କଶ୍ମୀର ପ୍ରସଙ୍ଗରେ ଚୀନ୍‌ ରାଷ୍ଟ୍ରଦୂତଙ୍କ ମନ୍ତବ୍ୟକୁ ଭାରତର ବିରୋଧ


ଆସନ୍ତା ୧୧ ତାରିଖରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଭାରତ ଗସ୍ତରେ ଆସି ତାମିଲନାଡ଼ୁର ମାମାଲାପୁରମ୍‌ଠାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଜିନ୍‌ପିଙ୍ଗ୍‌ଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ। ତେବେ ଏହି ଜିନ୍‌ପିଙ୍ଗ୍‌ଙ୍କ ଆଗମନ ପୂର୍ବରୁ ଚୀନ୍‌ ରାଷ୍ଟ୍ରଦୂତଙ୍କ ଏକ ମନ୍ତବ୍ୟକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ନିକଟରେ ପାକିସ୍ତାନ ପାଇଁ ଚୀନ୍‌ ରାଷ୍ଟ୍ରଦୂତ ୟାଓ ଜିଙ୍ଗ୍‌ କଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ଭାରତ ପକ୍ଷରୁ ସମାଲୋଚନା କରାଯାଇଛି। ଗତ ଶୁକ୍ରବାର ଜିଙ୍ଗ୍‌ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପ୍ରସ୍ତାବକୁ ସ୍ବୀକାର କରିବା ସହ କଶ୍ମୀରବାସୀଙ୍କୁ ସେମାନଙ୍କ ମାନବାଧିକାର ଓ ନ୍ୟାୟ ହାସଲ କରିବା ଦିଗରେ ଚୀନ୍‌ ଓ ପାକିସ୍ତାନ ସହଯୋଗ କରିବେ ବୋଲି କହିଥିଲେ। କଶ୍ମୀର ପ୍ରସଙ୍ଗର ଏକ ନ୍ୟାୟୋଚିତ ସମାଧାନ ଆବଶ୍ୟକ ଏବଂ ଆଞ୍ଚଳିକ ଶାନ୍ତି ଓ ସହାବସ୍ଥାନ ପାଇଁ ଏହା ଜରୁରୀ ହୋଇଥିବାରୁ ଏହି ପ୍ରସଙ୍ଗରେ ପାକିସ୍ତାନ ସହ ଚୀନ୍‌ ଏକମତ ବୋଲି ଜିଙ୍ଗ୍‌ କହିଥିଲେ।

ଗତ ଶୁକ୍ରବାର କରାଚି କାଉନ୍‌ସିଲ୍‌ ଅଫ୍ ଫରେନ୍‌ ରିଲେସନ୍ସ ପକ୍ଷରୁ ଚୀନ୍‌-ପାକିସ୍ତାନ ଇକୋନୋମିକ୍‌ କରିଡର୍‌ (ସିପିଇସି) ପ୍ରସଙ୍ଗରେ ଆଲୋଚନା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଭାଗ ନେବା ଅବସରରେ ଜିଙ୍ଗ୍‌ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ତେବେ ଚୀନ୍‌ ସବୁବେଳେ କଶ୍ମୀର ସମସ୍ୟାକୁ ଏକ ଦ୍ବିପାକ୍ଷିକ ସମସ୍ୟା ବୋଲି କହିଆସୁଥିବା ବେଳେ ଜିଙ୍ଗ୍‌ଙ୍କ ମତାମତ ଏହାର ବିରୋଧାଚରଣ କରୁଛି ବୋଲି ଭାରତ ପକ୍ଷରୁ କୁହାଯିବା ସହ ତୁରନ୍ତ ବେଜିଂଠାରୁ ଏନେଇ ସ୍ପଷ୍ଟୀକରଣ ଲୋଡ଼ିଛି। ଜିଙ୍ଗ୍‌ଙ୍କ ମନ୍ତବ୍ୟ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ଓ ଭାରତ ପ୍ରତି ଜିନ୍‌ପିଙ୍ଗ୍‌ଙ୍କ ଆଭିମୁଖ୍ୟ ସହ ଜିଙ୍ଗ୍‌ଙ୍କ ସଦ୍ୟ ମନ୍ତବ୍ୟର ତାଳମେଳ ରହୁନାହିଁ ବୋଲି ଭାରତ ପକ୍ଷରୁ ଅଭିଯୋଗ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ