୩୦ ସେକେଣ୍ଡ ବଦଳାଇଦେଲା ବିଶ୍ବ ବିଜେତାଙ୍କ ଜୀବନର ମୋଡ଼

ବ୍ୟାଡମିଣ୍ଟନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଗ୍ରାମୀଣ ଯୁବକଙ୍କ ନିକଟରେ ଢେର କ୍ଷମତା ରହିଛି: ପ୍ରମୋଦ ଭଗତ

ଦୀର୍ଘଦିନର ବ୍ୟବଧାନ ପରେ ଓଡ଼ିଶା ତଥା ଭାରତକୁ ଗୌରବାନ୍ବିତ କରିଛନ୍ତି ଜଣେ ଓଡ଼ିଆ ଖେଳାଳି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସିଙ୍ଗଲ୍ସ ତଥା ଡବଲ୍ସ ବିଭାଗରେ ଏକାଧିକ ସ୍ବର୍ଣ୍ଣ ପଦକ ଜିଣି ଆମ ସମସ୍ତଙ୍କ ମୁଣ୍ଡ ଉଚ୍ଚା କରିଛନ୍ତି। ତନ୍ମଧ୍ୟରେ ବିଶ୍ବ ଚାମ୍ପିଅନଶିପ୍‌ ମଧ୍ୟ ରହିଛି। ଏହି ପ୍ରତିଭାସମ୍ପନ୍ନ ଖେଳାଳି ଜଣକ ବିଶ୍ବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ ପ୍ରମୋଦ ଭଗତଙ୍କ ବ୍ୟତୀତ ଆଉ କେହି ନୁହନ୍ତି। ପୂର୍ବରୁ ଏକାଧିକ ବର୍ଷ ବିଶ୍ବ ଚାମ୍ପିଅନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିଣିଥିବା ପ୍ରମୋଦ ଚଳିତ ବର୍ଷ ଏକସଙ୍ଗେ ସିଙ୍ଗଲ୍ସ ଓ ଡବ୍ଲସରେ ସ୍ବର୍ଣ୍ଣ ପଦକ ଜିଣି ଇତିହାସ ରଚିଛନ୍ତି। ଏହାପରେ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ଡବଲ ରୌପ୍ୟ ଏବଂ ରବିବାର ଚୀନ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ଡବଲ ସ୍ବର୍ଣ୍ଣ ଜିଣି ସେ ତାଙ୍କ ବିଜୟଧାରା ଅବ୍ୟାହତ ରଖିଛନ୍ତି। ଚଳିତ ବର୍ଷ ସେ ୯ଟି ଟୁର୍ଣ୍ଣାମେଣ୍ଟର ୮ଟି ସିଙ୍ଗଲ୍ସ ଫାଇନାଲରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ ୭ଟିରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଏ ବର୍ଷ ସେ ମୋଟ ୧୧ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ଜିଣିଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଦୌଡ଼ରେ ସେ ୬୦୯୦ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛନ୍ତି।

ତୁଳସୀ ଦୁଇ ପତ୍ରରୁ ବାସିବା ପରି ଓଡ଼ିଶାର ଅଖ୍ୟାତ ପଲ୍ଲୀ ବଲାଙ୍ଗିର ଜିଲାର ଅତାବିରାରୁ ଆସିଥିବା ପ୍ରମୋଦ ଭଗତ ବିଶ୍ବ ବିଜେତା ହୋଇ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପ୍ରଥମେ ପ୍ରଥମେ ସେ ଭିନ୍ନକ୍ଷମ ବର୍ଗରେ ଖେଳିପାରିବେ ବୋଲି ଜାଣି ନ ଥିବାରୁ ବ୍ୟାଡମିଣ୍ଟନର ସାଧାରଣ ବର୍ଗରେ ଖେଳୁଥିଲେ। ତେବେ ସିନିଅର ଖେଳାଳି ଓ କୋଚ୍‌ଙ୍କ ପରାମର୍ଶ କ୍ରମେ ସେ ପାରା ବ୍ୟାଡମିଣ୍ଟନରେ ପାଦ ଦେଇଥିଲେ। ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଗୋଟିକ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି। ଏପରିକି ଭିନ୍ନକ୍ଷମ ବର୍ଗରେ ସେ ଖେଳୁଥିବା ବେଳେ ସାଧାରଣ ବର୍ଗର ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ଦୃଷ୍ଟାନ୍ତ ମଧ୍ୟ ରଚିଛନ୍ତି। ଚଳିତ ଚୀନ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲର ଟୁର୍ଣ୍ଣାମେଣ୍ଟ ପୂର୍ବରୁ ତାଙ୍କ ସହ ବାର୍ତ୍ତାଳାପ କରିଥିଲେ ପ୍ରତିନିଧି ନ୍ୟୁଜ ପୋର୍ଟାଲର ସମ୍ପାଦକ ପ୍ରଦୀପ୍ତ କେ. ପତି। ଏହି ବାର୍ତ୍ତାଳାପର କିୟଦଂଶ -

ପ୍ରଥମେ ବିଶ୍ବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍‌ରେ ଓ ଏବେ ସମ୍ମାନଜନକ ଚୀନ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ଡବଲ ସ୍ବର୍ଣ୍ଣ ପଦକ ଜିତିବା ପରେ କେମିତି ଅନୁଭବ କଲେ?
ଏ ଦୁଇଟିଯାକ ଚାମ୍ପିଅନଶିପ୍‌ ମୋ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ବିଶ୍ବ ଚାମ୍ପିଅନଶିପ୍‌ର ମାନ୍ୟତା ତ ସଭିଏଁ ଜାଣନ୍ତି। ମୁଁ ମଧ୍ୟ ପୂର୍ବରୁ ସିଙ୍ଗଲ୍ସ ଓ ଡବଲ୍ସ ବିଶ୍ବ ଚାମ୍ପିଅନଶିପ୍‌ ସ୍ବର୍ଣ୍ଣପଦକ ହାସଲ କରିଛି। କିନ୍ତୁ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇଟି ବର୍ଗରେ ସ୍ବର୍ଣ୍ଣ ଜିତିବା ମୋ ପାଇଁ ଥିଲା ପ୍ରଥମ। ଏହାର ଅନୁଭୂତି ଅବର୍ଣ୍ଣନୀୟ। ସେହିପରି ଚୀନ ଚାମ୍ପିଅନଶିପ୍‌ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଦିଗରେ ଗୁରୁତ୍ବପୂର୍ଣ୍ଣ ଥିଲା। ଏଥିରେ ବି ଡବଲ ସ୍ବର୍ଣ୍ଣ ପଦକ ମୋର ମନୋବଳକୁ ବହୁମାତ୍ରାରେ ବଢ଼ାଇଛି। ଏହା ମୋତେ ଆହ୍ଲାଦିତ କରିଛି।

ବିଶେଷକରି ବିଶ୍ବ ଚାମ୍ପିନଶିପ୍‌ରେ ଗୋଟିଏ ଦିନରେ ପିଭି ସିନ୍ଧୁ ଓ ଆପଣ ସିଙ୍ଗଲ୍ସରେ ସ୍ବର୍ଣ୍ଣପଦକ ଜିତି ପାରିଲେ। ଏହାପରେ ଆପଣଙ୍କୁ କେମିତି ଲାଗିଲା?
ଦେଶ ପାଇଁ କିଛି କରିପାରିଥିବାରୁ ନିଜକୁ ଧନ୍ୟ ମନେକଲି। ସିନ୍ଧୁ ଓ ମୁଁ ଦେଶକୁ ଗୌରବାନ୍ବିତ କରିବା ପରେ ଅନ୍ୟ ବର୍ଗର ଚାମ୍ପିଅନ, ବିଶ୍ବର ନାମୀ ଖେଳାଳି ଓ କୋଚ୍‌ଙ୍କ ସହ ଏକାଠି ହୋଇଥିଲୁ। ଏହି ଅନୁଭୂତି ବେଶ୍‌ ନିଆରା ଥିଲା।

ଏହି ସଫଳତାର ଶ୍ରେୟ କାହାକୁ ଦେବେ? କିଏ ଏଥିପାଇଁ ଆପଣଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇଛି?
ମୋର ପରିବାର, ସିନିଅର ଖେଳାଳି, କୋଚ୍‌, ସ୍ପନ୍‌ସର ସଭିଙ୍କୁ ଏହାର ଶ୍ରେୟ ଯାଉଛି। ତେବେ ସର୍ବପ୍ରଥମେ ମୋ ପରିବାରର ଅକୁଣ୍ଠିତ ସହଯୋଗ ଯୋଗୁ ହିଁ ମୁଁ ଏ କ୍ଷେତ୍ରରେ ଆଗକୁ ବଢ଼ିପାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରାତିରେ ବେଶ୍‌ ଅଭ୍ୟାସ କରିବାକୁ ପଡ଼ୁଥିବାରୁ ପରିବାର ଲୋକେ ମୋତେ ଏଥିପାଇଁ ଅନୁମତି ଦେଇଥିଲେ। ସେହିପରି କୋଚ୍‌ ଶିବ ପ୍ରସାଦ ଦାସ ଏବଂ ସିନିଅର ଖେଳାଳି କମଳ ଦାସ ମଧ୍ୟ ମୋତେ ପ୍ରେରଣା ଦେଇଥିଲେ। ବଲାଙ୍ଗିର ଜିଲାରେ ମଧ୍ୟ ସିନିଅର ଖେଳାଳିମାନେ ମୋ ଖେଳ ଓ ସ୍ପନସରଶିପ୍‌ ଯୋଗାଡ଼ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି।

ଆପଣଙ୍କ ପରବର୍ତ୍ତୀ ଲକ୍ଷ୍ୟ କ’ଣ?
ଅଲିମ୍ପିକ୍ସରେ ଭାଗନେଇ ସେଠାରେ ପଦକ ଜିଣିବା ହିଁ ମୋର ପରବର୍ତ୍ତୀ ଲକ୍ଷ୍ୟ। ବିଶ୍ବ ଚାମ୍ପିଅନଶିପ୍‌ରେ ଏକାଧିକ ପଦକ ଜିତିବା ପରେ ଏବେ ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଚେଷ୍ଟା ଚଳାଇଛି। ଏହି କ୍ରମରେ ଥାଇଲାଣ୍ଡ ଓ ଚୀନ ପାରା ଇଣ୍ଟରନ୍ୟାସନାଲ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ଥାଇଲାଣ୍ଡ ଓପନରେ ଆହତ ହୋଇ ୩ ଦିନ ବିଶ୍ରାମ ନେଇ ଚୀନ ଟୁର୍ଣ୍ଣାମେଣ୍ଟ ଖେଳି ସଫଳ ହେଲି। ଏଥିପାଇଁ ଈଶ୍ବରଙ୍କୁ ଧନ୍ୟବାଦ।

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ଫାଇନାଲରେ ପହଞ୍ଚି ଆହତଜନିତ ସମସ୍ୟା ପାଇଁ ଅଧାରୁ ଓହରିଗଲେ। ପୁଣି କେମିତି ମନୋବଳ ଦୃଢ଼ କରି ଚୀନ ଟୁର୍ଣ୍ଣାମେଣ୍ଟ ଜିତିପାରିଲେ?
ଦେଖନ୍ତୁ, ମୋ ପାଇଁ ଚୀନ ଟୁର୍ଣ୍ଣାମେଣ୍ଟ ବେଶୀ ଗୁରୁତ୍ବପୂର୍ଣ୍ଣ ଥିଲା। ଏଣୁ ଥାଇଲାଣ୍ଡ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ କଷ୍ଟ ଅନୁଭବ ହେବାରୁ ଅଧାରୁ ଓହରିଗଲି। ଭାବିଥିଲି, ୩ ଦିନର ବିଶ୍ରାମ ପରେ ସବୁ ଠିକ୍‌ ହୋଇଯିବ। ଈଶ୍ବରଙ୍କ କୃପାରୁ ତାହା ହିଁ ହେଲା। ମୋର ନିଷ୍ପତ୍ତି ଠିକ୍‌ ସାବ୍ୟସ୍ତ ହେଲା।

ଆପଣଙ୍କର ଆଦର୍ଶ କିଏ? ତାଙ୍କ ସହ ମିଶିଛନ୍ତି କି?
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମୋର ଆଦର୍ଶ। କାରଣ ଏହା ପୂର୍ବରୁ ମୁଁ କ୍ରିକେଟ ମଧ୍ୟ ଖେଳୁଥିଲି। ତାଙ୍କର ଧୈର୍ଯ୍ୟ, ଏକାଗ୍ରତା, କଠିନ ଅଧ୍ୟବସାୟ ଓ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାର ଜିଦ୍‌ ମୋତେ ସବୁବେଳେ ଅନୁପ୍ରାଣିତ କରିଛି। ତାଙ୍କ ସହ ଭେଟିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରେ।

ଆପଣଙ୍କ ଜୀବନରେ ଘଟିଥିବା ଏମିତି ଏକ ଘଟଣା ସମ୍ପର୍କରେ କହନ୍ତୁ, ଯାହାକି ଆପଣଙ୍କ କ୍ୟାରିଅର ବା ଜୀବନର ମୋଡ଼ ବଦଳାଇ ଦେଇଛି।
ଏମିତି ଏକ ପ୍ରଶ୍ନ ପଚାରି ଆପଣ ମୋତେ ଶିହରିତ କରିଛନ୍ତି। କାରଣ ଏପରି ଏକ ଘଟଣା ମୋ କ୍ୟାରିଅରରେ ଘଟିଛି, ଯାହାକୁ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ଆଉ ଏହାର ବିଶେଷତ୍ବ ହେଉଛି, ଏହି ଘଟଣା ପରେ ହିଁ ମୋ ଜୀବନ ଓ କ୍ୟାରିଅର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା, ଊର୍ଦ୍ଧ୍ବଗାମୀ ହୋଇଥିଲା। ଅବସର ଥିଲା ୨୦୧୩ ବିଶ୍ବ ଚାମ୍ପିଅନଶିପ୍‌ର। ଡବଲ୍ସ ଫାଇନାଲରେ ମୋ ସହ ମୋର ସାଥୀ ମନୋଜ ସରକାର ଥିଲେ। ପ୍ରଥମ ସେଟ୍‌ଟିକୁ ଆମେ ଜିତିଥିବା ବେଳେ ପ୍ରତିପକ୍ଷ ଦ୍ବିତୀୟ ସେଟ୍‌କୁ ଜିତି ନେଇଥିଲେ। ତୃତୀୟ ସେଟ୍‌ରେ ଆମେ ପଛରେ ରହିଥିଲୁ। ଯାହା ଉପାୟ ଅବଲମ୍ବନ କଲେ ଆମେ ବିଫଳ ହେଉଥିଲୁ। କୋଚ୍‌ ଆଡ଼କୁ ଚାହିଁଲେ ସେ ଶିଖାଇଥିବା ମାର୍ଗରେ ଯିବାକୁ ପ୍ରବର୍ତ୍ତାଉଥିଲେ। ଏଥିରେ ବି ସଫଳତା ମିଳୁ ନ ଥିଲା। କ’ଣ ହେଲା କେଜାଣି, ମୁଁ ମୋର ସାଥୀ ମନୋଜର ହାତ ଧରିପକାଇ ତାଙ୍କୁ କହିଲି, ଚାମ୍ପିଅନଶିପ୍‌ ଓ ସ୍ବର୍ଣ୍ଣପଦକ ଜିତିବାର ଅଛି ତ କୋଚ୍‌ଙ୍କ କଥା ଶୁଣନାହିଁ। ମୁଁ ଯେମିତି କହୁଛି, ମୋତେ ସହଯୋଗ କର। ସ୍ବର୍ଣ୍ଣପଦକ ଆମର ହେବ। ଟିକିଏ ରହି ସେ ମୋ କଥାରେ ରାଜି ହେଲେ। ଆଉ ଆମେ ମ୍ୟାଚକୁ ଓଲଟାଇ ଦେଲୁ। ଡବଲ୍ସ ଚାମ୍ପିଅନ ହୋଇ ସ୍ବର୍ଣ୍ଣପଦକ ହାସଲ କଲୁ। ଏହି ୩୦ ସେକେଣ୍ଡ ମୋ କ୍ୟାରିଅର ଓ ଜୀବନର ମୋଡ଼ ବଦଳାଇ ଦେଲା। ଦୀର୍ଘ ୬ ବର୍ଷ ଧରି ମନୋଜ ଆଜି ବି ମୋ ସହ ଖେଳୁଛନ୍ତି ଓ ଆମେ ଏକାଠି ଏକାଧିକ ସ୍ବର୍ଣ୍ଣ ପଦକ ଜିତି ପାରିଛୁ। ଏହାପରେ ଆମ ମନୋବଳ ବେଶ୍‌ ବଢ଼ିଥିଲା। ଜୀବନରେ ଏହି ଘଟଣାଟି ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ।

ଓଡ଼ିଶାରେ ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି କି? ଆଗ୍ରହୀ ଖେଳାଳିଙ୍କୁ କ’ଣ କରିବାକୁ ହେବ?
ଭଲ ପ୍ରଶ୍ନଟିଏ ପଚାରିଲେ। ସତରେ ଓଡ଼ିଶାରେ ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ନାହିଁ। କିନ୍ତୁ ଏହି କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଆମ ଗ୍ରାମୀଣ ଯୁବ ପ୍ରତିଭାଙ୍କ ନିକଟରେ ଢେର ପ୍ରତିଭା ରହିଛି। ସେମାନଙ୍କୁ ଚିହ୍ନଟ କରି ସୁଯୋଗ ଦେବା ଜରୁରୀ। ଏଠାରେ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀ ଖୋଲିବାକୁ ଯୋଜନା କରୁଛନ୍ତି। ଏହା ହେଲେ ରାଜ୍ୟର ଖେଳାଳିମାନେ ବେଶ୍‌ ଉପକୃତ ହୋଇପାରିବେ।

ଯୁବପିଢ଼ିଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ?

ନିଜ ଲକ୍ଷ୍ୟସ୍ଥଳୀ ସ୍ଥିର କର। ନିଜ ଉପରେ ଭରସା ରଖ। ଲକ୍ଷ୍ୟସ୍ଥଳୀ ପହଞ୍ଚିବା ରାସ୍ତାରେ ଯେତେସବୁ ବାଧାବିଘ୍ନ ଆସୁଛି, ଏହାକୁ ଧୈର୍ଯ୍ୟ ଓ ଏକାଗ୍ରତାର ସହ ପାର କର। ତେବେ ସଫଳତା ତୁମ ପାଦ ଛୁଇଁବ।

ଖାଲି ସମୟରେ କ’ଣ କରନ୍ତି?

ଟିଭି ଦେଖେ। ମୁଁ ଜଣେ ସିନେପ୍ରେମୀ। ଏଣୁ ସିନେମା ଦେଖିବାର ସୁଯୋଗ ହାତଛଡ଼ା କରେନି।

ଅବସର ପରେ କ’ଣ କରିବାକୁ ଯୋଜନା କରିଛନ୍ତି?
ପୂର୍ଣ୍ଣକାଳୀନ କୋଚିଂ ଦେବି। କାରଣ ଖେଳିବା ସମୟରେ ବି ମୁଁ ଅନ୍ୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଥାଏ। ଏଥିସହ ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ପାଇଁ ଏକ ଏକାଡେମୀ ଖୋଲିବାକୁ ଯୋଜନା କରିଛି।

କିଏ ଆପଣଙ୍କୁ ସବୁଠୁ ବେଶୀ ଅନୁପ୍ରାଣିତ କରିଛନ୍ତି?
ସୁକାନ୍ତ କଦମ ଓ ମନୋଜ ଯୋଶୀ ମୋ ପାଇଁ ପ୍ରେରଣା ଉତ୍ସ। ପାରା ବ୍ୟାଡମିଣ୍ଟନ କ୍ଷେତ୍ରରେ ସେମାନଙ୍କ ଅବଦାନ ଅତୁଳନୀୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ