ନିଆରା ନିଃସ୍ବାର୍ଥପର ମଣିଷ: ରୋଗୀସେବା ଜୀବନର ମୂଳମନ୍ତ୍ର

ସମାଜସେବା ପାଇଁ ଶ୍ରମିକ ସାଜିବାକୁ ବି ପଛାଇ ନାହାନ୍ତି

ନିଃସ୍ବାର୍ଥପର ଗୁଣଟି ଈଶ୍ବରଦତ୍ତ। ଜଣେ ଚାହିଲେ ବି ନିଃସ୍ବାର୍ଥପର ହୋଇପାରେନା। ଏିହ ଭାବ ଜଣକ ମନ ଭିତରୁ ଆସିଥାଏ। ଅସହାୟ, ନିରାଶ୍ରୟ ଲୋକଙ୍କୁ ଦେଖିଲେ ଏମାନଙ୍କ ହୃଦୟ କାନ୍ଦିଉଠେ। ନିଜେ ହଇରାଣ ହରକତ ହୋଇ ଭୋକଉପାସରେ ରହିବା ସହ ନିଜସ୍ବ ଓ ପରିବାରର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଏମାନେ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ ସହଯୋଗ ପାଇଁ ଆଗେଇ ଆସନ୍ତି। ବୌଦ୍ଧ ଜିଲାର ଏମିତି ଜଣେ ନିଆରା ବ୍ୟକ୍ତି ଅନେକଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି।

ପେସାରେ ଦରଜି କିନ୍ତୁ ନିଶା ତାଙ୍କର ରୋଗୀସେବା। ରୋଗୀସେବା ପାଇଁ ମନରେ ରହିଛି ନିଆରା ଏକ ଝୁଙ୍କ। ନିଜେ ସାରା ଜୀବନ ଅବିବାହିତ ରହି ରୋଗୀସେବାରେ ନିଜ ଜୀବନକୁ ଉତ୍ସଗୀକୃତ କରିଦେଇଛନ୍ତି ଏହି ୩୩ ବର୍ଷୀୟ ବ୍ୟକ୍ତି ଜଣକ। ଦରଜି କାମ କରି ଯାହା ପାଆନ୍ତି ତାହାରୋଗୀ ମାନଙ୍କ ସେବାରେ ଖର୍ଚ୍ଚ କରନ୍ତି। ଏପରିକି ପାରିଶ୍ରମିକ ନ ଅଣ୍ଟିଲେ ହୋଟେଲରେ ଅଇଁଠା ପ୍ଲେଟ ଧୋଇ ଯାହା ପାଆନ୍ତି, ତାହା ରୋଗୀଙ୍କ ପାଇଁ ଖର୍ଚ୍ଚ କରନ୍ତି। ଏହି ସହୃଦୟ ବ୍ୟକ୍ତିଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ ମହିବାହାଲ ଗାଁର ଧନଞ୍ଜୟ ଦନ୍ତା ଓରଫ ପୁଟ ବାବା।

ଗତ ୧୦ବର୍ଷ ଧରି ନିଜ ଭିଟାମାଟି ଛାଡି ପାଖ ଏକ ଗାଁ ତିଲେଶ୍ୱରରେ ଧନଞ୍ଜୟ ଏକ ସିଲେଇ ମେସିନ ଦୋକାନ ଖୋଲିଛନ୍ତି। ସିଲେଇ କରି ଯାହା ରୋଜଗାର ହୁଏ, ସେଥିରୁ ଏକ ସିଂହଭାଗ ଅସହାୟଙ୍କ ପାଇଁ ଖର୍ଚ୍ଚ କରିଦିଅନ୍ତି ଏହି ସମାଜସେବୀ ଧନଞ୍ଜୟ। କେବଳ ତିଲେଶ୍ୱର ଗାଁରେ ନୁହଁ, ଆଖପାଖ ୮ଗୋଟି ପଞ୍ଚାୟତର ଅସହାୟ ରୋଗୀମାନଙ୍କ ସେବା କରିଆସୁଛନ୍ତି। ଆଖପାଖ ଗାଁରେ କିଏ ରୋଗରେ ପଡିଛି, କାହାର ସେବା କରିବାକୁ କେହି ନାହିଁ, ଆଉ କିଏ ଅର୍ଥ ଅଭାବରୁ ଡାକ୍ତରଖାନା ଯାଇପାରୁନି, ସେ ଖବର ଧନଞ୍ଜୟଙ୍କ ନିକଟରେ ପହଞ୍ଚିଲେ ସେ ସ୍ଥିର ହୋଇ ବସି ପାରନ୍ତି ନାହିଁ। ସଙ୍ଗେ ସଙ୍ଗେ ଡାକ୍ତରଖାନା ଖର୍ଚ୍ଚ ଯୋଗାଡ଼ଠୁ ଆରମ୍ଭ କରି ଆଟେଣ୍ଡାଣ୍ଟ ହୋଇ ଜଗିରହିବା ପର୍ଯ୍ୟନ୍ତ ସବୁ କାମ କରନ୍ତି। ନିକଟରେ ସେ ନିଜର ଏଭଳି କିଛି ଅନୁଭୂତି ପ୍ରତିନିଧି ଆଗରେ ବଖାଣିଛନ୍ତି, ଯାହାକି ଆପଣଙ୍କ ଆଖିରେ ଲୁହ ଆଣିଦେବ।

ବୌଦ୍ଧ ଅଞ୍ଚଳରୁ ଜଣେ ରୋଗୀକୁ ନେଇ ସେ କଟକ ବଡ଼ ମେଡିକାଲ ଆସିଥିବା ବେଳେ ଝାଡଖଣ୍ଡର ଜଣେ ନିରାଶ୍ରୟ ମହିଳାଙ୍କ ସମ୍ପର୍କରେ ଜାଣିଲେ। ମହିଳା ଜଣକ ନିକଟରେ କେହି ସମ୍ପର୍କୀୟ ନ ଥିଲେ କିମ୍ବା ଅର୍ଥ ବଳ ମଧ୍ୟ ନ ଥିଲା। ଦୀର୍ଘ ଏକ ମାସ ଧରି ସେ ଏହି ଅସହାୟ ମହିଳାଙ୍କ ନିକଟରେ ରହି ତା’ର ସେବା ସୁଶ୍ରୁଷା କରିଥିଲେ। ମାସେ ପରେ ସେ ସୁସ୍ଥ ହୋଇ ଆସିବା ବେଳକୁ  ଆଉ ଜଣେ ଟିବି ରୋଗୀଙ୍କ ସମ୍ପର୍କରେ ଆସିଲେ, ଯାହାର କାହାଣୀ ଆହୁରି କରୁଣ ବୋଲି କହିଥିଲେ ଧନଞ୍ଜୟ। ସେ ସମୟରେ ଧନଞ୍ଜୟଙ୍କ ନିକଟରେ ମଧ୍ୟ କିଛି ଅର୍ଥ ନ ଥିଲା। କିନ୍ତୁ ଏମିତି ଅସହାୟ ମଣିଷଟିକୁ ଛାଡ଼ିଦେଇ ଆସିବା ପାଇଁ ତାଙ୍କ ବିବେକ ବାଧା ଦେଇଥିଲା। ଚିକିତ୍ସା ନିମନ୍ତେ ଅର୍ଥ ଯୋଗାଡ଼ ପାଇଁ ମନକୁ ଆସିଲା ଏକ ସୁଚିନ୍ତିତ ଯୋଜନା। ହୋଟଲରେ ଅଇଁଠା ପ୍ଲେଟ ଧୋଇ କିଛି ରୋଜଗାର କରାଯାଇ ପାରିବ, ଏହି ଚିନ୍ତା ତାଙ୍କ ମନକୁ ଆସିଲା। ଅଇଁଠା ପ୍ଲେଟ ଧୋଇବାକୁ ମଧ୍ୟ ପଛେଇ ନ ଥିବା କହିଛନ୍ତି ଧନଞ୍ଜୟ। ଆଜିର ଏହି ସ୍ୱାର୍ଥପର ସମାଜରେ ଅସହାୟ ବ୍ୟକ୍ତିଙ୍କୁ ନିଜ ପରିବାର ଲୋକେ ପଚାରୁ ନ ଥିବାରୁ ଏଭଳି ଅସହାୟଙ୍କ ସେବା ପାଇଁ ନିଜସ୍ୱ ଉଦ୍ୟମ ଜାରି ରଖିଛନ୍ତି ଧନଞ୍ଜୟ।

ଅସହାୟ ରୋଗୀଙ୍କ ସେବାରେ ନିୟୋଜିତ ହୋଇଥିବା ଏହି ଯୁବକ ଜଣକ ଏଯାବତ୍ ବିବାହ ମଧ୍ୟ କରିନାହାନ୍ତି। ରୋଗୀସେବା ହିଁ ଶ୍ରେଷ୍ଠ ସେବା ବୋଲି ଧରିନେଇ ସେ ଲାଗିପଡ଼ିଛନ୍ତି କାମରେ। ନିଜ ଜୀବନକୁ ଉତ୍ସଗୀକୃତ କରି ଲାଗିପଡିଛନ୍ତି ଜଣା ଆଉ ଅଜଣା ରୋଗୀଙ୍କ ସେବାରେ। ଅସହାୟ ଅବସ୍ଥାରେ ଯିଏ ବି ପହଞ୍ଚିଲେ କେବେ ପଛଘୁଞ୍ଚା ଦିଅନ୍ତିନି ଧନଞ୍ଜୟ। ଯାହା ରୋଜଗାର କରନ୍ତି ନିଜେ ଭୋକ ଉପାସରେ ରହି ସବୁକିଛି ଖର୍ଚ୍ଚ କରିଦିଅନ୍ତି ସେମାନଙ୍କ ପଛରେ। ଧନଞ୍ଜୟଙ୍କ ଏଭଳି କାର୍ଯ୍ୟ ଅଞ୍ଚଳରେ ଉଦାହରଣ ସୃଷ୍ଟି କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ