ଭୂକମ୍ପ ପୀଡ଼ିତଙ୍କ ସହାୟତା ପାଇଁ ୫ ଟଙ୍କାରେ ଦସ୍ତଖତ ବିକିଥିଲେ ବାପୁ


ମୋହନ ଦାସ କରମ ଚାନ୍ଦ ଗାନ୍ଧିଠାରୁ ମହାତ୍ମା ପର୍ଯ୍ୟନ୍ତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅଭିଯାନ ବିହାରର ଚମ୍ପାରନ୍‌ଠାରୁ ଆରମ୍ଭ ହୋଇଥିବା ବେଳେ ଏହି ରାଜ୍ୟର ଅନ୍ୟ ଏକ ସ୍ଥାନରେ ଏକଦା ବାପୁ ନିଜର ଦସ୍ତଖତକୁ ମାତ୍ର ୫ ଟଙ୍କାରେ ବିକ୍ରି କରିଥିଲେ। ଗୋଟିଏ ଦସ୍ତଖତ ପିଛା ୫ ଟଙ୍କା ଲେଖାଏଁ ସଂଗ୍ରହ କରି ମହାତ୍ମା ଗାନ୍ଧି ଭୂକମ୍ପ ପୀଡ଼ିତଙ୍କ ସହାୟତା କରିଥିଲେ। ବିହାରର ଭାଗଲପୁରଠାରେ ଗତ ୧୯୩୪ ମସିହା ମେ’ରେ ଅନୁଭୂତ ହୋଇଥିବା ଭୂକମ୍ପରେ ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ସେଠାରେ କଂଗ୍ରେସ ପକ୍ଷରୁ ରିଲିଫ୍ ଯୋଗାଣ କାର୍ଯ୍ୟର ତଦାରଖ ପାଇଁ ଗାନ୍ଧି ପହଞ୍ଚିଥିଲେ। ସେ ସହରର ଲଜପତ୍‌ ପାର୍କସ୍ଥିତ ବରିଷ୍ଟର୍‌ ତଥା ସ୍ବାଧୀନତା ସଂଗ୍ରାମୀ ଦୀପ ନାରାୟଣ ସିଂହଙ୍କ ବାସଭବନରେ ରହିଥିଲେ। ସେଠାରେ ଗାନ୍ଧିଙ୍କୁ ଭେଟିବା ସକାଶେ ଅନେକ ଲୋକଙ୍କର ସମାଗମ ହୋଇଥିଲା।

ଏହି ସମାଗମରେ ଉପସ୍ଥିତ ଥିବା ଗାନ୍ଧିପ୍ରେମୀମାନେ ତାଙ୍କର ହସ୍ତାକ୍ଷର ଚାହୁଁଥିଲେ। ଗାନ୍ଧିଜୀ ଏହି ସୁଯୋଗର ଫାଇଦା ଉଠାଇଥିଲେ ଓ ପ୍ରତି ହସ୍ତାକ୍ଷର ପାଇଁ ୫ ଟଙ୍କା ଲେଖାଏଁ ଦାବି କରିଥିଲେ। ଉପସ୍ଥିତ ଜନସାଧାରଣ ୫ ଟଙ୍କା ଲେଖାଏଁ ଦେଇ ଗାନ୍ଧିଜୀଙ୍କ ହସ୍ତାକ୍ଷର ସଂଗ୍ରହ କରିଥିଲେ। ଏ ବାବଦରେ ଢେର୍‌ କିଛି ପଇସା ରୋଜଗାର ହୋଇପାରିଥିବା ବେଳେ ପରେ ଗାନ୍ଧିଜୀ ଏହାକୁ ଭୂକମ୍ପ ପୀଡ଼ିତଙ୍କ ସହାୟତାରେ ଲଗାଇଥିଲେ ବୋଲି ଗାନ୍ଧିବାଦୀ କୁମାର କ୍ରିଶନ୍‌ କହିଛନ୍ତି।  ତା’ଛଡ଼ା ଗାନ୍ଧିଜୀ ଯେଉଁଠି ଅବସ୍ଥାନ କରିଥିଲେ, ତାହାକୁ ପରବର୍ତ୍ତୀ ସମୟରେ ଐତିହାସିକ କୀର୍ତ୍ତିରାଜିରେ ପରିଣତ କରିଦିଆଯାଇଛି। ସ୍ବାଧୀନତା ପରେ ଭାଗଲପୁର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ତାଙ୍କ ବାସଭବନକୁ ସରକାରଙ୍କୁ ଦାନ ଦେବା ପରେ ଭାରତ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା।

ତେବେ ଭାଗଲପୁର ସହରକୁ ଗାନ୍ଧିଜୀ ପ୍ରଥମ ଥର ପାଇଁ ଗସ୍ତ କରି ନ ଥିଲେ। ପୂର୍ବରୁ ସେ ଦୁଇ ଦୁଇ ଥର ଏଠାକୁ ଆସିଥିଲେ। ୧୯୧୭ ଅକ୍ଟୋବର ୧୫ ତାରିଖରେ ଭାଗଲପୁରର କଥଲବାଡି ଅୟ୍ଚଳରେ ବିହାର ଛାତ୍ର ସଂଘ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଭାଗ ନେବା ସକାଶେ ଗାନ୍ଧିଜୀ ଏଠାରେ ପହଞ୍ଚିଥିଲେ। ଏହି ସମ୍ମିଳନୀରେ ଗାନ୍ଧିଜୀ ହିନ୍ଦୀ ଭାଷାରେ ଅଭିଭାଷଣ ଦେବା ସହ ଏହାକୁ ଦେଶବାସୀଙ୍କ ଭାଷା ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଭାଗ ନେଇଥିବା ସରୋଜିନୀ ନାଇଡୁ ଇଂରାଜୀରେ ଅଭିଭାଷଣ ଦେଇଥିଲେ ଏହାକୁ ହିନ୍ଦୀ ଭାଷାରେ ଖବରକାଗଜରେ ଛପାଯାଇଥିଲା। ପରେ ୧୯୨୦ ଡିସେମ୍ବରରେ ଗାନ୍ଧିଜୀ ପୁଣିଥରେ ଭାଗଲପୁର ଆସିଥିଲେ। ତିଲ୍‌ହା କୋଠିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ଗାନ୍ଧିଜୀ ଆସିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ