ଜାଣନ୍ତୁ ୮୫ ବର୍ଷୀୟା ଇଡ୍‌ଲି ଦାଦିଙ୍କ ପ୍ରେରଣାଦାୟକ କାହାଣୀ

ଆଜି ବି ଟଙ୍କାକରେ ବିକୁଛନ୍ତି ଇଡ୍‌ଲି, ଦୈନିକ ପାଉଛନ୍ତି ୨୦୦ଟଙ୍କା ଲାଭ

କଥାରେ ଅଛି, ଯଦି ଆପଣଙ୍କର କିଛି କରିବାର ଇଚ୍ଛା ଅଛି, ତେବେ ଆପଣଙ୍କ ପାଇଁ କିଛି ବି କାମ ଅସମ୍ଭବ ନୁହେଁ। ଏହାର ଜୀବନ୍ତ ଉଦାହରଣ ହେଉଛନ୍ତି ତାମିଲନାଡ଼ୁରେ ରହୁଥିବା ୮୫ ବର୍ଷୀୟା ଆମ୍ମା କମଳାଥଲ। ଆମ୍ମାଙ୍କୁ ଲୋକେ ସ୍ନେହରେ କମଳାଥଲ ଦାଦି ବୋଲି ମଧ୍ୟ ଡାକିଥାନ୍ତି। ଏହି ବୟସରେ ମଧ୍ୟ ସେ ଇଡଲି ତିଆରି କରି ଲୋକଙ୍କୁ ଖୁଆଇଥାନ୍ତି। ସବୁଠାରୁ ବଡ଼ କଥା ହେଉଛି ଇଡ୍‌ଲି ଆଣରୁ ଆରମ୍ଭ କରି ଏହାକୁ ତିଆରି କରିବା ପର୍ଯ୍ୟନ୍ତ ସବୁକିଛି ଆମ୍ମା ନିଜେ କରିଥାନ୍ତି। ଏଥିପାଇଁ ତ ତାଙ୍କ ହାତରୁ ଇଡ୍‌ଲି ଖାଇବା ଲାଗି ଲୋକେ ଦୂର ଦୂରାନ୍ତରୁ ଆସିଥାନ୍ତି।

ଦାଦି ଆମ୍ମା ଗତ ୩୦ ବର୍ଷ ହେଲାଣି ଇଡ୍‌ଲି ତିଆରି କରିବା କାମ କରି ଆସୁଛନ୍ତି। ତାଙ୍କ ଇଡ୍‌ଲିର ମୂଲ୍ୟ ମାତ୍ର ୧ ଟଙ୍କା ରହିଛି। ଏହା ସହିତ ସେ ସାମ୍ଭର ଓ ଚଟଣୀ ମଧ୍ୟ ଖାଇବାକୁ ଦେଇଥାନ୍ତି। ସକାଳ ୬ଟାରୁ ତାଙ୍କ ଘର ବାହାରେ ଲୋକଙ୍କ ଭିଡ଼ ଲାଗିବା ଆରମ୍ଭ ହୋଇଯାଏ। ତେଣୁ ସେ ରାତିରୁ ଇଡ୍‌ଲି ପାଇଁ ଆଣ ତିଆରି କରି ରଖିଥାନ୍ତି। ଯାହାଫଳରେ ସକାଳୁ ସକାଳୁ ସେ ଲୋକଙ୍କୁ ଇଡ୍‌ଲି ତିଆରି କରି ଖାଇବାକୁ ଦେଇପାରିବେ। ସେଠାକାର ଲୋକେ କମଳାଥଲ ଆମ୍ମାଙ୍କ ହାତ ତିଆରି ଇଡ୍‌ଲି ଖାଇ ଦିନର ଆରମ୍ଭ କରିବାକୁ ପସନ୍ଦ କରନ୍ତି।

ଆମ୍ମା ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଗାଧୁଆ ପାଧୁଆ ଓ ପୂଜାର୍ଚ୍ଚନା ଶେଷ କରି ନିଜ ପୁଅ ସହିତ ଖେତକୁ ଚାଲି ଯାଆନ୍ତି। ସେଠାରୁ ତାଜା ପନିପରିବା ଆଣି ନିଜେ କାଟନ୍ତି। ଏହାପରେ ଦାଦି ଆମ୍ମା ନିଜ ହାତରେ ଶିଳରେ ଚଟଣୀ ତିଆରି କରନ୍ତି। ଅନ୍ୟମାନଙ୍କ ବିନା ସହାୟତାରେ ଚୁଲିରେ ସେ ସବୁ କାମ କରିଥାନ୍ତି। ୬ କିଲୋ ଚାଉଳ ଓ ବିରି ପେଶିବା ଲାଗି ତାଙ୍କୁ ଅତିକମ୍‌ରେ ୪ ଘଣ୍ଟା ସମୟ ଲାଗିଯାଏ ବୋଲି ଦାଦି ଆମ୍ମା କହିଛନ୍ତି। ତାଙ୍କର ଏହା ହେଉଛି ପ୍ରତ୍ୟେକ ଦିନର ରୁଟିନ୍‌।

ଦାଦି ଆମ୍ମା ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଇଡ୍‌ଲି ବିକ୍ରି କରନ୍ତି। ଏହି ସମୟରେ ସେ ପ୍ରତ୍ୟେକ ଦିନ ପାଖାପାଖି ୧୦୦୦ ପାଖାପାଖି ଇଡ୍‌ଲି ବିକ୍ରି କରିଥାନ୍ତି। ଗୋଟିଏ ଥରରେ ତାଙ୍କ ଇଡ୍‌ଲି ଛାଞ୍ଚରେ ୩୭ଟି ଇଡ୍‌ଲି ତିଆରି କରାଯାଇପାରେ। ଏହି ଭଳି ସେ ଗୋଟିଏ ପରେ ଗୋଟିଏ ଇଡ୍‌ଲି ପ୍ରସ୍ତୁତ କରି ଚାଲନ୍ତି। ସବୁଠାରୁ ମଜାଦାର କଥା ହେଉଛି ଦାଦି ଆମ୍ମା ଏହି ସୁଆଦିଆ ଇଡ୍‌ଲିର ମୂଲ୍ୟ କେବଳ ୧ ଟଙ୍କା ରଖିଛନ୍ତି। ୧୦ ବର୍ଷ ପୂର୍ବରୁ ସେ ଗୋଟିଏ ଇଡ୍‌ଲିକୁ ୫୦ ପଇସାରେ ବିକ୍ରି କରୁଥିଲେ। ତାଙ୍କ କହିବାନୁସାରେ ଶ୍ରମିକମାନଙ୍କୁ ସକାଳ ଜଳଖିଆ ପାଇଁ ୧୫ରୁ ୨୦ ଟଙ୍କା ପଡ଼ି ଯାଉଛି। ତେଣୁ ସେ ଇଡ୍‌ଲିର ଦାମ୍‌ ମାତ୍ର ୧ ଟଙ୍କା ରଖିଛନ୍ତି। ଏତେ ଶସ୍ତାରେ ଇଡ୍‌ଲି ବିକ୍ରି କରିବା ପରେ ମଧ୍ୟ ସେ ଦିନକୁ ୨୦୦ ଟଙ୍କା ଲାଭ କରିପାରୁଛନ୍ତି ବୋଲି ଦାଦି ଆମ୍ମା କହିଛନ୍ତି।

ଦାଦିଙ୍କ କାମ କରିବା ପ୍ରତି ଏହି ଉତ୍ସାହ ଯେ କୌଣସି ଲୋକଙ୍କୁ ପ୍ରେରିତ କରିପାରିବ। ତାଙ୍କଠାରୁ ଅୁନୁପ୍ରାଣିତ ହୋଇ ମହିଳାମାନେ ମଧ୍ୟ ଏପରି ଆତ୍ମନିର୍ଭରଶୀଳ ହୋଇପାରିବେ। ସେହିପରି ଯେଉଁ ଲୋକେ ଭାବୁଛନ୍ତି, ଏକ ନିଦ୍ଦିଷ୍ଟ ବୟସ ପରେ ଆପଣଙ୍କ ଭିତରେ ଥିବା ଦକ୍ଷତା ଦେଖାଇପାରିବେ ନାହିଁ, ସେମାନଙ୍କ ପାଇଁ କମଳାଥଲ ଆମ୍ମା ଏକ ବଡ଼ ଉଦାହରଣ। କିଛି କରିବା ଓ କିଛି ଶିଖିବାର କୌଣସି ବୟସ ନାହିଁ ବୋଲି ସେ ପ୍ରମାଣିତ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।