ଇରାକ୍‌ରେ ବିକ୍ଷୋଭକାରୀଙ୍କୁ ଗୁଳି: ୧୭ ମୃତ, ୧୨ ଆହତ


ଶୁକ୍ରବାର କେନ୍ଦ୍ରୀୟ ବାଗଦାଦ୍‌ରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଲୋକମାନଙ୍କ ଉପରକୁ ସୁରକ୍ଷାକର୍ମୀମାନେ ଗୁଳି ଚଳାଇବା ଫଳରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୨ରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀ ଆହତ ମଧ୍ୟ ହୋଇଛନ୍ତି। ଏଥିସହ ଦେଶରେ ଚାଲିଥିବା ବିକ୍ଷୋଭ ଓ ଆନ୍ଦୋଳନରେ ହିଂସାକାଣ୍ଡଜନିତ ମୃତ୍ୟୁସଂଖ୍ୟା ୫୯ରେ ପହଞ୍ଚିଛି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ବିରୋଧ କରିବା ସହ ମୌଳିକ ସୁବିଧାସୁଯୋଗ ଯୋଗାଇଦେବା ଦାବି ନେଇ ଆନ୍ଦୋଳନ କରିଆସୁଛନ୍ତି। ଗତ ମଙ୍ଗଳବାରଠାରୁ ଏହି ଆନ୍ଦୋଳନ ଚାଲିଆସିଥିବା ବେଳେ ଏହାକୁ ଦମନ କରିବା ସକାଶେ ସୁରକ୍ଷାକର୍ମୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ନିରସ୍ତ୍ର ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଅଦ୍ୟାବଧି ଏହିପରି ହିଂସାକାଣ୍ଡରେ ମୃତକଙ୍କ ସଂଖ୍ୟା ୭୩ରେ ପହଞ୍ଚିଥିବା ଜନୈକ ସଂଗଠନ ଦାବି କରିଛି।

ଏହି ତୈଳସମୃଦ୍ଧ ଦେଶର ଯୁବପିଢ଼ି ବେରୋଜଗାର ସମସ୍ୟାରେ ସନ୍ତୁଳି ହେଉଥିବା ବେଳେ ଲୋକମାନଙ୍କୁ ଉନ୍ନତ ବିଦ୍ୟୁତ୍‌ ଓ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଉନାହିଁ। ତା’ଛଡ଼ା ଦେଶରେ ଦୁର୍ନୀତି ମଧ୍ୟ ଚରମ ସୀମାରେ ପହଞ୍ଚିଛି। ଏପରି ସ୍ଥିତିରେ ଯୁବପିଢ଼ି ଚାକିରି ପାଇଁ ଆନ୍ଦୋଳନ କରୁଥିବା ବେଳେ ସାଧାରଣ ଲୋକେ ବିଭିନ୍ନ ସୁବିଧାସୁଯୋଗ ଦାବିରେ ଏହି ସରକାର ବିରୋଧୀ ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି। ଏହି ହିଂସାକାଣ୍ଡ ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ବାଗଦାଦରେ ଅନ୍ୟାଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଥିଲେ। ଶୁକ୍ରବାର ସନ୍ଧ୍ୟା ସମୟରେ କେନ୍ଦ୍ରୀୟ ବାଗଦାଦରେ ବିକ୍ଷୋଭକାରୀଙ୍କ ସଂଖ୍ୟା ହଜାରେରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ସହ ଅନ୍ୟ ବିକ୍ଷୋଭକାରୀଙ୍କୁ ସେମାନଙ୍କ ସହ ଯୋଗଦେବାରୁ ବିରତ କରିବା ଉଦ୍ଦେଶ୍ୟ ନେଇ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ। ଏପରିକି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସୁରକ୍ଷାକର୍ମୀ ଦୁଇ ଜଣ ବିକ୍ଷୋଭକାରୀଙ୍କ ଛାତି ଓ ମୁଣ୍ଡକୁ ଗୁଳି କରିବା ଫଳରେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ଗୁଳିକାଣ୍ଡରେ ଦୁଇ ଜଣ ପୋଲିସ୍‌ କର୍ମଚାରୀ ମଧ୍ୟ ମୃତ୍ୟୁବରଣ କରିଥିବା କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ