ପ୍ରଭାବୀଙ୍କ ପ୍ରଭାବ: ନବୀନଙ୍କୁ ଟପିଲେ ଧର୍ମେନ୍ଦ୍ର

ଭାରତର ୧୦୦ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୪ ଓଡ଼ିଆ

ଦେଶର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗହଣରେ ଏଥର ରହିଛନ୍ତି ୪ ଜଣ ଓଡ଼ିଆ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିଅମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଏବଂ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହି ୪ ବଛା ଓଡ଼ିଆ ଭାବେ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ଏହି ତାଲିକାରେ ନବୀନ ଓ ଧର୍ମେନ୍ଦ୍ର ରାଜନୈତିକ ବ୍ୟକ୍ତି ଭାବେ ରହିଥିବା ବେଳେ ପ୍ରମୋଦ ଓ ଶକ୍ତିକାନ୍ତ ଅଣରାଜନୈତିକ ବ୍ୟକ୍ତି ଭାବେ ରହିଛନ୍ତି। ଏଥର ପ୍ରଭାବଶାଳୀ ବ୍ୟକ୍ତି ଭାବେ ନବୀନଙ୍କୁ ପଛରେ ପକାଇ ଦେଇଛନ୍ତି ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ମଧ୍ୟ ନବୀନ ଏଥର ପଛରେ ପଡ଼ିଥିବାବେଳେ ଓଡ଼ିଶା ବିଜେପିର ଚେହେରା ଭାବେ ଧର୍ମେନ୍ଦ୍ର ଆଉ ପାଦେ ଆଗକୁ ବଢ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତମ ମନ୍ତ୍ରୀ ଭାବେ ଜଣାଶୁଣା ଧର୍ମେନ୍ଦ୍ର ‘ଉଜ୍ଜ୍ବଳା ମ୍ୟାନ୍‌’ ଭାବେ ମଧ୍ୟ ଦେଶରେ ବେଶ୍‌ ପରିଚିତ ହୋଇପାରିଛନ୍ତି।

ଇଂରାଜୀ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ଚଳିତ ବର୍ଷ ଲାଗି ଦେଶର ୧୦୦ ଜଣ ଅତି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏକ ତାଲିକା ପ୍ରକାଶ ପାଇଛି। ରାଜନୀତି, କୂଟନୀତି, ପ୍ରଶାସନ, କ୍ରୀଡା ଓ ଅଭିନୟ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ବ୍ୟକ୍ତିମାନଙ୍କ ଏହି ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ସ୍ଥାନ ପାଇଛି। ଏଥିରେ ଯେଉଁ ୪ ଜଣ ପ୍ରଭାବୀ ଓଡ଼ିଆଙ୍କ ନାମ ରହିଛି ସେମାନେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ପ୍ରମୋଦ କୁମାର ମିଶ୍ର ଓ ଶକ୍ତିକାନ୍ତ ଦାସ ଅଣରାଜନୈତିକ ବ୍ୟକ୍ତି ହୋଇଥିବା ବେଳେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ବ୍ୟକ୍ତି ଭାବେ ଏହି ସର୍ଭେରେ ସ୍ଥାନ ପାଇଛନ୍ତି। ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଥର ପରି ଏଥର ମଧ୍ୟ ତାଲିକାର ଏକ ନମ୍ବରରେ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଙ୍କ ଗତବର୍ଷ ତୁଳନାରେ ଏଥର ଉପରକୁ ଉଠିଥିବା ବେଳେ ଏହି ତାଲିକାରେ ପୁଣି ସ୍ଥାନ ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଙ୍କ ଖସିଛି।

ଖସିଲେ ନବୀନ
ଏକଦା ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହେଉଥିବା ନବୀନ ଲଗାତର ଭାବେ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଛନ୍ତି। ଏହା ତାଙ୍କ ଲୋକପ୍ରିୟତାର ସବୁଠୁ ବଡ ମାପକାଠି, ହେଲେ ଜାତୀୟ ସ୍ତରରେ ଅନ୍ୟମାନେ ତାଙ୍କଠୁ ଅଧିକ ପ୍ରଭାବଶାଳୀ ହେବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭିତରେ ଯୋଗୀ ଆଦିତ୍ୟନାଥ ଶୀର୍ଷରେ ରହିଛନ୍ତି। ତାଙ୍କ ପରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜାତୀୟ ସ୍ତରରେ ହୋଇଥିବା ଏହି ସର୍ଭେରେ ଆଉଜଣେ ଓଡ଼ିଆ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ଏହି ସର୍ଭେରେ ସ୍ଥାନ ପାଇଛନ୍ତି। କିନ୍ତୁ ଏଥର ତାଙ୍କ ସ୍ଥାନ ୩୯କୁ ଖସିଆସିଛି। ଯଦିଓ ଗତଥର ୧୦୦ ଶକ୍ତିଶାଳୀ ବ୍ୟକ୍ତିଙ୍କ ଭିତରେ ସେ ୩୦ ତମ ସ୍ଥାନ ଦଖଲ କରିଥିଲେ। ତାଙ୍କୁ ଏହି ରାଙ୍କ ମିଳିବା ପଛରେ ଦର୍ଶାଯାଇଛି ଯେ ସେ ତାଙ୍କ ରାଜନୈତିକ କ୍ୟାରିଅର ଭିତରେ ନିର୍ବାଚନ ହାରି ନାହାନ୍ତି। ଲଗାତର ଭାବେ ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିଛନ୍ତି। କେବଳ ଓଡ଼ିଶା ରାଜନିତୀରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ତାଙ୍କ ସମକକ୍ଷ ହୋଇ କେହି ଏପରି ସଫଳତା ପାଇପାରି ନାହାନ୍ତି। ତାଙ୍କ ସରକାର ୨୦୧୮ରେ ସଫଳତାର ସହ ବିଶ୍ୱ ହକି କପ୍ ଆୟୋଜନ କରି ପାରିଥିଲା। ଓଡ଼ିଶାକୁ ଦେଶର କ୍ରୀଡା ରାଜଧାନୀରେ ପରିଣତ କରିବା ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି। ବାତ୍ୟା ‘ଫନି’ରେ ରେକର୍ଡ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି। ଓଡ଼ିଶାକୁ ଦେଶର ଷ୍ଟିଲ ହବ୍‌ରେ ପରିଣତ କରିବା ପାଇଁ ସେ କେନ୍ଦ୍ର ସହ ମିଶି କାର୍ଯ୍ୟ କରୁଛନ୍ତି। ଏହିସବୁ କାରଣ ପାଇଁ ତାଙ୍କୁ ବଛାଯାଇଛି। ତେବେ ନବୀନଙ୍କ ଲୋକପ୍ରିୟତା ବିଜେଡିର କେତେକ ଅପାରଗ ଓ ଦୁର୍ନୀତିଖୋର ମନ୍ତ୍ରୀ ଓ ବିଧାୟକଙ୍କ ଯୋଗୁଁ କମିଥିବା ନେଇ ଚର୍ଚା ହୋଇଛି।

ଉଠିଲେ ଧର୍ମେନ୍ଦ୍ର

କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସର୍ଭେରେ ୩୨ ନମ୍ବର ରାଙ୍କରେ ଥିଲା ବେଳେ ଏଥର ଏକାଥରେ ଡିଆଁ ମାରିଛନ୍ତି ୧୪ ରାଙ୍କକୁ। ତାଙ୍କୁ ବାଛିବା ପଛରେ ଦର୍ଶାଯାଇଛି, ସେ ହେଉଛନ୍ତି ବିଜେପିର ଓଡ଼ିଶା ‘ଫେସ୍‌’। ଓଡ଼ିଶାରେ ବିଜେପିର ସଙ୍ଗଠନକୁ ଗଢ଼ିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମୋଦିଙ୍କ ନୂତନ କ୍ୟାବିନେଟରେ ସେ ତାଙ୍କ ମନ୍ତ୍ରୀପଦ ବଜାୟ ରଖିବା ସହ ପୁନର୍ବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଶକ୍ତିଶାଳୀ ମନ୍ତ୍ରାଳୟ ପାଇଛନ୍ତି। ଏଥିସହ ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ମଧ୍ୟ ତାଙ୍କୁ ଦିଆଯାଇଛି। ଓଡ଼ିଶା ବିଧାନସଭା ନିର୍ବାଚନ ସମୟରେ ଲୋକଙ୍କୁ ଦାମୀ ଲୁଣ ଓ ଚାଉଳ ସାଧାରଣ ବଣ୍ଟନରେ ଦିଆଯିବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଥିଲେ। ଧର୍ମେନ୍ଦ୍ରଙ୍କ ଉକ୍ତ ଘୋଷଣା ଓଡ଼ିଶାରେ ବିଜେପିକୁ ପ୍ରମୁଖ ବିରୋଧୀ ଦଳ ଭାବେ ଆଣିବାରେ ସହାୟକ ହେଲା ବୋଲି କୁହାଯାଇଛି। ଓଡ଼ିଶାରେ ବିଜେପି କିପରି କ୍ଷମତାକୁ ଆସିବ ସେ ଦିଗରେ ଧର୍ମେନ୍ଦ୍ର ଉଦ୍ୟମ ଜାରି ରଖିଛନ୍ତି। ଏହିସବୁ କାରଣ ପାଇଁ ଧର୍ମେନ୍ଦ୍ରଙ୍କୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ବଛା ଯାଇଛି ଓ ତାଙ୍କ ରାଙ୍କ ଉପରକୁ ଉଠିଛି।

ପ୍ରଭାବୀ ନଂ.୧୯ ପ୍ରମୋଦ

ସେହିଭଳି ଆଉ ଜଣେ ଶକ୍ତିଶାଳୀ ଓଡ଼ିଆ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ପ୍ରମୋଦ କୁମାର ମିଶ୍ର। ଗତ ଥର ତାଙ୍କ ରାଙ୍କ ଥିଲା ୪୪, ଏଥର ସେ ସିଧା ଉଠିଛନ୍ତି ୧୯କୁ। ବହୁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ସେ ପଛରେ ପକାଇଛନ୍ତି। ତାଙ୍କୁ ୧୯ ରାଙ୍କ ମିଳିବା ପଛରେ ସର୍ଭେ ସଂସ୍ଥା ଦର୍ଶାଇଛି ଯେ ମୋଦିଙ୍କ ପରାମର୍ଶଦାତାଙ୍କ ମଧ୍ୟରେ ସେ ପ୍ରମୁଖ ଭାବରେ ରହିଛନ୍ତି। ତାଙ୍କୁ କ୍ୟାବିନେଟ ରାଙ୍କ ମିଳିବା ସହ ପ୍ରମୁଖ ସଚିବ ପଦବୀ ଭଳି ସବୁଠାରୁ ଗୁରୁତ୍ୱପିର୍ଣ୍ଣ ପଦବୀ ମିଳିଛି। ଏନ୍ ମିଶ୍ରାଙ୍କ ଯିବା ପରେ ପ୍ରମୋଦ ମିଶ୍ର ସିଧା ପ୍ରମୁଖ ସଚିବ ସ୍ଥାନକୁ ଆସି ପାରିଛନ୍ତି। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲା ସମୟରୁ ସେ ତାଙ୍କ ସହ ରହି ଆସିଛନ୍ତି। ମୋଦିଙ୍କର ଜଣେ ଖାସ ଅଧିକାରୀ ଭାବେ ସେ ପରିଗଣିତ ହୋଇଛନ୍ତି। ମୋଦିଙ୍କ ବିଶ୍ୱାସ ଓ ଭରସାକୁ ସେ ଜିତି ପାରିଛନ୍ତି। ମନ୍ତ୍ରିମଣ୍ଡଳରେ ଯେତେସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ, ସବୁଥିରେ ସେ ଭାଗୀଦାର ହୋଇଥାନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଚଳାଇବାରେ ସେ ପ୍ରମୁଖ ଭୂମିକା ନେଉଛନ୍ତି ବୋଲି ଦର୍ଶାଯାଇଛି।

ପ୍ରଭାବୀ ନଂ. ୨୯
ତାଲିକାରେ ସ୍ଥାନିତ ଆଉଜଣେ କ୍ଷମତାଶାଳୀ ଓଡ଼ିଆ ହେଉଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତାଙ୍କ ରାଙ୍କ ହେଉଛି ୨୯। ତାଙ୍କୁ ବଛାଯିବା ପଛରେ ଦର୍ଶାଯାଇଛି ଯେ ୨୦୧୮ ଡିସେମ୍ବରରେ ସେ ଦାୟିତ୍ୱ ନେବା ପରଠାରୁ ଆରବିଆଇକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି। ସୁଧହାର ହ୍ରାସ କରିଛନ୍ତି। ମୁଦ୍ରାସ୍ଫୀତିକୁ ବଜାୟ ରଖିଚନ୍ତି। ଅର୍ଥ ମନ୍ତ୍ରାଳୟ ସହ ସମ୍ପର୍କ ଓ ସମନ୍ୱୟ ରଖି ଆଗକୁ ବଢ଼ିବାରେ ସହାୟକ ହୋଇଛନ୍ତି। ନିକଟରେ ଆର୍‌ବିଆଇ ୧.୭୬ ଲକ୍ଷ କୋଟି ଟଙ୍କା କେନ୍ଦ୍ରକୁ ଦେଇଛି। ମୁଦ୍ରାସ୍ଥୀତିକୁ ରୋକିବା ପାଇଁ ସେ ପଦକ୍ଷେପ ନେଉଛନ୍ତି। ଇତିହାସର ଛାତ୍ର ହୋଇ ସେ ଅର୍ଥନିତୀକୁ କ୍ୟାରିଅର ଭାବେ ଗ୍ରହଣ କରି ସଫଳ ହୋଇଛନ୍ତି।

ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେଡିରେ ଅସନ୍ତୋଷ ଆରମ୍ଭ ହୋଇଥିବା କୁହାଯାଉଛି। ତେବେ ପାୱାରଫୁଲ ୧୦୦ ଭାରତୀୟଙ୍କ ମଧ୍ୟରୁ ୪ ଓଡ଼ିଆ ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ