ସରିଲା ଜଗଜ୍ଜନନୀଙ୍କ ଦଶହରା ପର୍ବ: ଆଜି ମେଲାଣି ପର୍ବ


ଭୁବନେଶ୍ୱର: ବିଜୟା ଦଶମୀ ସହ ମଙ୍ଗଳବାର ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ଏଥିସହ ବୁଧବାର ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା ଅର୍ଥାତ୍‌ ଆଜି ହେଉଛି ଭସାଣ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ସହ କେତେକ ସ୍ଥାନରେ ମୂର୍ତ୍ତି ବିସର୍ଜନ ଆରମ୍ଭ ହୋଇସାରିଲାଣି। ମଙ୍ଗଳବାର ରାତିରୁ କଟକର କିଛି ସ୍ଥାନରେ ମୂର୍ତ୍ତି ଭସାଣ ଉତ୍ସବ ଆରମ୍ଭ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡିସିପିଙ୍କ ସହ ରାପିଡ୍‌ ଆକ୍ସନ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି। ସେହିପରି ମେଢ଼ଗୁଡ଼ିକର ସହଜ ଯାତ୍ରା ପାଇଁ ଦିନ ୧୧ଟାରୁ ଟ୍ରାଫିକ୍‌ କଟକଣା ଲାଗୁ ହୋଇଛି। ଏନେଇ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି ଓ ଏହାର ଉଲ୍ଲଙ୍ଘନରେ ୫ ଶହରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏଥିନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜଧାନୀର ୩ଟି ସ୍ଥାନରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ନୟାପଲ୍ଲୀ ପଡ଼ିଆରେ ୨୦ଟି ମେଢ଼ ଏକାଠି ହେବେ। ସେଠାରୁ ହିଁ ଭସାଣ ଉତ୍ସବ ଆରମ୍ଭ ହେବ। ସେହିପରି ଶହୀଦ ନଗର ପଡ଼ିଆ ଓ ଚନ୍ଦ୍ରଶେଖରପୁର ଆର୍‌ଟିଓ ପଡ଼ିଆରେ ମଧ୍ୟ ବିଭିନ୍ନ ମୂର୍ତ୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହେବ। ଧାଡ଼ି ଶୋଭାଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବରୁ ମଙ୍ଗଳବାର ବିଜୟା ଦଶମୀରେ ଭୁବନେଶ୍ବର ଓ କଟକ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଯାଇଛି। ଏହି ରାବଣ ପୋଡ଼ି ଦେଖିବା ସକାଶେ ବ୍ୟାପକ ଭକ୍ତଙ୍କ ସମାବେଶ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଏହାର ସମାପନ ପାଇଁ ପୋଲିସ୍‌ ପ୍ରଶାସନ ପକ୍ଷରୁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ