ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପୁଣି ଆଗ୍ରହ ଦେଖାଇଲା କୋରିଆ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୋରିଆର ୪୬ ଜଣିଆ ପ୍ରତିନିଧି ଦଳ: ୬ଟି ସେକ୍ଟରରେ ହେବ ପୁଞ୍ଜି ନିବେଶ

ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପୁଣି ଥରେ ଆଗ୍ରହ ପ୍ରକାଶ କରିଛି କୋରିଆ। ଓଡ଼ିଶାକୁ ମୁହଁ ମୋଡ଼ି ଚାଲିଯାଇଛି ହୋହାଙ୍ଗ ଷ୍ଟିଲ୍ କମ୍ପାନୀ (ପୋସ୍କୋ)। ଓଡ଼ିଶାରେ ୫୨ ହଜାର କୋଟି ଟଙ୍କା ନିବେଶ ଆଶା ପାଣିରେ ମିଳାଇଯାଇଛି। ପସ୍କୋ ପ୍ରକଳ୍ପର ତିକ୍ତ ଅନୁଭୁତିକୁ ଭୁଲି ଓଡ଼ିଶାରେ ବିଭିନ୍ନ ସେକ୍ଟରରେ ନୂଆ କରି ପୁଞ୍ଜିନିବେଶ କରିବାକୁ ଚାହୁଁଛି ଦକ୍ଷିଣ କୋରିଆ କମ୍ପାନୀ। ଏନେଇ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ୍ କିଲ୍‌ଙ୍କ ନେତୃତ୍ବରେ ଏକ ୪୬ ଜଣିଆ ଟିମ୍ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଓଡ଼ିଶାରେ ବୃହତ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି। ଏଥର କେବଳ ଇସ୍ପାତ କ୍ଷେତ୍ରରେ ନୁହେଁ ଅନ୍ୟ ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରାଯାଇଛି ବୋଲି କହିଛନ୍ତି କୋରିଆ ରାଷ୍ଟ୍ରଦୂତ। ଏହି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ଓଡ଼ିଶାରେ ୬ଟି ସେକ୍ଟରରେ ଥିବା ବ୍ୟାପକ ସୁଯୋଗ ରହିଛି। ଇଲେକ୍ଟ୍ରୋନିକସ, ଉତ୍ପାଦନ, ପେଟ୍ରୋକେମିକାଲ୍‌, କେମିକାଲସ, ଟେକ୍ସଟାଇଲ, ଟୁରିଜିମ୍, ଓ ମେଟାଲ ଓ ଫୁଡ୍ ପ୍ରୋସେସିଙ୍ଗର ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରି କ୍ଷେତ୍ରରେ ଦକ୍ଷିଣ କୋରିଆ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ଦେଖାଇଛି। ଏଥିପାଇଁ ରାଜ୍ୟ ସରକାର ବ୍ୟବସାୟ ଅନୁକୁଳ ପରିବେଶ, ଆବଶ୍ୟକ ଭିତ୍ତିଭୂମି ଏବଂ ଦକ୍ଷ ମାନବ ସମ୍ବଳ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେବା ଓ ଭିତ୍ତିଭୂମି ଆଦି କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ ପାଇଁ କୋରିଆ ଆଗ୍ରହୀ ଥିବା ଜଣାପଡ଼ିଛି। ଆଗାମୀ ଦିନରେ କିଆ ମୋର୍ଟସ, ସାମ୍‌ସଙ୍ଗ ଓ ହ୍ୟୁଣ୍ଡାଇ ଭଳି କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ କରିବେ ବୋଲି ଆଲୋଚନା ହୋଇଛି। ଏହି ପୁଞ୍ଜିନିବେଶ ହେବାଦ୍ୱାରା ରାଜ୍ୟର ଅର୍ଥନୀତି ଓ ସାମାଜିକ ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି।

ଏବେ ଭାରତୀୟ ଅର୍ଥନୀତି ମାନ୍ଦାବସ୍ତା ଦେଇ ଗତି କରୁଛି। କିନ୍ତୁ ତାହା ମାତ୍ର ସ୍ୱଳ୍ପ ସମୟ ପାଇଁ। ଖୁବ୍‌ଶୀଘ୍ର ଅବସ୍ଥା ସୁଧୁରିବ। ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କୋରିଆର ସହଯୋଗ ମଧ୍ୟ ରହିବ। କୋରିଆର ନିଜସ୍ୱ ଟେକ୍ନୋଲୋଜି, ନିଜସ୍ୱ ବୁଦ୍ଧି, ନିଜସ୍ୱ ବଜାର ତିଆରି କରିପାରିବାର କ୍ଷମତା ରହିଛି। ଏହି କୋରିଆନ ଗସ୍ତରେ ସାମ୍‌ସଙ୍ଗ, ଏଲ୍‌ଜି ଇଲେକ୍ଟ୍ରୋନିକ୍ସ, ହୁଣ୍ଡାଇ, କିଆ ଆଦି କୋରିଆନ କମ୍ପାନୀ ମାନଙ୍କର ଅଧିକାରୀମାନେ ମଧ୍ୟ ସାମିଲ୍‌ ଅଛନ୍ତି। ଏଥିରେ ହି ସିନ୍‌ ବୋଙ୍ଗ କିଲ୍‌ କୋରିଆ ରିପବ୍ଲିକ୍‌ ଆମ୍ବାସଡର ମଧ୍ୟ ସାମିଲ୍‌ ରହିଛନ୍ତି। ଓଡ଼ିଶାରେ କୃଷି, ମତ୍ସ୍ୟ, ଉଦ୍ୟାନ କୃଷି, ସେବା ଓ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶର ସୁଯୋଗ ଅଛି ବୋଲି କହିବା ସହ ଓଡ଼ିଶାର ପ୍ରାକୃତି ସମ୍ପଦକୁ ଲୋକଲୋଚନକୁ ଆଣିବାକୁ କୋରିଆ ଚେଷ୍ଟା କରିବ ପ୍ରତିନିଧି ମଣ୍ଡଳି କହିଛନ୍ତି। ଇସ୍ପାତ ଶିଳ୍ପରେ ମଧ୍ୟ ପୁଞ୍ଜି ନିବେଶ ପାଇଁ କୋରିଆ ପ୍ରସ୍ତୁତ ରହିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଦ୍ୟୁତିକ, ପେଟ୍ରୋଲିୟମ୍‌, ବୟନ ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗ, ଧାତବ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ପୁଞ୍ଜିନିବେଶକୁ ଅଧିକ ଗୁରୁତ୍ୱ ଦେଇଛନ୍ତି।

ଏହି ସାକ୍ଷାତପରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, କୋରିଆ କୃଷି, ଉଦ୍ୟାନ କୃଷି ଆଲୁମିନିୟମ୍, ମତ୍ସ୍ୟ, ବୟନ ଶିଳ୍ପ ଏବଂ ଇଲେକ୍ଟ୍ରୋନିକସ ଆଦି ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହାଛଡ଼ା କିଆ ମୋଟର୍ସ ଏବଂ ସାମସଙ୍ଗ ଏବଂ ହୁଣ୍ଡାଇରେ ବି ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି କୋରିଆ। ଏହି ସାକ୍ଷାତପରେ କୋରିଆ ସହ ଓଡ଼ିଶାର ନୂଆ ସମ୍ପର୍କ ସ୍ଥାପିତ ହେଲା ବୋଲି ସେ କହିଛନ୍ତି। ଏହାଦ୍ବାରା ଓଡ଼ିଶାର ବିକାଶ ଘଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ନିବେଶ ପରେ ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରିର ସୁଯୋଗ ମିଳିବ ଏବଂ ଓଡିଶାବାସୀ ଉପକୃତ ହେବେ ବୋଲି ମିଶ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଓ ଦକ୍ଷିଣ କୋରିଆ ମଧ୍ୟରେ ବ୍ୟବସାୟ ସମ୍ପର୍କ ଦୃଢ଼ ହେବା ପୂର୍ବରୁ ଭାଙ୍ଗି ଯାଇଥିଲା। କୋରିଆର ଇସ୍ପାତ କମ୍ପାନୀ ‘ପୋସ୍କୋ’ ଓଡ଼ିଶାରେ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ଏକ ବୃହତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ୨୦୦୫ରେ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ବାକ୍ଷର କରିଥିଲା। ଦେଶରେ ଏହା ସର୍ବବୃହତ୍ ବିଦେଶୀ ପୁଞ୍ଜି ନିବେଶ ହୋଇଥାନ୍ତା। ଏଥିଲାଗି ସେ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ମଧ୍ୟ ମାତ୍ରାଧିକ ଆଗ୍ରହ ଦେଖାଇଥିଲେ। ହେଲେ ଏହି ପ୍ରକଳ୍ପ ଓଡ଼ିଶାରେ ପାଦ ଦେବା ଦିନରୁ ହିଁ ବିବାଦ ଭିତରେ ଛନ୍ଦି ହୋଇଯାଇଥିଲା। କେତେବେଳେ ଜମି ଅଧିଗ୍ରହଣ, ଆଉ କେତେବେଳେ ଲୁହାପଥର ଖଣି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିଲା। ପୋସ୍କୋକୁ ଖଣ୍ଡାଧାର ଖଣି ଦିଆଯିବା ନେଇ ଆେଲାଚନା ହୋଇଥିଲା। କର୍ତ୍ତୃପକ୍ଷ ଓଡ଼ିଶାରେ ବିଶାଳ କାର୍ଯ୍ୟାଳୟ ବି ଖୋଲିଥିଲେ। ହେଲେ କେନ୍ଦ୍ର-ରାଜ୍ୟ ଛକାପଞ୍ଝା, ସ୍ଥାନୀୟ ଅଞ୍ଚଳରେ ବିକ୍ଷୋଭ ଭିତରେ ଏହି ପ୍ରକଳ୍ପର ଭାଗ୍ୟ ରୁନ୍ଧି ହୋଇଯାଇଥିଲା ଓ ପୋସ୍କୋ ଓଡ଼ିଶା ଛାଡି ଚାଲିଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ