ବାଣିଜ୍ୟ ଓ ଅର୍ଥନୀତି
ଦ୍ବିତୀୟ କ୍ବାର୍ଟର୍ରେ ଏଚ୍ଡିଏଫ୍ସି ଲାଭରେ ୨୫ ପ୍ରତିଶତ ବୃଦ୍ଧି

୨୦୧୯-୨୦ ଆର୍ଥିକ ବର୍ଷର ଦ୍ବିତୀୟ କ୍ବାର୍ଟର୍ ଗତ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଥିବା ବେଳେ ଏଥିରେ ଦେଶର ପ୍ରମୁଖ ଘରୋଇ ବ୍ୟାଙ୍କିଂ ପ୍ରତିଷ୍ଠାନ ଏଚ୍ଡିଏଫ୍ସିର ଲାଭ ପରିମାଣରେ ଯଥେଷ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି। ପୂର୍ବ ବର୍ଷର ସମାନ କ୍ବାର୍ଟର୍ରେ ବ୍ୟାଙ୍କ୍ର ଲାଭ ପରିମାଣ ଯାହା ଥିଲା, ତାହାଠାରୁ ସଦ୍ୟ ସମାପ୍ତ କ୍ବାର୍ଟର୍ରେ ୨୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି। ଏହି ଅନୁସାରେ ବ୍ୟାଙ୍କ୍ର ନେଟ୍ ଲାଭ ପରିମାଣ ୬,୬୩୮.୦୩ କୋଟି ଟଙ୍କାରେ ପହଞ୍ଚିଛି। ଗତ ୨୦୧୮-୧୯ ଆର୍ଥିକ ବର୍ଷର ସମାନ କ୍ବାର୍ଟର୍ରେ ଏହି ଲାଭ ପରିମାଣ ୫,୩୨୨.୪୧ କୋଟି ଟଙ୍କା ଥିଲା ବୋଲି ବ୍ୟାଙ୍କ୍ ପକ୍ଷରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍ଇ)ରେ ଦାଖଲ ସୂଚନାରୁ ଜଣାପଡ଼ିଛି।
ସେହିପରି ବ୍ୟାଙ୍କ୍ର ସମୁଦାୟ ଆୟ ମଧ୍ୟ ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି। ଗତବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବ୍ୟାଙ୍କ୍ର ସମୁଦାୟ ଆୟ ୩୦,୧୨୪.୪୯ କୋଟି ଟଙ୍କା ଥିବା ବେଳେ ଚଳିତ ଆର୍ଥିକ ବର୍ଷର ଆଲୋଚ୍ୟ କ୍ବାର୍ଟର୍ରେ ଏହା ୩୬,୧୩୦.୯୬ କୋଟି ଟଙ୍କାରେ ପହଞ୍ଚିଛି। ଏହାଛଡ଼ା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କ୍ର ବାଲାନ୍ସ ଶିଟ୍ରେ ୧ କୋଟି ୨୧ ଲକ୍ଷ ୬୧୫ କୋଟି ରହିଥିବା ବେଳେ ବର୍ଷେ ତଳେ ଏହା ୨୨.୬ ପ୍ରତିଶତ କମ୍ ଥିଲା। ଅର୍ଥାତ୍ ଗତ ଦ୍ବିତୀୟ କ୍ବାର୍ଟର୍ରେ ବ୍ୟାଙ୍କ୍ର ବାଲାନ୍ସ ଶିଟ୍ରେ ୨୨.୬ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କ୍ର ଭାରତର ୨ ହଜାର ୭୬୮ଟି ସ୍ଥାନରେ ୫ ହଜାର ୩୧୪ଟି ଶାଖା ରହିଥିବା ବେଳେ ୧୩ ହଜାର ୫୧୪ଟି ଏଟିଏମ୍ କାଉଣ୍ଟର୍ ରହିଛି। ଗତ ୨୦୧୮-୧୯ ଆର୍ଥିକ ବର୍ଷର ଦ୍ବିତୀୟ କ୍ବାର୍ଟର୍ରେ ବ୍ୟାଙ୍କ୍ର ଶାଖା ସଂଖ୍ୟା ୪ ହଜାର ୮୨୫ ଥିବା ବେଳେ ୨୭୧୮ଟି ସ୍ଥାନରେ ୧୩ ହଜାର ୧୮ଟି ଏଟିଏମ୍ କାଉଣ୍ଟର୍ ରହିଥିଲା।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ