ଦଳ ଛାଡ଼ିଲେ ଟିକେଟ୍‌ ବଣ୍ଟନରେ ଅସନ୍ତୁଷ୍ଟ କଂଗ୍ରେସ ନେତା ତନୱର୍‌


ନୂଆଦିଲ୍ଲୀ: ଆଗାମୀ ହରିୟାଣା ବିଧାନସଭା ନିର୍ବାଚନ ସକାଶେ କଂଗ୍ରେସ ପକ୍ଷରୁ ଟିକେଟ୍‌ ବଣ୍ଟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ରାଜ୍ୟ କଂଗ୍ରେସର ପୂର୍ବତନ ମୁଖ୍ୟ ଅଶୋକ ତନୱର୍‌। ଟିକେଟ୍‌ ବଣ୍ଟନ ବେଳେ ଦଳ ପ୍ରତି ଆନୁଗତ୍ୟ ରଖୁଥିବା ନେତାମାନଙ୍କୁ ଟିକେଟ୍‌ ଦିଆ ନ ଯାଇ ନୂଆ କରି ଦଳକୁ ଆସିଥିବା ନେତାମାନଙ୍କୁ ପ୍ରାଥମିକତା ଦିଆଯାଇଛି ବୋଲି ତନୱର୍‌ ଅଭିଯୋଗ କରିବା ସହ ଗତ କିଛି ଦିନ ହେଲା ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କ ବାସଭବନରେ ଧାରଣାରେ ବସିଥିଲେ। ତେବେ ତାଙ୍କ ସମସ୍ୟାର କୌଣସି ସମାଧାନ ନ ହେବାରୁ ତନୱର୍‌ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଗୁରୁବାର ସେ ମଧ୍ୟ ଦଳର ସମସ୍ତ ପଦପଦବୀଠାରୁ ନିଜକୁ ଦୂରେଇ ଦେଇଥିଲେ। ଅବଶ୍ୟ ସେତେବେଳେ ସେ ଦଳ ପାଇଁ ଜଣେ ସାଧାରଣ କର୍ମୀ ପରି କାର୍ଯ୍ୟ କରିବେ ବୋଲି କହିଥିଲେ।

ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତନୱର୍‌ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଥିଲେ ମଧ୍ୟ ତାଙ୍କୁ ଟିକେଟ୍‌ ଦିଆଯାଇ ନ ଥିଲା। ତେଣୁ ତନୱର୍‌ ବର୍ତ୍ତମାନ ସମୟରେ ହରିୟାଣାରେ କଂଗ୍ରେସ ହୁଡ୍ଡାଙ୍କ ଦଳରେ ପରିଣତ ହୋଇଛି ଓ ଦଳ ଦାୟିତ୍ବରେ ଥିବା ନେତାମାନେ ନିଜ ନିଜର ମନମାନୀ କରୁଛନ୍ତି। ବୋଲି ତନୱର୍‌ ଅଭିଯୋଗ କରିଥିଲେ। ଗତ ୫ ବର୍ଷ ଧରି ଦଳକୁ ସୁଦୃଢ଼ କରିବା ସକାଶେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥିବା ନେତାମାନଙ୍କୁ ଗୁରୁତ୍ବ ଦିଆଯାଇନାହିଁ, ବରଂ ଦଳର ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କଠାରୁ ମୋଟା ଅଙ୍କର ଲାଞ୍ଚ ଗ୍ରହଣ ପୂର୍ବକ ସେମାନଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରାଯାଇଛି ବୋଲି ତନୱର୍‌ ଅଭିଯୋଗ କରିଥିଲେ। ଗୁରୁଗ୍ରାମର ସୋହନା ବିଧାନସଭା ଆସନ ପାଇଁ ହରିୟାଣା କଂଗ୍ରେସ ମୁଖ୍ୟ ୫ କୋଟି ଟଙ୍କା ଲାଞ୍ଚ ନେଇ ଟିକେଟ୍‌ ଦେଇଛନ୍ତି ବୋଲି ମଧ୍ୟ ତନୱର୍‌ ଅଭିଯୋଗ କରିଥିଲେ। ଏପରିକି ବିଜେପି ତାଙ୍କୁ ୬ ଥର ଦଳରେ ସାମିଲ୍‌ ହେବା ସକାଶେ ଅନୁରୋଧ କରିଥିଲେ ମଧ୍ୟ ସେ କ୍ଷମତା ପାଇଁ ଲାଳାୟିତ ନୁହନ୍ତି ବୋଲି କହି ଏପରି ଅଫର୍‌କୁ ଗ୍ରହଣ କରି ନ ଥିଲେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ନ ଥିଲେ ତନୱର୍‌ଙ୍କୁ ତାରକା ପ୍ରଚାରକଙ୍କ ସୂଚୀରେ ସାମିଲ୍‌ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ