ଜୟପୁର ଜଙ୍କସନ ଦେଶର ନଂ.୧ ସ୍ବଚ୍ଛ ରେଳଷ୍ଟେସନ

ଶୀର୍ଷ ୧୦ରେ ରାଜସ୍ଥାନର ୬ଟି ରେଳଷ୍ଟେସନ, ଖସିଲା ଭୁବନେଶ୍ବର

ରାଜସ୍ଥାନର ଜୟପୁର ଜଙ୍କସନକୁ ଦେଶର ସବୁଠୁ ପରିଷ୍କାର ରେଳଷ୍ଟେସନ ଭାବେ ଘୋଷଣା କରାଯାଇଛି। ଏହିକ୍ରମରେ ଯୋଧପୁର ରେଳଷ୍ଟେସନ ମଧ୍ୟ ଦ୍ବିତୀୟ ସ୍ଥାନ ବଜାୟ ରଖିଛି। ରେଳବାଇ ପକ୍ଷରୁ ସ୍ବଚ୍ଛ ରେଳ-ସ୍ବଚ୍ଛ ଭାରତର ଅଭିଯାନର ଅଂଶସ୍ବରୂପ ଦେଶର ବିଭିନ୍ନ ରେଳଷ୍ଟେସନ ଗୁଡ଼ିକର ସର୍ଭେ ମୂଲ୍ୟାଙ୍କନ କରାଯାଇଥିଲା। ସର୍ଭେ ରିପୋର୍ଟ ବୁଧବାର ପ୍ରକାଶ ପାଇଛି। ସ୍ବଚ୍ଛତା ସର୍ଭେରେ ଦେଶର ଶ୍ରେଷ୍ଠ ୧୦ ତାଲିକାରେ ରାଜସ୍ଥାନର ୬ଟି ରେଳଷ୍ଟେସନ ଥିବା ଜଣାଯାଇଛି। ଜୟପୁର ଶୀର୍ଷରେ ଥିବାବେଳେ ଯୋଧପୁର ୨ ନମ୍ବର ଓ ଗାନ୍ଧିନଗର, ଉଦୟପୁର ଓ ଆଜମେର ଶ୍ରେଷ୍ଠ ୧୦ ରେଳଷ୍ଟେସନରେ ସ୍ଥାନ ପାଇଛନ୍ତି। ଦେଶର ଅନ୍ୟ ୪ଟି ସ୍ବଚ୍ଛ ରେଳଷ୍ଟେସନ ହେଉଛି ଜମ୍ମୁତାୱି, ସୁରତଗଡ଼, ବିଜୟୱାଡା ଓ ହରିଦ୍ବାର। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଦେଶ ବିଦେଶର ବହୁ ଶିକ୍ଷିତ ଲୋକ ବସବାସ କରୁଥିବା ବେଳେ ଏଠାକାର ଗୋଟିଏ ବି ରେଳଷ୍ଟେସନ ସ୍ବଚ୍ଛତା ତାଲିକାର ଶୀର୍ଷ ୧୦ ମଧ୍ୟରେ ନାହିଁ। ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ ୨୬ତମ ସ୍ଥାନରେ ଥିବାବେଳେ ହଜରତ ନିଜାମୁଦ୍ଦିନ ୨୪୧ ତମ ସ୍ଥାନରେ ରହିଛି। ନୂଆଦିଲ୍ଲୀ ରେଳଷ୍ଟେସନ ୧୬୫ତମ ସ୍ଥାନରେ ଥିବାବେଳେ ଛାବଭୀ ୩୮୯ ଓ ଶହାରୋ ୩୭୮ତମ ସ୍ଥାନରେ ରହିଛି। ଭୁବନେଶ୍ବର ରେଳଷ୍ଟେସନ ଏଥର ୮୭ତମ ସ୍ଥାନରେ ରହିଛି। ଦେଶର ୭୨୦ଟି ରେଳଷ୍ଟେସନକୁ ନେଇ କରାଯାଇଥିବା ରାଙ୍କରେ ଭୁବନେଶ୍ବର ତାର ପୂର୍ବ ରେକର୍ଡ ହରାଇଛି। ଭୁବନେଶ୍ବର ୮୭ତମ ସ୍ଥାନରେ ଥିବାବେଳେ କଟକ ୧୯୧ ସ୍ଥାନରେ ରହିଛି। ସେହିପରି ରାଉରକେଲା ୧୯୪, ଯାଜପୁର କେନ୍ଦୁଝର ରୋଡ଼ ୨୬୬, ସମ୍ବଲପୁର ୨୯୩, ଭଦ୍ରକ ୩୧୭, ବାଲେଶ୍ବର ୩୭୨, ରାୟଗଡ଼ା ୩୭୪, ପୁରୀ ୪୦୧, ଖୋର୍ଦ୍ଧା ରୋଡ଼ ୪୧୫ ତମ ସ୍ଥାନରେ ରହିଛି। ସେହିଭଳି ଟିଟିଲାଗଡ଼ ଜଙ୍କସନ ୩୩୯, ବ୍ରହ୍ମପୁର ୪୪୫, ବାଲୁଗାଁ ୪୭୩, ବଲାଙ୍ଗିର ୫୩୭, କେସିଙ୍ଗା ୫୮୫ ଓ ଝାରସୁଗୁଡ଼ା ୮୯୪ ସ୍ଥାନରେ ଥିବା ଜଣାପଡ଼ିଛି।

୭୨୦ ରେଳଷ୍ଟେସନ ପାଇଁ ହୋଇଥିଲା ସର୍ଭେ
ଭାରତୀୟ ରେଳ ସ୍ବଚ୍ଛ ରେଳ ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଦେଶର ୭୨୦ ରେଳଷ୍ଟେସନର ସଫେଇ ବ୍ୟବସ୍ଥାକୁ ନେଇ ତୃତୀୟ ପକ୍ଷ ସର୍ଭେ ଆୟୋଜନ କରାଯାଇଥିଲା। ଏହି ସର୍ଭେରେ ସମସ୍ତ ଜୋନ ମଧ୍ୟରୁ ଉତ୍ତର ପଶ୍ଚିମ ରେଳବାଇ ୪୮.୭ ଅଙ୍କ ହାସଲ କରି ପ୍ରମୁଖ ସ୍ଥାନ ଅଧିକାର କରିଥିଲା। ସେହିପରି ପଶ୍ଚିମ-ମଧ୍ୟ ରେଳବାଇ ଅନ୍ତର୍ଗତ କୋଟା ଷ୍ଟେସନକୁ ୨୭୪, ଗଙ୍ଗାପୁର ସିଟିକୁ ୨୯୧, ବୁନ୍ଦିକୁ ୩୪୧, ରାମଗଞ୍ଜ ମଣ୍ଡିକୁ ୫୪ତମ ସ୍ଥାନ ମିଳିଛି। ଟପ୍‌ ଟେନରେ ଜୟପୁର, ଯୋଧପୁର, ଦୁର୍ଗାପୁର, ଗାନ୍ଧିନଗର, ସୁରତଗଡ଼, ଉଦୟପୁର ସିଟି ଏବଂ ଆଜମେରକୁ ସ୍ଥାନ ମିଳିଥିବାବେଳେ ଏହି ଜୋନର ୧୦୦ ରେଳଷ୍ଟେସନ ମଧ୍ୟରୁ ୧୯ଟି ଷ୍ଟେସନ ସ୍ଥାନ ପାଇ ଜୋନର ମର୍ଯ୍ୟାଦା ବୃଦ୍ଧି କରିଥିବା କୁହାଯାଉଛି। ଭୁବନେଶ୍ବର ରେଳଷ୍ଟେସନ ସଫାସୁତୁରାରେ ଦେଶର ୭୦୦ରୁ ଅଧିକ ଷ୍ଟେସନ ମଧ୍ୟରୁ ୮୭ତମ ସ୍ଥାନ ପାଇଥିବା ବେଳେ ସହର ଭିତରେ କିନ୍ତୁ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି।

ଷ୍ଟେସନର ସଫେଇରୁ ଶିଖୁନାହାନ୍ତି ରାଜ୍ୟ ସରକାର
ଭୁବନେଶ୍ବର ରେଳଷ୍ଟେସନ ଭିତରେ ସବୁ ସମୟରେ ଲୋକାରଣ୍ୟ ଦେଖିବାକୁ ମିଳୁଛି। ହଜାର ହଜାର ଯାତ୍ରୀ ଆତଯାତ କରୁଥିବା ବେଳେ ଷ୍ଟେସନ କିନ୍ତୁ ସବୁବେଳେ ଚକାଚକ। ୧ ନମ୍ବର ପ୍ଲାଟଫର୍ମରେ କାଗଜ ଟୁକୁଡ଼ା ଖଣ୍ଡିଏ କି ଜରି ଟିକିଏ ପଡ଼ିଥିବା ଦେଖିବାକୁ ମିଳୁନି। କିନ୍ତୁ ଟିକିଏ ବାହାରକୁ ବାହାରିଲେ ପୂତିଗନ୍ଧମୟ ପରିବେଶ। ୪ ନମ୍ବର ପ୍ଲାଟଫର୍ମ ବାହାରକୁ ବାହାରିବା ମାତ୍ରେ ପ୍ରଥମେ ନର୍ଦ୍ଦମା ପାଣି, ବର୍ଜ୍ୟବସ୍ତୁ ଓ ସଡ଼କ ଦଖଲର ଚିତ୍ର ସାମ୍ନାକୁ ଆସିଥାଏ। ଷ୍ଟେସନ ଓ ବାହାରେ ସଫାସୁତୁରାରେ ବଡ଼ ଧରଣର ଫରକ କିଭଳି ଦେଖିବାକୁ ମିଳୁଛି, କେବେ ଏହାକୁ ନେଇ ଚିନ୍ତା କରୁନି ମହାନଗର ନିଗମ। ଷ୍ଟେସନର କର୍ମଚାରୀମାନେ ନିଷ୍ଠାର ସହ କାମ କରୁଥିବା ବେଳେ ମହାନଗର ନିଗମର କର୍ମଚାରୀମାନେ ସ୍ବଚ୍ଛତାକୁ କାହିଁକି ଗୁରୁତ୍ବ ଦେଉନାହାନ୍ତି ପ୍ରଶ୍ନରେ ମିଳୁଛି ଗୋଟିଏ ଉତ୍ତର - ଏହା ପଛରେ ରାଜନୀତି ହିଁ ମୁଖ୍ୟ କାରଣ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ