ଭାଇଜାଗ୍‌ ଟେଷ୍ଟ୍‌ରେ ରୋହିତଙ୍କ ଡବଲ୍‌ ୱାର୍ଲ୍ଡ ରେକର୍ଡ


ବିଶାଖାପାଟଣା: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଟେଷ୍ଟ୍‌ର ଚତୁର୍ଥ ଦିନରେ ଭାରତୀୟ ଓପନର୍‌ ରୋହିତ ଶର୍ମା ଡବଲ୍‌ ୱାର୍ଲ୍ଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପ୍ରଥମ ଥର ପାଇଁ ଟେଷ୍ଟ୍‌ କ୍ରିକେଟ୍‌ରେ ଇନିଂସ ଆରମ୍ଭ କରିବାର ସୁଯୋଗ ପାଇଥିବା ରୋହିତ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପ୍ରଥମ ଇନିଂସରେ ୧୭୬ ରନ୍‌ର ଜବରଦସ୍ତ ଇନିଂସ ଖେଳିଥିଲେ। ଦ୍ବିତୀୟ ଇନିଂସରେ ମଧ୍ୟ ରୋହିତ ନିଜର ଏହି ଫର୍ମକୁ ବଜାୟ ରଖି ଶତକ କରିଛନ୍ତି। ଫଳସ୍ବରୂପ ସେ ବିଶ୍ବର ପ୍ରଥମ ଟେଷ୍ଟ୍‌ ଓପନର ଭାବେ ଉଭୟ ଇନିଂସରେ ଶତକ ହାସଲ କରିବାର ବିରଳ ସଫଳତା ପାଇଛନ୍ତି। ତା’ଛଡ଼ା ଦ୍ବିତୀୟ ଇନିଂସରେ ୭ଟି ଛକା ଲଗାଇଥିବା ରୋହିତ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଛକା ଲଗାଇବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଭାରତର ନବଜୋତ ସିଂହ ସିଦ୍ଧୁଙ୍କ ନାମରେ ରହିଥିଲା।

ପ୍ରଥମ ଇନିଂସରେ ୨୩ଟି ଚୌକା ଓ ୬ଟି ଛକା ମାରିଥିବା ରୋହିତ ଦ୍ବିତୀୟ ଇନିଂସରେ ୧୨୭ ରନ୍‌ର ଦମ୍‌ଦାର ଇନିଂସ ଖେଳିବା ଫଳରେ ଭାରତ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶାଳ ୩୯୫ ରନ୍‌ର ବଡ଼ ଟାର୍ଗେଟ୍‌ ଧାର୍ଯ୍ୟ କରିଛି। ତାଙ୍କର ଏହି ଇନିଂସରେ ୧୦ଟି ଚୌକା ଓ ୭ଟି ଛକା ରହିଥିଲା। ଏହି ଇନିଂସରେ ସେ ତୃତୀୟ ଛକା ମାରିବା ପରେ ଗୋଟିଏ ଟେଷ୍ଟ୍‌ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଥିଲେ। ପୂର୍ବରୁ ସିଦ୍ଧୁ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ମ୍ୟାଚ୍‌ରେ ୮ଟି ଛକା ଲଗାଇଥିଲେ।

ସେହିପରି ରୋହିତ ଗୋଟିଏ ମ୍ୟାଚ୍‌ରେ ତିନି ଶହରୁ ଊର୍ଦ୍ଧ୍ବ ରନ୍‌ କରି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରତିନିଧିତ୍ବ କରିଥିବା କେପଲର୍‌ ୱେସେଲ୍ସଙ୍କୁ ଅତିକ୍ରମ କରି ଟେଷ୍ଟ୍‌ ଓପନର ଭାବେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ସ୍କୋର୍‌ କରିବାର ରେକର୍ଡ ଦରଜ କରିଛନ୍ତି। ଗତ ୧୯୮୨-୮୩ରେ ଅଷ୍ଟ୍ରେଲିଆ ପକ୍ଷରୁ ୱେସେଲ୍ସ ପ୍ରଥମ ଇନିଂସରେ ୧୬୨ ଓ ଦ୍ବିତୀୟ ଇନିଂସରେ ୪୬ ରନ୍‌ ଏହିପରି ସର୍ବମୋଟ ୨୦୮ ରନ୍‌ କରିଥିଲେ। ସେହିପରି ରୋହିତ ଗୋଟିଏ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବାରେ ଷଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ ବିଜୟ ହଜାରେ (ଥରେ), ସୁନୀଲ ଗାଭାସ୍କର (୩ ଥର), ରାହୁଲ୍‌ ଦ୍ରାବିଡ (୨ ଥର), ବିରାଟ କୋହଲି (ଥରେ) ଓ ଅଜିଙ୍କ୍ୟ ରାହାଣେ (ଥରେ) ଏହି ସଫଳତା ପାଇସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ