ଶସ୍ତ୍ରପୂଜା ପରେ ରାଫେଲ୍‌ରେ ଉଡ଼ିଲେ ରାଜନାଥ


ମେରିଗ୍‌ନାକ୍‌: ସାମରିକ ଶକ୍ତିକୁ ବହୁଗୁଣିତ କରିବା ସକାଶେ ଭାରତ ସରକାର ଫ୍ରାନ୍ସରୁ ୩୬ଟି ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଯୁଦ୍ଧ ବିମାନ ରାଫେଲ୍‌ ଖରିଦ୍‌ ପାଇଁ ଚୁକ୍ତିବଦ୍ଧ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଏହା ଭାରତୀୟ ସେନାରେ ସାମିଲ୍‌ ହେବ। ଏ ଦିଗରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ପଦକ୍ଷେପ ନେଇସାରିଛନ୍ତି। ରାଜନାଥ ବର୍ତ୍ତମାନ ଫ୍ରାନ୍ସ ଗସ୍ତରେ ଯାଇ ମଙ୍ଗଳବାର ପବିତ୍ର ବିଜୟା ଦଶମୀ ଅବସରରେ ଶସ୍ତ୍ରପୂଜା କରି ଏହାର ଶୁଭାରମ୍ଭ କରିଛନ୍ତି। ଏଥିସହ ରାଜନାଥ ପ୍ରଥମ ଭାରତୀୟ ରକ୍ଷାମନ୍ତ୍ରୀ ଭାବେ ରାଫେଲ୍‌ରେ ବସି ବେଶ୍‌ କିଛି ସମୟ ଉଡ଼ିବାର ଅଭିଜ୍ଞତା ମଧ୍ୟ ହାସଲ କରିଛନ୍ତି। ଫ୍ରାନ୍ସର ମେରିଗ୍‌ନାକ୍‌ଠାରେ ସେ ଏହି ସୁଯୋଗ ପାଇଛନ୍ତି। ଏହି ଜେଟ୍‌ଟି ଡସାଲ୍ଟ ଆଭିଏସନ୍‌ର ହେଡ୍‌ ଟେଷ୍ଟ ପାଇଲଟ୍‌ ଫିଲିପ୍‌ ଡୁଚାଟ୍ୟୁ ଉଡ଼ାଇଥିବା ଜଣାପଡ଼ିଛି।

ସେ ପ୍ରାୟ ୨୫ ମିନିଟ୍‌ କାଳ ଉଡ଼ିବା ପରେ ନିଜର ଅଭିଜ୍ଞତା ବଖାଇ କହିଥିଲେ ଯେ ଏହା ଖୁବ୍‌ ସୁବିଧାଜନକ ଉଡ଼ାଣ ଥିଲା। ଏହି ମୁହୂର୍ତ୍ତ ନିଶ୍ଚୟ ଭାବେ ଅବିସ୍ମରଣୀୟ ହୋଇ ରହିବ। ମୁଁ କଦାପି ଭାବି ନ ଥିଲି ଯେ କୌଣସି ଦିନ ଏମିତି ସୁପରସୋନିକ୍‌ ସ୍ପିଡ୍‌ରେ ବିମାନରେ ଉଡ଼ିବି। ଏହା ଏକା ସମୟରେ ଏୟାର-ଟୁ-ଏୟାର ଓ ଏୟାର-ଟୁ-ଲ୍ୟାଣ୍ଡ ଫାୟର କରିବାର ଦକ୍ଷତା ରଖେ ବୋଲି ରାଜନାଥ କହିଛନ୍ତି।

ମଙ୍ଗଳବାର ରାଜନାଥ ରାଫେଲ୍‌ ଗ୍ରହଣ କରିବା ସହ ଏହାର ଶସ୍ତ୍ରପୂଜା କରିଛନ୍ତି। ବିଜୟା ଦଶମୀରେ ଏପରି ପୂଜାର ପରମ୍ପରା ରହିଥିବାରୁ ରାଜନାଥ ରାଫେଲ୍‌ ପରି ଐତିହାସିକ ଚୁକ୍ତିକୁ ମଧ୍ୟ ପୂଜା ମାଧ୍ୟମରେ ସ୍ୱତନ୍ତ୍ର କରିଥିଲେ। ଏହି ପୂଜାରେ ସେ ରାଫେଲ୍‌ ଉପରେ ନଡ଼ିଆ ରଖି ସିନ୍ଦୁରରେ ‘ଓଁ’ ଲେଖିଥିଲେ। ଏପରିକି ଭାରତୀୟ ପୂଜାବିଧି ପରି ରାଫେଲ୍‌ର ଚକ ତଳେ ଲେମ୍ବୁ ମଧ୍ୟ ରଖାଯାଇଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ଭାରତ ଫ୍ରାନ୍ସରୁ ୩୬ଟି ରାଫେଲ ଯୁଦ୍ଧ ବିମାନ ୫୯ ହଜାର କୋଟି ଟଙ୍କାରେ ଖରିଦ୍‌ କରିବା ସକାଶେ ଚୁକ୍ତିବଦ୍ଧ ହୋଇଛି। ରୁଷିଆ ନିର୍ମିତ ସୁଖୋଇ ୩୦ ଯୁଦ୍ଧ ବିମାନ ପରେ ଗତ ୨୨ ବର୍ଷ ମଧ୍ୟରେ ରାଫେଲ୍‌ ପ୍ରଥମ ବିଦେଶୀ ଯୁଦ୍ଧ ବିମାନ ଭାବେ ଭାରତୀୟ ସେନାରେ ସାମିଲ୍‌ ହେବାକୁ ଯାଉଛି। ଗତ ୧୯୯୭ ମସିହାରେ ସୁଖୋଇ-୩୦ ବାୟୁସେନାରେ ସାମିଲ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ