ଏପରି ଛଡ଼ାନ୍ତୁ ପିଲାଙ୍କ ନଖ କାମୁଡ଼ିବା ଅଭ୍ୟାସ


ଅନେକ ପିଲାଙ୍କ ନଖ କାମୁଡ଼ିବା ଅଭ୍ୟାସ ରହିଛି। ଏହି ଅଭ୍ୟାସ ଛଡ଼ାଇବା ଲାଗି ପ୍ୟାରେଣ୍ଟମାନେ ଅନେକ ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ କୌଣସି ସଫଳତା ମିଳି ନ ଥାଏ। ଯଦି ଆପଣଙ୍କ ପିଲାଙ୍କର ମଧ୍ୟ ଏଭଳି ନଖ କାମୁଡ଼ିବା ଅଭ୍ୟାସ ରହିଛି, ତେବେ ଏହାକୁ ଛଡ଼ାଇବା ଲାଗି କେତେକ ଉପାୟ ଅବଲମ୍ବନ କରିପାରିବେ। କାରଣ ସବୁବେଳେ ନଖ କାମୁଡ଼ିବା ଫଳରେ ମଧ୍ୟ ଅନେକ ପ୍ରକାରର ରୋଗ ହୋଇପାରେ।

ଠିକ୍‌ ସମୟରେ ନଖ କାଟନ୍ତୁ
ପିଲାଙ୍କ ନଖ କାମୁଡ଼ିବା ଅଭ୍ୟାସ ଛଡ଼ାଇବା ଲାଗି ସେମାନଙ୍କ ନଖ ବଡ଼ ହେବାକୁ ସୁଯୋଗ ଦିଅନ୍ତୁନି। ଠିକ୍‌ ସମୟରେ ସେମାନଙ୍କ ନଖ କାଟନ୍ତୁ। ଏହାଦ୍ବାରା ପିଲାଙ୍କ ନଖ କାମୁଡ଼ିବା ଅଭ୍ୟାସ ଛଡ଼ାଇବା ସହ ତାଙ୍କ ହାତକୁ ମଧ୍ୟ ଅଧିକ ହାଇଜେନିକ୍‌ ରଖାଯାଇପାରିବ।

କିଛି ଚୋବାଇବାକୁ ଦିଅନ୍ତୁ
ଯେତେବେଳେ ବି ପିଲା ନଖ କାମୁଡ଼ନ୍ତି, ସେମାନଙ୍କୁ ରୋକନ୍ତୁ। ଏହି ସମୟରେ ସେମାନଙ୍କୁ ବାଦାମ, ଚଣା, ପପ୍‌କର୍ଣ୍ଣ ଭଳି ଖାଦ୍ୟ ଚୋବାଇବାକୁ ଦିଅନ୍ତୁ। ଏହାଫଳରେ ସେମାନଙ୍କ ପାଟି ବ୍ୟସ୍ତ ରହିବା ସହିତ ସେମାନଙ୍କ ମସ୍ତିଷ୍କ ଡାଇଭର୍ଟ ହୋଇଯାଏ।

ରୋକିବାର ଉପାୟ
ପିଲା ନଖ କାମୁଡ଼ିବାବେଳେ ପିଲାଙ୍କୁ ରୋକନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ, ରୋକିବାବେଳେ ଯେମିତି ପିଲା ଆଘାତ ନ ପାଆନ୍ତି। ଅନେକ ସମୟରେ ପିଲାଙ୍କୁ ରାଗରେ ନଖ କାମୁଡ଼ିବାବେଳେ ଅନେକ କିଛି କହି ଦିଅନ୍ତି। ଏପରି ଭୁଲ୍‌ କରିବାରୁ ଦୂରେଇ ରହନ୍ତୁ। ବାହାର ଲୋକଙ୍କ ସାମ୍ନାରେ ପିଲା ନଖ କାମୁଡ଼ିବାବେଳେ ସେମାନଙ୍କ ନାମ ଧରି ଡାକନ୍ତୁ ଓ ନିଜ ଆଡ଼କୁ ଧ୍ୟାନ ଆକର୍ଷଣ କରନ୍ତୁ। ଏପରି କରିବା ଦ୍ବାରା ପିଲା ନଖ କାମୁଡ଼ିବାଠାରୁ ଦୂରେଇ ରହିବେ।

ପୁରସ୍କାର ଦିଅନ୍ତୁ
ପିଲାଙ୍କୁ କହନ୍ତୁ, ଯଦି ସେମାନେ ନଖ କାମୁଡ଼ିବା ବନ୍ଦ କରନ୍ତି, ତେବେ ଏହା ବଦଳରେ ସେମାନଙ୍କୁ ପୁରସ୍କାର ମିଳିବ। ପୁରସ୍କାର ସ୍ବରୂପ ଆପଣ ସେମାନଙ୍କୁ ଟଫି, ଚକୋଲେଟ୍‌, ପେନ୍‌ସିଲ୍‌ ଆଦି କିଛି ବି ଦେଇ ପାରିବେ। ସେମାନଙ୍କ ନଖ କାମୁଡ଼ିବା ଅଭ୍ୟାସ ଧିରେ ଧିରେ ଛଡ଼ାଇବାକୁ ଚେଷ୍ଟା କରନ୍ତୁ।

କାରଣ ଜାଣନ୍ତୁ
ସାଧାରଣତଃ ଚାପ ଓ ଆଙ୍ଗଜାଇଟି କାରଣରୁ ମଧ୍ୟ ପିଲା ନଖ କାମୁଡ଼ି ଥାଆନ୍ତି। ତେଣୁ ଯଥାସମ୍ଭବ ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ। ତଥାପି ସମସ୍ୟାର ସମାଧାନ ନ ମିଳିଲେ, ଚାଇଲ୍ଠ କାଉନ୍‌ସିଲରଙ୍କ ସହାୟତା ନେଇପାରିବେ। ପିଲାଙ୍କ ହାତକୁ ସବୁବେଳେ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ। କଲର କରିବା, ପେଣ୍ଟିଂ କିମ୍ବା ଡ୍ରଇଂ କରିବା ଭଳି କାମ ସେମାନଙ୍କୁ ଦିଅନ୍ତୁ। ଯାହାଫଳରେ ସେମାନେ ନଖ କାମୁଡ଼ିବାଠାରୁ ଦୂରେଇ ରହିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ