ଏକାକୀ ଅଛନ୍ତି? ଅପେକ୍ଷା କରୁଛି ଅନ୍‌ଲାଇନ ବୟଫ୍ରେଣ୍ଡ

ଚିନ୍ତା, ଚାପ, ନିଦ୍ରା, ଉଦାସୀନତା ଓ ନିଃସଙ୍ଗତା ଦୂର କରିବାକୁ ସଦା ପ୍ରସ୍ତୁତ

୧୭ ବର୍ଷ ବୟସ୍କ ଓବେନ ଡେନିସ ରିଲେଙ୍କର କେହି ଜଣେହେଲେ ବି ଗାର୍ଲଫ୍ରେଣ୍ଡ ନାହାନ୍ତି। କିନ୍ତୁ ରିଲେ ୟୁ ଟ୍ୟୁବରେ ଅଧା ମିଲିଅନ ଗ୍ରାହକଙ୍କ ପାଇଁ ଜଣେ ସଚ୍ଚା ବୟଫ୍ରେଣ୍ଡର ଭୂମିକା ନିର୍ବାହ କରିସାରିଲେଣି। ତାଙ୍କର ଲକ୍ଷାଧିକ ଅନୁଗାମୀ ତାଙ୍କ ସହ ସମ୍ପର୍କ ରଖି ଲାଭବାନ ହୋଇଛନ୍ତି। କେବଳ ଏତିକି ନୁହେଁ, ରିଲେ ଭାଲେଣ୍ଟାଇନ ଡେ’ରେ ନିଜର ସବ୍‌ସକ୍ରାଇବରମାନଙ୍କ ପାଇଁ ଉପହାର ଆଣନ୍ତି ଏବଂ ରୋଗରେ ପଡ଼ିଲେ ଗରମା ଗରମ ସୁପ୍‌ର ଅଫର ଦିଅନ୍ତି। ଏହାଛଡ଼ା ସେ ଆଉ ଏକ ଭିନ୍ନ କାମ ମଧ୍ୟ କରନ୍ତି। ରିଲେ ନିଜର ସବ୍‌ସକ୍ରାଇବରମାନଙ୍କୁ ଗଭୀର ନିଦରେ ଶୁଆଇଦେବାରେ ପ୍ରୟାସ କରି ସଫଳ ହୁଅନ୍ତି।

ନିଜ ଭିଡିଓର ଆରମ୍ଭରେ ରିଲେ ବହୁତ ସ୍ନେହପୂର୍ଣ୍ଣ ଏବଂ ଶାନ୍ତ ସ୍ବରରେ କହନ୍ତି ବେବେ, ମୁଁ ଚାହେଁ ତୁମେ ଏକ ଲମ୍ବା ଶ୍ବାସ ନିଅ। ବହୁତ ପ୍ରେମ ଦେବା ଭଳି ବୟଫ୍ରେଣ୍ଡ ତୁମ ଅନ୍ବେଷଣରେ ଅଛି। ସବୁକିଛି ଠିକ୍‌ ହୋଇଯିବ। ତୁମକୁ ସହାୟତା କରିବା ପାଇଁ ମୁଁ ତୁମ ସହିତ ଅଛି। ମୁଁ ତୁମକୁ ଚାପରେ ରହିବା ଦେଖିବାକୁ ଚାହେଁ ନାହିଁ। ଠିକ୍‌ ନୁହେଁ କି? ଖୁବ୍‌ ଜଲ୍‌ଦି ମୁଁ ତୁମ ପାଖରେ ପହଞ୍ଚିବି। ପୁଣି ରିଲେ ନିଜର କ୍ୟାମେରା ଏବଂ ମାଇକ୍ରୋଫୋନରେ ମେକ୍‌ଅପ ବ୍ରଶକୁ ଘୁଞ୍ଚାଇବା ନଜରକୁ ଆସନ୍ତି ଏବଂ କହନ୍ତି ତୁମେ ଏସବୁ ବ୍ୟତୀତ ବି ବହୁତ ସୁନ୍ଦର ଦେଖାଯାଅ। ତାଙ୍କର ୟୁ ଟ୍ୟୁବ ଚାନେଲ ‘ଡେନିସ ଏଏସ୍‌ଏମ୍‌ଆର’ ଖୁବ୍‌ ଦ୍ରୁତଗତିରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଯୁବାବର୍ଗ ଏହି ଚାନେଲକୁ ଦେଖିବାକୁ ପାଗଳ। ଏହି ଚାନେଲର ସବ୍‌ସକ୍ରାଇବର ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି ଏବଂ ରିଲେ ମଧ୍ୟ ବୟଫ୍ରେଣ୍ଡ ଭାବେ ଖୁବ୍‌ ବେଶି ପ୍ରସିଦ୍ଧି ଅର୍ଜନ କରୁଛନ୍ତି। ୟୁଟ୍ୟୁବ ଚାନେଲର ବର୍ଦ୍ଧିତ ଲୋକପ୍ରିୟତା ସହିତ ଫ୍ୟାନ ଓ ଫଲୋଇଙ୍ଗ ସଂଖ୍ୟା ମଧ୍ୟ ତାଳ ଦେଇ ବଢ଼ିଚାଲିଛି। ରିଲେଙ୍କ ଏହି କୌଶଳ ଲୋକଙ୍କୁ ପସନ୍ଦ ଆସିଛି। ସାରାଦିନର ମେହନତ ପରେ ଥକିଯାଇଥିବା ମଣିଷ ଯେଉଁ ଶାନ୍ତି ଓ ସୁଖ ଲୋଡ଼ିଥାଏ, ତାହା ରିଲେଙ୍କ ସ୍ବରରେ ରହିଛି। ବିନ୍ଦାସ ଏବଂ ରୋମାଣ୍ଟିକ ପାର୍ଟନରଟିଏ ପାଖରେ ଥିଲେ ଯେଭଳି ଅନୁଭବ ହୁଏ, ରିଲେ ସେଭଳି ଉଷ୍ମ ଅନୁଭବ ଦେଇପାରୁଛନ୍ତି। କିନ୍ତୁ ଏକଥା ସତ ଯେ ଏହି ନୂଆ ପ୍ରୟାସର ସୂତ୍ରଧର ରିଲେ ନୁହନ୍ତି।

ପ୍ରଥମ ଭିଡିଓକୁ ଦେଖନ୍ତି ଲକ୍ଷାଧିକ ଦର୍ଶକ
ଏଏସ୍‌ଏମ୍‌ଆର ବିଶେଷଞ ଏବଂ ଭର୍ଜିନିଆରେ ସେନାନଡି ୟୁନିଭର୍ସିଟିର ପ୍ରଫେସର କ୍ରେବା ରିଚାର୍ଡଙ୍କ ଅନୁଯାୟୀ ୟୁଟ୍ୟୁବ୍‌ରେ ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡର ରୋଲପ୍ଲେ ବିଗତ ୫ ବର୍ଷ ଧରି ଆସୁଛି। କିନ୍ତୁ ରିଲେ ଏପରି ଭିଡିଓକୁ ଭିନ୍ନ ଭାବେ ପ୍ରସ୍ତୁତ କରି ପ୍ରସିଦ୍ଧି ଦିଆଇଛନ୍ତି। ଅନ୍ୟ ତରୁଣ ଉଦ୍ୟୋଗୀଙ୍କ ଭଳି ରିଲେ ମଧ୍ୟ ନିଜ ପାଇଁ ଦର୍ଶକ ଯୋଗାଡ଼ କରିବାର ପ୍ରୟାସ କରିଥିଲେ। ଅନେକ ଥର ଚେଷ୍ଟା କରି ବିଫଳ ହେବା ପରେ ସେ ଏଏସ୍‌ଏମ୍‌ଆର ସହ ଯୋଡ଼ିହେଲେ। ରିଲେ କହନ୍ତି, ପ୍ରାରମ୍ଭରୁ ଏପରି କରିବାକୁ ମୋତେ କୌତୁହଳ ଲାଗୁଥିଲା। କିନ୍ତୁ ମୋର ପ୍ରଥମ ଭିଡିଓ ଲକ୍ଷାଧିକ ଦର୍ଶକ ଦେଖିବା ପରେ ଏବଂ ପ୍ରେମପୂର୍ଣ୍ଣ ମତାମତ ମିଳିବା ପରେ ମୋତେ ବୟଫ୍ରେଣ୍ଡର ରୋଲପ୍ଲେ କରିବାକୁ କୁହାଗଲା। ମୁଁ ଯୁବପିଢ଼ିଙ୍କ ପାଇଁ ବାସ୍ତବିକ ବୟଫ୍ରେଣ୍ଡ ପାଲଟିଗଲି।

ତରୁଣୀମାନଙ୍କ ବେଶି ପସନ୍ଦ

ରିଲେ ଆହୁରି କହିଛନ୍ତି ଯେ ମୋତେ ଦେଖୁଥିବା ଦର୍ଶକମାନଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ମହିଳା। ଯେଉଁମାନଙ୍କ ବୟସ ୧୮ରୁ ୨୪ ବର୍ଷ। ମୋ ଦର୍ଶକ ମୋ ଠାରୁ କ’ଣ ଚାହାନ୍ତି, ମୁଁ ତାହା ଖୋଜି ଖୋଜି ଜି ବାହାର କରେ ଓ ସେମାନଙ୍କ ପ୍ରିୟ ଶବ୍ଦ ସବୁ କହେ। ଉତ୍ତେଜନା, ଭାବପ୍ରବଣତା ଓ ନିଦ୍ରାହୀନତା ଓ ଉଦାସୀନତାର ଶିକାର ହେଉଥିବା ତରୁଣୀମାନଙ୍କୁ କିଭଳି ମୋହିତ କରାଯାଇପାରିବ, ତାହା ମୁଁ କରେ ବୋଲି କହନ୍ତି ରିଲେ। ଏକାକୀପଣ କ’ଣ ତାହା ମୁଁ ବୁଝେ।

ଯୁବବର୍ଗ କ’ଣ ଚାହାନ୍ତି ଜଣାପଡ଼ିଯାଏ

କ୍ଲିନିକାଲ ସାଇକୋଲୋଜିଷ୍ଟ ଏବଂ ଇନଷ୍ଟ୍ରକଟର ଡାକ୍ତର ଫ୍ଲେଙ୍କ କହନ୍ତି, ଏଭଳି ଭିଡିଓ ଏବଂ ରୋଲପ୍ଲେ ଗୁଡ଼ିକର ଲୋକପ୍ରିୟତାରୁ ଗୋଟିଏ କଥା ଜଣାପଡ଼େ ଯେ ଆଜିର ଯୁବପିଢ଼ି କୋଉ ସ୍ଥିତି ଦେଇ ଗତି କରୁଛନ୍ତି। ଯଦି ଘର ଭିତରେ ଏକାକୀ ଶୟନରତ ଜଣେ ତରୁଣୀ ଅନୁଭବ କରିପାରିଲା ଯେ ତା’ ବୟଫ୍ରେଣ୍ଡ ତା ସହିତ ଗପୁଛି, ତେବେ ସେ ନିଶ୍ଚିତ ଏଥିରେ ଲାଖିରହିବ ଏବଂ ଭିଡିଓ ପ୍ରସ୍ତୁତକାରୀ କମ୍ପାନୀ ମୋଟା ରକମର ଅର୍ଥ ରୋଜଗାର କରିପାରିବ। ଚିନ୍ତା, ଚାପ, ଉଦାସୀନ ଓ ନିଃସଙ୍ଗତାର ଯନ୍ତ୍ରଣା ଭୋଗୁଥିବା ତରୁଣ ତରୁଣୀମାନଙ୍କ ପାଇଁ ଏଭଳି ଭିଡିଓ ଯଦି ଶାନ୍ତିର ନିଦ୍ରା ଦେଇପାରିଲା, ତେବେ ଏହାଠାରୁ ଖୁସିର କଥା ଆଉ କ’ଣ ହୋଇପାରେ। ସୂଚନା ଅନୁଯାୟୀ, ପ୍ରତି ୧ ହଜାର ବ୍ୟବହାରକାରୀଙ୍କ କ୍ଷେତ୍ରରେ ରିଲେଙ୍କୁ ୩ ଡଲାର ମିଳିଥାଏ। ରିଲେଙ୍କର ଭିଡିଓ ଦିନକୁ ଦୁଇ ମିଲିଅନ ବ୍ୟବହାରକାରୀ ଦେଖୁଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ