ସୋସାଲ୍‌ ମିଡିଆରେ ଗୁଜବ: ହୃଦ୍‌ଘାତରେ ମହମ୍ମଦ ନବୀଙ୍କ ମୃତ୍ୟୁ

ଟ୍ବିଟ୍‌ କରି ନିଜେ ଖଣ୍ଡନ କଲେ, ଫଟୋ ଜାରି କଲା ଏସିବି

କାବୁଲ୍‌: ଗତ ମାସରେ ଆଫଗାନିସ୍ତାନର ଭେଟେରାନ୍‌ କ୍ରିକେଟର୍‌ ମହମ୍ମଦ ନବୀ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହି ଅଲ୍‌ରାଉଣ୍ଡର୍‌ ଜଣକ ଟେଷ୍ଟ୍‌ କ୍ରିକେଟ୍‌ରୁ ତାଙ୍କର ଅବସର ଘୋଷଣା କରିବା ପରେ ତାଙ୍କୁ ନେଇ ଢେର୍‌ ଚର୍ଚ୍ଚା ହୋଇଥିଲା। ବିଶେଷକରି ଦଳକୁ ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ୍‌ରେ ୨୨୪ ରନ୍‌ରେ ବିଜୟୀ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। କିନ୍ତୁ ଶୁକ୍ରବାର ନବୀଙ୍କୁ ନେଇ ଯେଉଁ ଆଲୋଚନା ହେଉଛି, ତାହା ଅତି ସାଂଘାତିକ ଓ ସୋସାଲ୍‌ ମିଡିଆରେ ଏହା ବେଶ୍‌ ଦ୍ରୁତ ଗତିରେ ଭାଇରାଲ୍‌ ହୋଇଛି। ନିକଟରେ ନବୀଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଛି ବୋଲି ସୋସାଲ୍‌ ମିଡିଆରେ ଏକ ବାର୍ତ୍ତା ଭାଇରାଲ୍‌ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ (ଏସିବି) ଓ ନିଜେ ନବୀ ଟ୍ବିଟ୍‌ କରି ଏପରି ଖବର ଯେ କେବଳ ଏକ ଗୁଜବ, ତାହା ବୁଝାଇବାକୁ ଚେଷ୍ଟା କରିଛନ୍ତି। ଏପରିକି ନବୀ ଜୀବିତ ଅଛନ୍ତି ବୋଲି ଦର୍ଶାଇବାକୁ ଯାଇ ଏସିବି ପକ୍ଷରୁ ଏକ ଟୁର୍ଣ୍ଣାମେଣ୍ଟ୍‌ ପାଇଁ ଅଭ୍ୟାସ ବେଳର ଫଟୋକୁ ଅପଲୋଡ୍‌ କରାଯାଇଛି।

କିନ୍ତୁ ଏସବୁ ସତ୍ତ୍ବେ ସୋସାଲ୍‌ ମିଡିଆରେ ଏହି ଗୁଜବକୁ ଅନେକ ସତ ବୋଲି ମନେ କରିନେଇଛନ୍ତି। ତେଣୁ ଏହି ଚର୍ଚ୍ଚାର ଥମିବାର ନାଁ ଧରୁନାହିଁ। ସୂଚନାଯୋଗ୍ୟ ଯେ ନବୀ ଯଦିଓ ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି, କିନ୍ତୁ ସେ ଟି-୨୦ ଓ ଦିନିକିଆ କ୍ରିକେଟ୍‌ରେ ସକ୍ରିୟ ଅଛନ୍ତି। ଗତ ୨୦୧୭ ଜୁଲାଇରେ ଆଫଗାନିସ୍ତାନ ଟେଷ୍ଟ୍‌ ମାନ୍ୟତା ପାଇବା ପରେ ଅଦ୍ୟାବଧି ଏହି ଦଳ ୩ଟି ଟେଷ୍ଟ୍‌ ଖେଳିସାରିଛି। ଏହି ତିନିଟିଯାକ ମ୍ୟାଚ୍‌ରେ ନବୀ ଦଳ ପକ୍ଷରୁ ପ୍ରତିନିଧିତ୍ବ ମଧ୍ୟ କରିଛନ୍ତି। କିନ୍ତୁ ସେ ସୀମିତ ଓଭର୍‌ କ୍ରିକେଟ୍‌ରେ ଯେପରି ସଫଳତା ପାଇଛନ୍ତି, କ୍ରିକେଟ୍‌ର ଶ୍ରେଷ୍ଠ ଫର୍ମାଟ୍‌ କୁହାଯାଉଥିବା ଟେଷ୍ଟ୍‌ରେ ଆଶାନୁପାତରେ ସଫଳତା ପାଇପାରିନାହାନ୍ତି। ସେ ତାଙ୍କ ଟେଷ୍ଟ୍‌ କ୍ୟାରିଅର୍‌ରେ ୬ଟି ଇନିଂସରେ ମାତ୍ର ୩୩ ରନ୍‌ କରିଛନ୍ତି। ଏହି ସଂଖ୍ୟକ ଇନିଂସରେ ବୋଲିଂ କରି ସେ ୮ଟି ୱିକେଟ୍‌ ନେଇପାରିଛନ୍ତି। ୩୪ ବର୍ଷୀୟ ନବୀ ଟେଷ୍ଟ୍‌ କ୍ରିକେଟ୍‌ରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସକାଶେ ଏହି ଫର୍ମାଟ୍‌ରୁ ଅବସର ନେଉଥିବା କହିଥିଲେ। ସୀମିତ ଓଭର୍‌ କ୍ରିକେଟ୍‌ରେ ନବୀ ଅଦ୍ୟାବଧି ୧୨୧ଟି ଦିନିକିଆ ଓ ୬୮ଟି ଟି-୨୦ ଅନ୍ତର୍ଜାତୀୟ ୱିକେଟ୍‌ ନେଇଥିବାରୁ ଦଳର ସଫଳତାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ