ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ, ପୀଠରେ ବିଜୟା ଦଶମୀ ପୂଜା


ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁଠୁ ସହର। ଆଧ୍ୟାତ୍ମିକ ପରିବେଶ ଓ ମନ୍ତ୍ରପାଠରେ କମ୍ପୁଛି ବିଭିନ୍ନ ପୂଜା ମଣ୍ଡପ। ଆଜି ମଣ୍ଡପରେ  ଜଗତଜନନୀଙ୍କ ମହାନବମୀ ଓ ପୀଠରେ ବିଜୟା ଦଶମୀ ପୂଜା କରାଯାଉଛି। ମାଆଙ୍କ ମହାନବମୀ ଅବସରରେ ସକାଳୁ ସକାଳୁ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜା। ସେପଟେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଦଶମୀ ପୂଜା କରାଯାଉଛି। ଲକ୍ଷାଧିକ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ସହ ପୂଜା ଦେଖିବାକୁ ଭିଡ ଜମାଉଛନ୍ତି।

ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ମହାଷ୍ଟମୀରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମାଆ ଦୁର୍ଗା। ମାଆଙ୍କ ବିଶ୍ୱରୂପ ଓ ବେଶଭୂଷା ଦେଖିବାକୁ ଶ୍ରଦ୍ଧାଳୁ ଆତୁର ହେଉଛନ୍ତି । ଆଖି ଝଲସା ଆଲୋକମାଳାରେ ସଜା ହୋଇଛି ସାରା ଓଡିଶାର ପୂଜା ପେଣ୍ଡାଲ। ବିଭିନ୍ନ ପୂଜା ମଣ୍ଡପରେ କିଏ ଜଗତଜନନୀଙ୍କୁ ଶାଢ଼ି ଦେଇ ନିଜର ସର୍ବମଙ୍ଗଳ କାମନା କରୁଛି ତ ଆଉ କିଏ ଚୁଡ଼ି ଓ ସିନ୍ଦୁର ଦେଇ ପରିବାରର ଶୁଭ ମନାସୁଛି । ରାଜଧାନୀରେ ଏବର୍ଷ ୧୭୨ଟି ଓ କଟକରେ ୧୬୫ଟି ମଣ୍ଡପରେ ପୂଜା ପାଉଛନ୍ତି ମା‌ଆ। ୩୦ରୁ ଅଧିକ ସ୍ଥାନରେ ସୁନା ଚାନ୍ଦିରେ ବି ଝଟକୁଛନ୍ତି ମାଆ। ରାଜଧାନୀ ଭୁବନେଶ୍ୱରର ସହିଦ ନଗରରେ ଚାନ୍ଦି ମେଢ ସାଙ୍ଗକୁ ମାଆଙ୍କ ସୁନା ମୁକୁଟ ଦେଖିବାକୁ ପ୍ରବଳ ଭିଡ ଜମୁଛି। ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପରେ ଚାନ୍ଦି ମେଢ ଦେଖିବାକୁ ମିଳିଛି। ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବେଶ ଧୁମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା। ଏହାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣମାନ କରାଯାଇଛି।

ଗତକାଲି ମଣ୍ଡପରେ ମହାମାୟାଙ୍କ ମହାଅଷ୍ଟମୀ ଥିବାରୁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ନିକଟରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା। ରସୁଲଗଡ, ନୟାପଲ୍ଲୀ ଓ ଝାରପଡା ଆଦି ମଣ୍ଡପ ନିକଟରେ ଅଧିକ ଭିଡ଼ ଲାଗି ରହିଥିଲା। ଆଜି କଟକର ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ସିନ୍ଦୁର ଖେଳ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ