରେ ପାଣି ରଖନ୍ତୁ ଓ ଶରୀରର କୌଣସି ଅଂଶ ପୋଡ଼ିଗଲେ ସଙ୍ଗେ ସଙ୍ଗେ ଔଷଧ ଲଗାନ୍ତୁ। ଚେହେରାକୁ ବାଣ ଫୁଟାଇବାବେଳେ ଦୂରେଇ ରଖନ୍ତୁ। ଶୀଘ୍ର ନିଆଁ ଧରୁଥିବା ଜିନିଷଠାରୁ ବାଣ ଦୂରେଇ ରଖନ୍ତୁ। ସୁତା କପଡ଼ା ପିନ୍ଧି ବାଣ ଫୁଟାନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ