ଟିନ୍‌ଏଜରଙ୍କ ପାଇଁ ସୋସାଲ ମିଡିଆ ଏବେ ଅତି ଲେମ୍ବୁ...

ଅବସାଦ, ନିଃସଙ୍ଗତା, ହିଂସା ଦେଇ ଘାଣ୍ଟୁଛି

ଆଜିର ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଯୁଗରେ ଟେକ୍ନୋଲୋଜି ଯେତିକି ସୁବିଧା କରିଛି, ସେଇ ଅନୁପାତରେ ଅସୁବିଧାକୁ ମଧ୍ୟ ବଢ଼ାଇ ଚାଲିଛି। ବିଶେଷକରି ଟନ୍‌ଏଜର୍‌ଙ୍କ ପାଇଁ ଏହା ଅତି ଲେମ୍ବୁ ଚିପୁଡ଼ିଲେ ପିତା ସଦୃଶ ହୋଇଛି। ୧୨ ବର୍ଷରୁ ୧୫ ବର୍ଷର କିଶୋର କିଶୋରୀ ସୋସାଲ ମିଡିଆରେ ଏବେ ସବୁଠୁ ଅଧିକ ସମୟ ବିତାଉଛନ୍ତି। ଯାହାକି ସେମାନଙ୍କ ଶାରୀରିକ ସମସ୍ୟା ସହିତ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଉଛି। ୟୁଟ୍ୟୁବ, ଫେସବୁକ, ଇନ୍‌ଷ୍ଟାଗ୍ରାମ, ଟ୍ବିଟରରେ ସକ୍ରିୟ ରହିବା ଏବେ ଯୁବପିଢ଼ିଙ୍କ ଅନ୍ୟ ଏକ ନିଶା ହୋଇଯାଇଛି। ଡାକ୍ତରଙ୍କ କହିବା କଥା ହେଉଛି ଏହା କିଶୋର ମାନଙ୍କ ମାନସିକ ସ୍ବାସ୍ଥ୍ୟକୁ ନିଶ୍ଚିତ ପ୍ରଭାବିତ କରିବ। ଆମେରିକାର ଜନ୍‌ ହପକିନ୍ସ ବିଶ୍ବବିଦ୍ୟାଳୟର ଏକ ରିପୋର୍ଟ ଅନୁଯାୟୀ ୩ ଘଣ୍ଟାରୁ ଅଧିକ ସୋସାଲ ମିଡିଆରେ ବିତାଉଥିବା ବ୍ୟକ୍ତି ଅନ୍ୟ ଲୋକଙ୍କ ତୁଳନଳାରେ ମାନସିକ ରୋଗ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାଏ। ଯେଉଁମାନେ ଦିନରେ ୩ ଘଣ୍ଟା ବା ଏହାଠୁ ଅଧିକ ସମୟ ସୋସାଲ ମିଡିଆରେ ସକ୍ରିୟ ଥାଆନ୍ତି ସେମାନଙ୍କର ଚିଡ଼ଚିଡ଼ା ପଣ ସହ ଅନ୍ୟାନ୍ୟ ରୋଗ ବଢ଼ିଥାଏ। ଗବେଷକମାନଙ୍କ କହିବା କଥା ୩ ଘଣ୍ଟାରୁ ଅଧିକ ସମୟ ସୋସାଲ ମିଡିଆରେ ସକ୍ରିୟ ରହୁଥିବା କିଶୋରମାନେ ଅବସାଦ, ଚିନ୍ତା, ନିଃସଙ୍ଗତା, ହିଂସା, ଅସାମାଜିକ ବ୍ୟବହାର କରିବାକୁ ପଛାଇ ନ ଥାନ୍ତି।

ସୋସାଲ ମିଡିଆରେ ଦୈନିକ ୬ ଘଣ୍ଟାରୁ ଅଧିକ ସମୟ ବିତାଉଥିବା କିଶୋରଙ୍କ ଉପରେ ଏପରି ଆଶଙ୍କା ଅଧିକ ୪ ଗୁଣା ବଢ଼ିଯାଇଥାଏ। ଭିନ୍ନ ଭିନ୍ନ ସହରରେ ୬୫୯୫ କିଶୋରଙ୍କୁ ନେଇ ନିକଟରେ କରାଯାଇଥିବା ଏପରି ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ଆମେରିକାର କିଶୋରମାନେ ସବୁଠୁ ବେଶୀ ସମୟ ସୋସାଲ ମିଡିଆ ସହିତ ବିତାଇ ଥାଆନ୍ତି। ଫେସବୁକ ଓ ୟୁଟ୍ୟୁବ ତଥା ଟିକ୍‌ଟକରେ ଦିନକୁ ଦିନ ଅଧିକ କିଶୋରମାନେ ଯୋଡ଼ି ହେଉଥିବା ଜଣାପଡ଼ିଛି। ଗବେଷଣାରେ ଅଂଶ ଗ୍ରହଣ କରିଥିବା ଆମେରିକୀୟ କିଶୋରମାନଙ୍କ ମଧ୍ୟରୁ ୩୨ ପ୍ରତିଶତ ଦୈନିକ ଦିନକୁ ୩୦ ମିନିଟ, ୩୧ ପ୍ରତିଶତ କିଶୋର ୩୦ ମିନିଟରୁ ୩ ଘଣ୍ଟା ଓ ୮ ପ୍ରତିଶତ ୬ ଘଣ୍ଟାରୁ ଅଧିକ ସମୟ ସୋସାଲ ମିଡିଆରେ ଲାଖି ରହୁଥିବା ମାନିଛନ୍ତି। ନିୟମିତ ସୋସାଲ ମିଡିଆରେ ମାତିଥିବା କିଶୋର ଅନିଦ୍ରାର ଶିକାର ହୋଇଥାନ୍ତି। ସାଇବର ଧମକର ବିପଦ ମଧ୍ୟ ସୃଷ୍ଟି ହୁଏ, ଯାହା ଅବସାଦର ପ୍ରମୁଖ କାରଣ।

କ’ଣ ହୋଇପାରେ ସାଇବର ଧମକ
ଅଭଦ୍ର ଭାଷା, ଛବି ଏବଂ ଧମକ ଆଦି ଇଣ୍ଟରନେଟରେ ଶୁଣିବା ଏକ ନିୟମିତ ଧାରା ହୋଇଯାଇଛି। ଫେସବୁକରେ ଏଭଳି ଅନେକ ପେଜ ରହିଛି ଯେଉଁଠି ସମସ୍ତ ଧର୍ମ ଏବଂ ତାଙ୍କର ଦେବଦେବୀଙ୍କୁ ନେଇ ଅଶୋଭନୀୟ ମନ୍ତବ୍ୟ ଦିଆଯାଇଛି। ଫେସବୁକରେ ଏକାଧିକ ଫେକ ଆକାଉଣ୍ଟ ଚଳାଇବା ଆଜିକାଲି ଏକ ସ୍ବାଭାବିକ ଘଟଣା ହୋଇଛି। ଏଭଳି ସ୍ଥିତିରେ ଠିକ୍‌ ଆଉ ଭୁଲ୍‌ ଲୋକଙ୍କୁ ବାଛି ତାଙ୍କୁ ଦଣ୍ଡଦେବା କାଠିକର ବ୍ୟାପାର। ଫେକ୍‌ ଆଇଡି ଏକ ବଡ଼ ସମସ୍ୟା। ଫେକ୍‌ ଆଇଡିରେ ଅଶ୍ଳୀଳ ଯୌନ ଉଦ୍ଦୀପକ ଭାଷା ଓ ଛବି ପଠାଇବାର ଧାରା ଜାରି ରହିଛି। ଏଭଳି କ୍ଷେତ୍ରରେ ଯେଉଁ କିଶୋର କିଶୋରୀମାନେ ଏହା ପାଉଛନ୍ତି, ସେମାନଙ୍କ ପାଦ ଅବାଟରେ ଖସିଯାଉଛି। ଏକ ରିପୋର୍ଟ ଅନୁଯାୟୀ ୭୯ ପ୍ରତିଶତ କିଶୋର ନେଗେଟିଭ ଅନ୍‌ଲାଇନ ସିଚୁଏସନ ଫେସ କରିଥାନ୍ତି। ନିକଟରେ ପ୍ରକାଶ ପାଇଥିବା ଅନଲାଇନ ଫ୍ୟାମିଲି ରିପୋର୍ଟ ଅନୁଯାୟୀ ୭୯ ପ୍ରତିଶତ କିଶୋର ସାଇବର ଧମକର ଶିକାର ହୋଇଥାନ୍ତି। ଅପପ୍ରଚାର, ଧମକ ଓ ଅଭଦ୍ର ଶବ୍ଦରେ ଭରା ମେସେଜ କିଶୋରଙ୍କୁ ଅବସାଦ ଭିତରକୁ ଟାଣିନେଇଥାଏ। କିନ୍ତୁ ଏକଥା ସତ୍ୟ ଯେ ୩୨ ପ୍ରତିଶତ କିଶୋର ନିଜର ଏହି ଯାତନାକୁ ନିଜ ଅଭିଭାବକମାନଙ୍କୁ ଜଣାଇ ନ ଥାନ୍ତି। ୩୦ ପ୍ରତିଶତ କିଶୋରଙ୍କ ଧାରଣା ଯେ ସେମାନଙ୍କ ପିତାମାତା ଜାଣିଲେ ସେମାନଙ୍କ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୋଇପାରନ୍ତି। ଏହି କାରଣରୁ ସାଇବର ଧମକର ଶିକାର ପିଲାମାନେ ମାନସିକ ଦୁଶ୍ଚିନ୍ତା ଓ ଅବସାଦର ଫାଶ ଭିତରେ ପଡ଼ନ୍ତି। ସେମାନଙ୍କ ଆତ୍ମବିଶ୍ବାସ ଉପରେ ନକାରାତ୍ମକ ପ୍ରଭାବ ପଡ଼େ।

ଏପରି କରନ୍ତୁ

କିଶୋରମାନଙ୍କ ହାତରେ ଦାମୀ ମୋବାଇଲ ଦେଇ ଖୁସି ହୁଅନ୍ତୁ ନାହିଁ। ସେମାନଙ୍କ ଗତିବିଧି ନିରୀକ୍ଷଣ କରନ୍ତୁ ଆଉ ପରାମର୍ଶ ଦିଅନ୍ତୁ। ପିଲାମାନଙ୍କ ସହିତ ଖୋଲାଖୋଲି ସବୁ ବିଷୟରେ ଆଲୋଚନା କରନ୍ତୁ, ଯେପରିକି ପିଲାଟି ଆପଣଙ୍କୁ ତା’ର ସମସ୍ତ ଅନୁଭବ କହିପାରୁଥିବ। ସେମାନଙ୍କୁ ପ୍ରଯୁକ୍ତିର ନିରାପଦ କୌଶଳର ବ୍ୟବହାର ଶିଖାନ୍ତୁ। ପିଲାଟି କେଉଁ କେଉଁ ସାଇଟ ଦେଖୁଛି ସେ ସମ୍ପର୍କରେ ଆଲୋଚନା କରନ୍ତୁ। ଯଦି ମୋବାଇଲ ବା କମ୍ପ୍ୟୁଟର ବ୍ୟବହାର କରୁଥିବା ସମୟରେ ପିଲାଟି ଅବସାଦଗ୍ରସ୍ତ ବା ଚିନ୍ତିତ ଥିବା ଦେଖାଯାଉଛି, ତେବେ ଏହାକୁ ଆଦୌ ଅବହେଳା କରନ୍ତୁ ନାହିଁ। ପିଲାଟିର ବ୍ରାଉଜିଂ ଅଭ୍ୟାସ ଉପରେ ନଜର ରଖନ୍ତୁ ଏବଂ ଘରେ ଥିବା କମ୍ପ୍ୟୁଟରରେ ଫିଲଟରିଂ ସଫ୍ଟୱେର ଲଗାନ୍ତୁ। ପେଣ୍ଟିଙ୍ଗ, ରିଡିଙ୍ଗ, ରାଇଟିଙ୍ଗ ଏବଂ ସ୍ପୋର୍ଟସରେ ସକ୍ରିୟ ଥିବା ପିଲାଙ୍କୁ ରୋଲମଡେଲ କରି ଦେଖାନ୍ତୁ। କ୍ରିକେଟ, ବାସ୍କେଟବଲ, ଟେନିସ ଭଳି ଆଉଟଡୋର ଖେଳ ପ୍ରତି ଆଗ୍ରହ ବୃଦ୍ଧି କରାନ୍ତୁ। ଏସବୁ ହେଲେ ପିଲାଟିର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ହ୍ରାସ ପାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ