‘ଅହିଂସା’ ସମାଜ ସଂସ୍କାର ପାଇଁ ଅମୋଘ ଅସ୍ତ୍ର: ଡ. ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌

ମହାତ୍ମା ଗାନ୍ଧିଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀରେ ଜଣାଇଥିଲେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଇତିହାସ କହେ, ଅହିଂସା ଉପାୟ ଅବଲମ୍ବନ କରି ମହାତ୍ମା ଗାନ୍ଧି କୌଣସି ବି ବ୍ୟକ୍ତିଙ୍କ ତୁଳନାରେ ସାମାଜିକ ସମସ୍ୟାର ସମାଧାନ ଦିଗରେ ସର୍ବାଧିକ ଅବଦାନ ଦେଇଛନ୍ତି। ଏହି କ୍ରମରେ ଭାରତୀୟ ସନ୍ଥଙ୍କ ତୁଳନାରେ ତାଙ୍କୁ ଅଧିକ ମାନ୍ୟତା ପ୍ରଦାନ କରାଯାଏ। ଆବ୍ରାହମ୍‌ ଲିଙ୍କନ୍‌ଙ୍କ ଭଳି କିମ୍ବଦନ୍ତୀଙ୍କ ସମକକ୍ଷ ସେ। ଆମେରିକାର ଆଲବାମା ଅନ୍ତର୍ଗତ ମଣ୍ଟଗୋମେରୀ ଠାରେ ବର୍ଣ୍ଣ ବୈଷମ୍ୟବାଦ ବିରୋଧରେ ସଂଗ୍ରାମ ଚାଲିଥିବା ବେଳେ ମୁଁ ମୋ ଯୁବାବସ୍ଥାରେ ଅନୁଭବ କରିଥିଲି ଯେ, ଗାନ୍ଧିଜୀଙ୍କ ‘ଅହିଂସା’ ଓ ଖ୍ରୀଷ୍ଟିୟ ମୁଳମନ୍ତ୍ର, ‘ପ୍ରେମ’ର ସମିଶ୍ରଣ ହିଁ ନିଗ୍ରୋମାନଙ୍କ ସ୍ବାଧୀନତା ଓ ମାନବିକ ମର୍ଯ୍ୟାଦାର ସଂଘର୍ଷ ପାଇଁ ଅମୋଘ ଅସ୍ତ୍ର। ଗାନ୍ଧିଜୀଙ୍କ ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଶୈଳୀ ଆମେରିକାରେ ବର୍ଣ୍ଣବୈଷମ୍ୟବାଦର ଅନ୍ତ ଘଟାଇବାରେ ସହାୟକ ହେବ ବୋଲି ମୋର ବିଶ୍ବାସ ଜନ୍ମିଥିଲା। ସମାଜର ନିଷ୍ପେସିତ ଲୋକମାନେ ହିଂସାକୁ ନ ଆପଣାଇ ଦୃଷ୍ଟ ଶକ୍ତିଙ୍କ ପ୍ରତିରୋଧ କରିପାରିବେ ବୋଲି ଗାନ୍ଧିଜୀଙ୍କ ଦୃଢ ଧାରଣା ସଦାସର୍ବଦା ଅବିସ୍ମରଣୀୟ ହୋଇ ରହିବ। ଏହା କହିଥିଲେ ଆମେରିକାର ପ୍ରଖାତ୍ୟ ସମାଜସେବୀ, ନୋବେଲ୍‌ ଶାନ୍ତି ପୁରସ୍କାର ବିଜେତା ତଥା ନାଗରିକ ଅଧିକାର ସଂଘର୍ଷର ପୁରୋଧା ଡ. ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌ ଜୁନିଅର୍‌। ଜାନୁଆରୀ ୩୦ ୧୯୫୮ରେ ମହାତ୍ମା ଗାନ୍ଧିଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଅବସରରେ ସେ ତାଙ୍କୁ ଏପରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଡ. ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌ ଆହୁରି କହିଥିଲେ, ଆନ୍ତର୍ଜାତୀୟ ସ୍ତରରେ ସମସ୍ୟା ଉପୁଜିବା ବେଳେ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶ ବେଶ୍‌ ଉପଯୋଗୀ ହୋଇଥାଏ। ଏହା ବିଶ୍ବବାସୀଙ୍କ ଆତ୍ମ ଚେତନାକୁ ଜାଗ୍ରତ କରିଥାଏ। ଆମେ ସଭିଁଏ ଯେଉଁଭଳି ଭାବେ ନିଜ ସାଧନର ଦୁରୁପଯୋଗ କରି ଧ୍ବଂସାଭିମୁଖୀ ହେଉଛେ, ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ଅନୁସରଣ କରି ସେଥିରୁ ମୁକ୍ତି ପାଇପାରିବା। ଏବେ ହିଂସା ଓ ଅହିଂସା ମଧ୍ୟରୁ କେଉଁଟିକୁ ବାଛିବା, ସେ ସମୟ ଆଉ ନାହିଁ। ବରଂ ଅହିଂସାକୁ ବାଛିବା ନା ନିଜ ସତ୍ତାକୁ ଲୋପ କରିବା, ତାହା ଉପରେ ବିଚାର କରିବାକୁ ହେବ।

ନିଷ୍ପେସିତ ଲୋକଙ୍କ ପାଇଁ ଅତ୍ୟାଚାରରୁ ତ୍ରାହି ପାଇବା ସକାଶେ ତିନୋଟି ମାର୍ଗ ରହିଛି। ପ୍ରଥମଟି ହେଲା,  ସେମାନଙ୍କୁ ଏହା ଗ୍ରହଣ କରିବା ବା ଏଥିରେ ସନ୍ତୁଷ୍ଟ ରହିବା। ଦ୍ବିତୀୟଟି ହେଲା, ପୃଥକ୍‌ ହୋଇ ଏହା ସହିତ ଖାପ ଖୁଆଇ ଚଳିବା। ଏ ଦିଗରେ ଦୃଷ୍ଟ ଶକ୍ତିମାନଙ୍କ ସହ ଅସହଯୋଗ ଅର୍ଥାତ ଭଲ ସହ ସହଯୋଗ, ଯାହାକି ଏକ ନୈତିକ ଦାୟିତ୍ବ। ତୃତୀୟଟି ହେଲା ହିଂସାକୁ ଆପଣାଇବା, ଯାହାକୁ ଚିରାଚରିତ ଭାବେ ପ୍ରଚଳିତ ହୋଇ ଆସୁଛି। ହୁଏତ ହିଂସା ସାମୟିକ ଭାବେ ବିଜୟ ଆଣିଦେଇପାରେ, କିନ୍ତୁ ସ୍ଥାୟୀ ଭାବେ ଶାନ୍ତି ନୁହେଁ। ଏହା ନୂଆ ସମସ୍ୟା ସୃଷ୍ଟି କରିଥାଏ। ମାତ୍ର ଗାନ୍ଧିଜୀ ଏହାର ଏକ ନୃତନ ବିକଳ୍ପ ବାହାର କରିଛନ୍ତି। ତାଙ୍କ ନୀତି ଅନୁଯାୟୀ ଦୃଷ୍ଟ ଶକ୍ତି ତଥା ହିଂସା ସୃଷ୍ଟିକାରୀ ଉଭୟଙ୍କୁ ପ୍ରତିରୋଧ କରିବାକୁ ହେବ। କିନ୍ତୁ ବାହ୍ୟ ହିଂସା ଓ ଆତ୍ମାର ହିଂସା ବିନା ଏହା କରିବାକୁ ହେବ। ଅସଲରେ ଗାନ୍ଧିଜୀଙ୍କ ଏହି ନୀତି ଶକ୍ତିଶାଳୀଙ୍କ ପାଇଁ ଉର୍ଦ୍ଦିଷ୍ଟ, ଯେଉଁମାନେ ନୈତିକ ଓ ବୌଦ୍ଧିକ ସ୍ତରରେ ହିଁ ଶକ୍ତିଶାଳୀ। ଯଦି ଭୀରୁତା ଓ ହିଂସା ମଧ୍ୟରେ ଏକମାତ୍ର ବିକଳ୍ପ ରହିଛି, ତେବେ ଗାନ୍ଧିଜୀଙ୍କ କହିବା ଅନୁଯାୟୀ ତାହା ହେଉଛି ଭିନ୍ନ ବିକଳ୍ପ ‘ଅହିଂସା’। ଏହି ଭିନ୍ନ ଉପାୟରେ ହିଂସାର ଉପଯୋଗ କରି ସଫଳତା ପାଇ ହେବ।

ମୁଁ ଏହି ଅନ୍ତଃଦୃଷ୍ଟି ଗାନ୍ଧିଜୀଙ୍କ ଠାରୁ ଶିକ୍ଷାଲାଭ କରିଛି। ମୁଁ ଧାର୍ମିକ ବିଦ୍ୟାଳୟରେ ଥିବାବେଳେ ଭାବୁଥିଲି ଯେ ଆମେ ଆମ ସମସ୍ୟାର ସମାଧାନ ପୃଥକ୍‌ ହୋଇ ଅସ୍ତ୍ରଶସ୍ତ୍ରଜନିତ ସଂଘର୍ଷ ଜରିଆରେ କରିପାରିବା। ଖ୍ରୀଷ୍ଟିୟ ପ୍ରେମ କେବଳ ବ୍ୟକ୍ତିଗତ ସ୍ତରରେ ହିଁ ସୀମିତ। ସାମାଜିକ ସଂଘର୍ଷରେ ଏହା କିପରି ଉପଯୋଗ ହୋଇପାରିବ, ତାହା ମୋ ଚିନ୍ତା ଶକ୍ତି ବାହାରେ ଥିଲା। ତା’ପରେ ମୁଁ ଗାନ୍ଧିଜୀଙ୍କ ଅହିଂସା ଓ ପ୍ରେମ ସମ୍ପର୍କରେ ଜାଣିବାକୁ ପାଇଲି। ଯୀଶୁ ମଧ୍ୟ ଏ ସମ୍ପର୍କରେ ଦିଗ୍‌ଦର୍ଶନ ଦେଇଥିଲେ। ହେଲେ ଏହାକୁ ଉପଯୋଗ କରି କିଭଳି ସାମାଜିକ ରଣନୀତି ମାଧ୍ୟମରେ ସମାଜ ସଂସ୍କାର କରାଯାଇପାରିବ, ତାହା ଗାନ୍ଧିଜୀଙ୍କ ଠାରୁ ହିଁ ଶିଖିଲି। ଏହାଦ୍ବାରା ପ୍ରେମ ବ୍ୟକ୍ତିଗତ ସ୍ତରରୁ ଉଠି ସମାଜ ସଂସ୍କାରରେ ଲାଗିପାରିବ। ଗାନ୍ଧିଜୀଙ୍କ ଏହି ମହତ କଥା ଆମକୁ ବୁଝାଇପାରିଥିଲା। ଖାସ୍‌ ଏଥିପାଇଁ ତାଙ୍କ ସ୍ବର୍ଗବାସର ଏକ ଦଶନ୍ଧି ପରେ ବି ଆମେ, ବିଶ୍ବବାସୀ ତାଙ୍କ ନିକଟରେ ଚିରକୃତଜ୍ଞ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ