ଆଧ୍ୟାତ୍ମ୍ୟ ଓ ଶାନ୍ତି ପାଇଁ ଚାଲନ୍ତୁ ଏସବୁ ସ୍ଥାନ


ନବରାତ୍ରୀରେ ବ୍ରତ ରଖିବା ସହିତ ମା’ଙ୍କ ଦର୍ଶନକୁ ମଧ୍ୟ ବହୁତ ଶୁଭ ଭାବେ ଗ୍ରହଣ କରାଯାଏ। ଭକ୍ତଗଣ ଦୂର ଦୂରାନ୍ତରୁ ଆସି ମା’ଙ୍କ ମନ୍ଦିରରେ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥାନ୍ତି। ସେମାନଙ୍କ କହିବାନୁସାରେ ଦେବୀ ମା’ନବରାତ୍ରୀରେ ନିଜ ମା’ଙ୍କ ଘରକୁ ଆସିଥାନ୍ତି ଓ ଚାରିଆଡ଼େ ହର୍ଷୋଲ୍ଲାସର ମାହୋଲ ହୋଇଥାଏ। ଏପରିସ୍ଥଳେ ହୃଦୟରୁ ଯାହା କିଛି ମଗାଯାଏ, ତାହା ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ବାସ ରହିଛି। ଚାଲନ୍ତୁ ଜାଣିବା ଏପରି କେତେକ ସ୍ଥାନ ସମ୍ପର୍କରେ, ଯେଉଁଠିକୁ ନବରାତ୍ରୀ ଅବସରରେ ଯାଇ ଦଶହରାକୁ ଖାସ୍‌ କରିପାରିବେ।

ମନ୍‌ସା ଦେବୀ ମନ୍ଦିର, ଉତ୍ତରାଖଣ୍ଡ
ମନ୍‌ସା ଦେବୀ ମନ୍ଦିର ହରିଦ୍ବାର ନିକଟରେ ଝୁନ୍‌ଝୁନ୍‌ ଗାଁରେ ଅବସ୍ଥିତ। ଏହି ମନ୍ଦିରରେ ନାମ ପଛରେ ମାନ୍ୟତା ରହିଛି ଯେ ମା’ ଦୁର୍ଗା ଏଠାକୁ ଆସୁଥିବା ଭକ୍ତଙ୍କ ପ୍ରତ୍ୟେକ ମନୋକାମନା ପୂରଣ କରିଥାନ୍ତି। ୧୯୭୫ରେ ଏହି ମନ୍ଦିରକୁ ସେଠ ସୁରଜମଲଜୀ ନିର୍ମାଣ କରିଥିଲେ। ମା’ ଦୁର୍ଗା ତାଙ୍କ ସ୍ବପ୍ନରେ ଆସି ଏହି ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ଜାହିର କରିଥିଲେ। ଏହି ମନ୍ଦିରରେ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗି ରହିଥାଏ।

ମୈହର ମାତା, ମଧ୍ୟ ପ୍ରଦେଶ
ଏକ ପ୍ରସିଦ୍ଧ ତୀର୍ଥସ୍ଥଳ ରୂପେ ଖ୍ୟାତ ମୈହର ମଧ୍ୟ ପ୍ରଦେଶର ସତନା ଜିଲାର ଏକ ଛୋଟ ନଗର ଅଟେ। ମୈହରରେ ଶାରଦ ମା’ଙ୍କ ପ୍ରସିଦ୍ଧ ମନ୍ଦିର ରହିଛି, ଯାହା ବିନ୍ଧ୍ୟ ପର୍ବତ ଶ୍ରେଣୀରୁ ବାହାରିଥିବା ତମସା ନଦୀ କୂଳରେ ଅବସ୍ଥିତ ତ୍ରିକୂଟ ପର୍ବତ ମାଳା ମଧ୍ୟରେ ୬୦୦୦ ଫୁଟ୍‌ ଉଚ୍ଚରେ ଅବସ୍ଥିତ। ଏହି ଐତିହାସିକ ମନ୍ଦିର ୧୦୮ ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ। ଯଦି ଐତିହାସିକ ତଥ୍ୟକୁ ବିଶ୍ବାସ କରାଯାଏ, ତେବେ ପ୍ରସିଦ୍ଧ ଐତିହାସିକ ନାୟକ ଆଲ୍ଲା ଓ ଉଦଲ ଦୁଇ ଭାଇ ମା’ ଶାରଦାଙ୍କ ବଡ଼ ଉପାସକ ଥିଲେ। ଏହି ପର୍ବତର ପାଦଦେଶରେ ଆଲ୍ଲାଙ୍କ ପୋଖରୀ ଓ ଆଖଡ଼ା ଏବେ ବି ବିଦ୍ୟମାନ। ଯଦିଓ ବର୍ଷସାରା ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ, କିନ୍ତୁ ନବରାତ୍ରୀ ସମୟରେ ଏଠାକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି। ଏହି ସ୍ଥାନରେ ମା’ ଶାରଦାଙ୍କ ନିକଟରେ ନିର୍ମାଣ କରାଯାଇଥିବା ନରସିଂହଦେବଜୀଙ୍କ ପାଷାଣ ମୂର୍ତ୍ତି ପାଖାପାଖି ୧୫୦୦ ବର୍ଷ ପୂରୁଣା। କୁହାଯାଏ, ଯେତେବେଳେ ଶିବ ଭଗବାନ ମୃତ ଦେବୀ ସତୀଙ୍କ ଶରୀର ନେଇ ଯାଉଥିଲେ, ତାଙ୍କ ହାର ସେହି ସ୍ଥାନରେ ପଡ଼ି ଯାଇଥିଲା। ତେଣୁ ଏହି ସ୍ଥାନର ନାମ ମୈହର ଅର୍ଥାତ୍‌ ମା’ଙ୍କ ହାର ବୋଲି ରଖାଯାଇଛି।

ଅମ୍ବା ମାତା ମନ୍ଦିର, ଗୁଜରାଟ
ଗୁଜରାଟର ଜୁନାଗଡ଼ର ଅମ୍ବା ମାତା ମନ୍ଦିର ଦର୍ଶନ କରିବା ଲାଗି ସାରା ବିଶ୍ବରୁ ଭକ୍ତ ଆସିଥାନ୍ତି। ମନ୍ଦିରଟି ଦେଖିବା ଲାଗି ବହୁତ ସୁନ୍ଦର ହୋଇଛି। ଗିରନାର ପର୍ବତ ଓ ଏହାର ଆଖପାଖର ଦୃଶ୍ୟ ମନ୍ଦିରର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଉଛି। ନବ ବିବାହିତ ଯୋଡ଼ି ନିଜ ସୁଖ ଜୀବନ କାମନା କରି ମାତାଙ୍କ ଦର୍ଶନ କରିବାକୁ ଆସନ୍ତି। ମନ୍ଦିରର ସବୁଠୁ ଉଚ୍ଚା ସ୍ଥାନରେ ପହଞ୍ଚି ଆପଣ ସବୁଠାରୁ ସୁନ୍ଦର ଦୃଶ୍ୟ ଦେଖିପାରିବେ।

ବୈଷ୍ଣୋ ଦେବୀ ମନ୍ଦିର, ଜମ୍ମୁ-କଶ୍ମୀର

ଆଦି ଶକ୍ତିଙ୍କୁ ସମର୍ପିତ ଏକ ପବିତ୍ର ମନ୍ଦିର ମଧ୍ୟରେ ଜମ୍ମୁ-କଶ୍ମୀରର ବୈଷ୍ଣୋଦେବୀ ମନ୍ଦିର ଅନ୍ୟତମ। ଏହା ଭାରତର ଜମ୍ମୁର କାଟ୍ରଠାରେ ସ୍ଥିତ ତ୍ରିକୂଟ ପାହାଡ଼ରେ ଅବସ୍ଥିତ। ହିନ୍ଦୁ ଧର୍ମରେ ବୈଷ୍ଣୋଦେବୀଙ୍କୁ ମାତା ରାଣୀ ଓ ବୈଷ୍ଣବୀଙ୍କ ରୂପ ଭାବେ ପୂଜା କରାଯାଏ। ଏହି ମନ୍ଦିର ଜମ୍ମୁର କାଟ୍ରରୁ ପାଖାପାଖି ୧୨ କିମି ଦୂରରେ ୫,୨୦୦ ଫୁଟ୍‌ ଉଚ୍ଚରେ ଅବସ୍ଥିତ। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଏହି ମନ୍ଦିରକୁ ଦର୍ଶନ କରିବାକୁ ଆସନ୍ତି।

ଦକ୍ଷିଣେଶ୍ବର କାଳୀ ମନ୍ଦିର, କୋଲକାତା

କୋଲକାତାର ଉତ୍ତରରେ ରାମକୃଷ୍ଣ ପରମହଂସଙ୍କ ବେଲୁର୍‌ ମଠ ନିକଟରେ ଦକ୍ଷିଣେଶ୍ବର କାଳୀ ମନ୍ଦିର ଅବସ୍ଥିତ। ଏହା ମା’ କାଳୀଙ୍କ ବିଶ୍ବ ପ୍ରସିଦ୍ଧ ମନ୍ଦିର ଅଟେ। ଭାରତର ସାଂସ୍କୃତିକ ତଥା ଧାର୍ମିକ ତୀର୍ଥସ୍ଥଳ ମଧ୍ୟରେ ଦକ୍ଷିଣେଶ୍ବର କାଳୀ ମନ୍ଦିର ସର୍ବପ୍ରାଚୀନ ବୋଲି କୁହାଯାଏ। ମନ୍ଦିରର ଉତ୍ତର ଦିଗରେ ରାଧାକୃଷ୍ଣଙ୍କ ମନ୍ଦିର ମଧ୍ୟ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ