ବାର୍‌ରେ ଗୁଳି ଚଳାଇ ୪ ଜଣଙ୍କୁ ହତ୍ୟା କଲା ଯୁବକ, ୫ ଆହତ


ଆମେରିକାର ଅନ୍ୟତମ ଜଣାଶୁଣା ସହ କାନ୍‌ସାସ୍‌ରେ ଏକ ବାର୍‌ରେ ଜନୈକ ଯୁବକ ଆଖିବୁଜା ଗୁଳି ଚାଳନା କରିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାଟି ଏକ ବାର୍‌ରେ ଘଟିଥିଲେ ମଧ୍ୟ ଏହି ବାର୍‌ର ନିର୍ଦ୍ଦିଷ୍ଟତା ବିଷୟରେ ପୋଲିସ୍‌ କୌଣସି ସୂଚନା ଦେଇପାରିନାହିଁ। ଗୁଳିକାଣ୍ଡ ଘଟାଇ ୪ ଜଣଙ୍କ ଜୀବନ ନେବା ପରେ ଯୁବକ ଜଣକ ସେଠାରୁ ଫେରାର୍‌ ହୋଇଯାଇଥିବା ବେଳେ ଏପରି ନରସଂହାର ପଛରେ ଯୁବକ ଜଣକର କ’ଣ ଉଦ୍ଦେଶ୍ୟ ଥିଲା, ତାହା ଜଣାପଡ଼ିନାହିଁ। ସିଟି ସେଣ୍ଟର୍‌ଠାରେ ଏହି ବାର୍‌ରେ ଗୁଳିଚାଳନା ପାଇଁ ଏକ ହାତବନ୍ଧୁକ ବ୍ୟବହାର କରାଯାଇଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛନ୍ତି।

ଗତ ମାସରେ ଟେକ୍ସାସ୍‌ଠାରେ ଏପରି ଦୁଇଟି ଗୁଳିକାଣ୍ଡ ଘଟଣାରେ ୪୪ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ପୁଣି ଏକ ଗୁଳିକାଣ୍ଡ ଘଟଣା ଘଟିଛି। ଅଧିକନ୍ତୁ ଚଳିତ ବର୍ଷ ଅଦ୍ୟାବଧି ୪୦ରୁ ଊର୍ଦ୍ଧ୍ବ ଗୁଳିକାଣ୍ଡ ଘଟଣା ଘଟିସାରିଲାଣି ଓ ପ୍ରତି ଅଘଟଣରେ ଅତି କମ୍‌ରେ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିସାରିଛି। ତେବେ ଉଦ୍‌ଭ୍ରାନ୍ତ ଯୁବକମାନଙ୍କୁ ଏପରି ନରସଂହାର ଘଟାଇବାରୁ ବିରତ କରିବା ସକାଶେ ଆମେରିକାର ସର୍ବାଧିକ ଗୁଳିଗୋଳା ବିକ୍ରୟକାରୀ କମ୍ପାନୀ ୱାଲ୍‌ମାର୍ଟ ନିର୍ଦ୍ଦିଷ୍ଟ ଭାବେ କେତେକ ଗୁଳି ବିକ୍ରି ଉପରେ କଟକଣା ଲଗାଇବ ବୋଲି ଗତ ମାସରେ ଘୋଷଣା କରିଥିଲା। କିନ୍ତୁ ଆମେରିକାର ନ୍ୟାସନାଲ୍‌ ରାଇଫଲ୍‌ ଆସୋସିଏସନ୍‌ ପକ୍ଷରୁ ଏପରି ଘୋଷଣାକୁ ନାପସନ୍ଦ କରାଯିବା ସହ ଏହାକୁ ଲଜ୍ଜାଜନକ ନିଷ୍ପତ୍ତି ବୋଲି କୁହାଯାଇଛି। ଅଧିକନ୍ତୁ ଏପରି ପରିବର୍ତ୍ତନ ଦ୍ବାରା ୱାଲ୍‌ମାର୍ଟ ତା’ର ବ୍ୟବସାୟରେ ଢେର୍‌ କ୍ଷତି ସହିବ ବୋଲି ମଧ୍ୟ ଆସୋସିଏସନ୍‌ ପକ୍ଷରୁ ଆଶଙ୍କା ପ୍ରକଟ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ