ଘର ବାହାରେ ଘର, ଶିଶୁଙ୍କୁ କରୁଛି ଆପଣାର

ଆଗ୍ରହ, ଉତ୍ସାହ ଓ ଦକ୍ଷତା ଆଧାରରେ ବି ମିଳୁଛି ତାଲିମ୍‌

କାହାର ପରିଚୟ ଜଣାନାହିଁ ତ କାହାର ଜଣାନାହିଁ ବାପାର ଠିକଣା। କିଏ ଅସହାୟ ଅବସ୍ଥାରୁ ଉଦ୍ଧାର ହୋଇଛି ତ କାହାକୁ ସ୍ବେଚ୍ଛାସେବୀ ଆଣି ଏଠାରେ ଛାଡ଼ିଦେଇ ଯାଇଛନ୍ତି। ଏବଳି ଅନେକ ବେସାହାରା ଶିଶୁଙ୍କ ସଦନ ପାଲଟିଛି ଆଦୃତା ଶିଶୁଘର। ଘର ବାହାରେ ଘର ପରି ଯତ୍ନ ନେଇଛି, ସୁରକ୍ଷା ଦେଇଛି, ଆଉ ସମସ୍ତଙ୍କୁ କୋଳେଇ ନେଇଛି ଏହି ଅନୁଷ୍ଠାନ। ଭୁବନେଶ୍ୱର ଉପକଣ୍ଠର ଏହି ଚିଲଡ୍ରେନ ହୋମ୍ ସତରେ ନିଆରା।

ପର୍ଯ୍ୟଟକଙ୍କୁ କୁନି ଝିଅଟିଏ ଦେଖାଇ ଦେଉଛି ଏଇଟା ତା’ର ଘର। ମୁହଁର ହସରୁ ବାରି ହେଉଛି ସେ ଏଇ ଘରକୁ କେତେ ଭଲପାଏ। ଘର ଭିତରକୁ ପ୍ରବେଶ ମାତ୍ରକେ ଆଖିରେ ପଡ଼ିବ ବାଦ୍ୟଯନ୍ତ୍ର ସବୁ। କୁନି କୁନି ଝିଅମାନଙ୍କ କଣ୍ଠରୁ ଶୁଣିହେବ ସୁଲଳିତ ସୁମଧୁର ସଙ୍ଗୀତ। ତାଲିମଦାତା ସେମାନଙ୍କୁ ଶିଖାଉଥିବାର ମଧ୍ୟ ଦେଖିହେବ। ଅନ୍ୟ ଏକ ଘରେ ସୁନ୍ଦର ଭାବେ ସଜାଇ ହୋଇଥିବା ଝିଅମାନଙ୍କୁ ଓଡ଼ିଶୀ ନୃତ୍ୟ କରୁଥିବାର ଦେଖିବାକୁ ମିଳିବ।

ଥାକ ଥାକ ହୋଇ ବହି। ସଜାଇ ହୋଇ ରହିଥିବା ଟେବୁଲ। ଆଉ ଟେବୁଲ ଉପରେ କମ୍ପ୍ୟୁଟର ସବୁ। ଇଏ ହେଉଛି ପିଲାଙ୍କ କମ୍ପ୍ୟୁଟର ରୁମ୍। ଲାଟେଷ୍ଟ ଇ-ବୁକ୍ ଗଚ୍ଛିତ ହୋଇ ରହିଛି ସେଥିରେ। ଯୋଗ ଏବଂ ଅନ୍ୟାନ୍ୟ ବ୍ୟାୟାମ ପାଇଁ ମଧ୍ୟ ଜାଗା ରହିଛି। ସୁନ୍ଦର ଭାବେ ସଜାଇ ହୋଇ ରହିଛି ପାକଶାଳା। ବିଭିନ୍ନ ଖାଦ୍ୟ ତିଆରିର ଦକ୍ଷତା ଥିବା ପାଚକ ମଧ୍ୟ ରହିଛନ୍ତି। ପିଲାମାନଙ୍କର ଶୋଇବା ଘର ଭିତର ସଫା ସୁତୁରା। ସଫା ସଫା ବେଡ୍‌ଶିଟ କୁନି ଝିଅମାନେ ଚଉତି ରଖିଥିବାର ନିଆରା ଦୃଶ୍ୟ ମଧ୍ୟ ଦେଖିହେବ।

ଏହିସବୁ ଘଟଣା ପଛର ବ୍ୟକ୍ତିଙ୍କୁ ଜାଣନ୍ତୁ। ଇଏ ହେଉଛନ୍ତି ଆଦିତ୍ୟ ମହାନ୍ତି - ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗର ପ୍ରଫେସର। ନିଜର କିଛି ଛାତ୍ରମାନଙ୍କ ସହିତ ମିଶି ୧୯୯୮ ମସିହାରେ ଗଢିଥିଲେ ଆଦୃତା ଚିଲଡ୍ରେନ ହୋମ୍‌। ଓଡ଼ିଶା ସରକାରଙ୍କ ଜୁଭେନାଇଲ ଜଷ୍ଟିସ ଆକ୍ଟ ଆଧାରରେ ମହିଳା ଓ ଶିଶୁ ବିକାଶ ବିଭାଗର ସ୍ବୀକୃତି କ୍ରମେ ଏହି ହୋମ୍‌ ପରିଚାଳିତ ହେଉଛି। ଏହି ଅନୁଷ୍ଠାନର ଭୁବନେଶ୍ୱର, ରାୟଗଡ଼ା, ବଲାଙ୍ଗିର, ସୁନ୍ଦରଗଡ଼, କେନ୍ଦୁଝର, ବାରିପଦା, ଅନୁଗୋଳ, ଢେଙ୍କାନାଳ, ପୁରୀ ଏବଂ କଟକ ଶାଖାରେ ସଂପ୍ରତି ୩୫୦ ଶିଶୁ ଅବସ୍ଥାନ କରୁଥିବା ଜଣାଯାଇଛି। ପିଲାଟି କେଉଁ ଶାଖାରେ ରହିବାକୁ ଅଧିକ ପସନ୍ଦ କରୁଛି ତାହା ନିରୀକ୍ଷଣ କରାଯାଇ ସେହି କେନ୍ଦ୍ରରେ ଏକ ଉତ୍ତମ ବନ୍ଧୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟପ୍ରଦ ପରିବେଶରେ ନେଇ ରଖାଯାଏ। କ୍ରମଶଃ ପିଲାଟିର ଆଗ୍ରହ ଉତ୍ସାହ ଓ ଦକ୍ଷତାକୁ ଆକଳନ କରାଯାଇ ବିଭିନ୍ନ ପ୍ରକାର ଆର୍ଟ, କ୍ରାଫ୍ଟ, ମ୍ୟୁଜିକ, ଡ୍ୟାନ୍ସ ଆଣ୍ଡ ସ୍ପୋର୍ଟସ ଏବଂ ଅନ୍ୟାନ୍ୟ ଧନ୍ଦାମୂଳକ କାର୍ଯ୍ୟକ୍ରମରେ ପିଲାଙ୍କ ସମ୍ପୃକ୍ତି ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି। ଶାସ୍ତ୍ରୀୟ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଆଦି କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ହାସଲ ପାଇଁ ବ୍ୟବସ୍ଥା କରାଯାଇଛି। ଆଦୃତା ଚିଲଡ୍ରେନ୍ ହୋମ୍‌ର ଶିଶୁମାନେ ସିଙ୍ଗାପୁର, ମାଲେସିଆ, ବାଲି, ଚିକାଗୋ, ନ୍ୟୁୟର୍କ ଓ ସାନଫ୍ରାନସିସ୍କୋ ଯାଇ ନିଜ କଳା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ପିଲାମାନଙ୍କ ଭିତରେ ପାରସ୍ପରିକ ସ୍ନେହ ସମ୍ପର୍କ ସଦ୍ଦିଚ୍ଛାକୁ ଏହି ହୋମ୍‌ରେ ଅନୁଭବ କଲା ପରେ ଏହା ଘର ହରାଇଥିବା ପିଲାଙ୍କ ପାଇଁ ଶ୍ରେଷ୍ଠ ଏକ ଘର ବୋଲି କୁହାଯାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ