ଘାତକ ହୋଇପାରେ ସେପ୍‌ସିସ୍‌, ଜାଣନ୍ତୁ ଏହାର ଲକ୍ଷଣ ଓ କାରଣ


ପ୍ରତ୍ୟେକ ବର୍ଷ ୧୩ ସେପ୍ଟେମ୍ବରକୁ ୱାର୍ଲ୍ଡ ସେପ୍‌ସିସ୍‌ ଡେ’ ଭାବେ ପାଳନ କରାଯାଏ। ଏହି ଦିନରେ ଲୋକଙ୍କୁ ସେପ୍‌ସିସ୍‌ ସମ୍ପର୍କରେ ସଚେତନ କରାଯାଇଥାଏ, ଯାହା ମୃତ୍ୟୁର କାରଣ ମଧ୍ୟ ପାଲଟିପାରେ। ସାଧାରଣତଃ ସଂକ୍ରମଣ ସମୟରେ ଶରୀରରୁ ପ୍ରୋଷ୍ଟାଗ୍ଲାଣ୍ଡିନ୍‌ସ ଭଳି କେତେକ କେମିକାଲ ମେସେଞ୍ଜର୍ସ ରକ୍ତରେ ନିର୍ଗତ ହୋଇଥାଏ, ଯାହା କି ରୋଗ ବ୍ୟାପିବାରେ ସହାୟକ ହେଉଥିବା ପ୍ୟାଥୋଜେନ ସୃଷ୍ଟି ହେବାକୁ ଦିଏ ନାହିଁ। ସେପ୍‌ସିସ୍‌ ସେତେବେଳେ ହୋଇଥାଏ, ଯେତେବେଳେ ଶରୀର ଏହି କେମିକାଲକୁ ଠିକ୍‌ ଭାବେ ଗ୍ରହଣ କରି ପାରେ ନାହିଁ। ଏହା ନିୟନ୍ତ୍ରଣ ବାହାରକୁ ଚାଲିଗଲେ, ଶରୀରକୁ ଡ୍ୟାମେଜ୍‌ କରିବାରେ ଲାଗିଥାଏ।

ଏହି ସ୍ଥିତିରେ ମଲ୍ଟିପଲ ଅର୍ଗାନ ଫେଲ୍ୟୁଅର ହେବା ସହିତ ଶରୀରକୁ ବହୁତ କ୍ଷତି ପହଞ୍ଚିପାରେ। ଯଦି କଣ୍ଡିସନ ସେପ୍ଟିକ୍‌ ଶକ୍‌ ପର୍ଯ୍ୟନ୍ତ ପହଞ୍ଚିଯାଏ, ତେବେ ରୋଗୀଙ୍କ ରକ୍ତଚାପ ବହୁତ କମିଯାଏ, ଯାହାଫଳରେ ରୋଗୀ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିପାରେ। ତେଣୁ ସେପ୍‌ସିସ୍‌ ସମ୍ପର୍କରେ ଜାଣିବା ଓ ଏହା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିହାତି ଦରକାର।

ସେପ୍‌ସିସ୍‌ର ଲକ୍ଷଣ
ଶରୀରରେ ନିମୋନିଆ, ଘା’ରୁ ପୂଜ ବାହାରିବା, ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ୍‌ ଭଳି ସଂକ୍ରମଣ, ଶରୀରର ତାପମାତ୍ରା ୧୦୦.୯୪ ଡିଗ୍ରୀ ଫାରାନହାଇଟ୍‌ରୁ ଅଧିକ କିମ୍ବା ୯୬.୮ ଡିଗ୍ରୀରୁ କମ୍‌ ରହିବା, ଅସ୍ତବ୍ୟସ୍ତ ଲାଗିବା ଓ ଅସ୍ଥିର ଲାଗିବା, ରକ୍ତଚାପରେ ଉତ୍‌ଥାନ ପତ୍ତନ, ୧ ମିନିଟ୍‌ରେ ୯୦ରୁ ଅଧିକ ହୃତ୍‌ସ୍ପନ୍ଦନ, ଜୋର୍‌ରେ ନିଶ୍ବାସ ପ୍ରଶ୍ବାସ ଚାଲିବା, ପ୍ରାରମ୍ଭିକ ଅବସ୍ଥାରେ ରୋଗୀଙ୍କ ଚର୍ମ ଗରମ ହେବା ସହ ଲାଲ୍‌ ଦେଖାଯିବା, ଦୁର୍ବଳ ଲାଗିବା ସହିତ ଚର୍ମ ଥଣ୍ଡା ହୋଇଯାଏ ଏବଂ ପରିସ୍ରା କମ୍‌ ଲାଗିବା କିମ୍ବା ପୂରା ଦିନ ପରିସ୍ରା ନ ଲାଗିବା ଆଦି ସେପ୍‌ସିସ୍‌ର ଲକ୍ଷଣ ଅଟେ।

କାରଣ
ଭାରତୀୟଙ୍କ ଉପରେ ହୋଇଥିବା ଏକ ଗବେଷଣା ମୁତାବକ ସେପ୍‌ସିସ୍‌ ରୋଗୀଙ୍କ ଶ୍ବାସନଳୀରେ ହେଉଥିବା ସଂକ୍ରମଣ ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ। ଇଣ୍ଟ୍ରା-ଆବଡୋମିନାଲ ଇନ୍‌ଫେକ୍ସନ୍‌, ରକ୍ତ ସଂକ୍ରମଣ, ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ୍‌, ସ୍କିନ୍‌ ଇନ୍‌ଫେକ୍ସନ୍‌, ଗାଏନାକୋଲୋଜିକାଲ ଇନ୍‌ଫେକ୍ସନ୍‌, ହାଡ଼ ଓ ଗଣ୍ଠି ସହିତ ଜଡ଼ିତ ଇନ୍‌ଫେକ୍ସନ୍‌ ଓ ଅନ୍ୟାନ୍ୟ ସ୍ରୋତରୁ ହେଉଥିବା ସଂକ୍ରମଣ ମଧ୍ୟ ସେପ୍‌ସିସ୍‌ର କାରଣ ହୋଇପାରେ।

କାହାକୁ ହେବା ଆଶଙ୍କା ଅଧିକ
ବହୁତ ଛୋଟ ଓ ବୟସ୍କ ଲୋକ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକ, ମଧୁମେହ ଓ ସିରୋସିସ୍‌ ରୋଗୀ, ହସ୍ପିଟାଲରେ ଆଡମିଟ୍‌ ହୋଇଥିବା ରୋଗୀ, ବ୍ରିଦିଙ୍ଗ ଟ୍ୟୁବସ୍‌ କିମ୍ବା ଇଣ୍ଟ୍ରାଭେନସ୍‌ କ୍ୟାଥେଟର ବ୍ୟବହାର କରୁଥିବା ଲୋକ, କୋର୍ଟିକୋଷ୍ଟେରୋଏଡସ୍‌ କିମ୍ବା ଆଣ୍ଟିବାୟୋଟିକ୍ସ ବ୍ୟବହାର କରୁଥିବା ଲୋକଙ୍କଠାରେ ସେପ୍‌ସିସ୍‌ ହେବାର ଆଶଙ୍କା ଅଧିକ ରହିଛି।

ଚିକିତ୍ସା
ଯଦି ରୋଗୀଙ୍କୁ ଜ୍ବର ସହିତ ସଂକ୍ରମଣ ହେଉଛି, ଜୋରରେ ନିଶ୍ବାସ ପ୍ରଶ୍ବାସ ଚାଲିଲେ, ରକ୍ତଚାପ ଦ୍ରୁତବେଗରେ କମିଲେ, ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ। ବିଶେଷକରି ରୋଗୀ ଯଦି ରିସ୍କ ଫ୍ୟାକ୍ଟର୍ସ ଭିତରେ ଆସୁଛନ୍ତି ଓ ସମସ୍ୟା ଅଧିକ କ୍ରିଟିକାଲ ଥିଲେ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିପାରେ।

ସେପ୍‌ସିସ୍‌ରୁ କିପରି ରକ୍ଷା ପାଇବେ
ଫ୍ଲୁ, ନିମୋନିଆ ଓ ଅନ୍ୟ ସଂକ୍ରମଣ ପାଇଁ ତୁରନ୍ତ ଟୀକା ନିଅନ୍ତୁ। ସଫା ସୁତୁରା ରହନ୍ତୁ, ଘା’ ହୋଇଥିଲେ ଏହା ପ୍ରତି ଅଣଦେଖା କରନ୍ତୁନି। ପ୍ରତ୍ୟେକ ଦିନ ଗାଧୋଇବା ସହ ଖାଇବା ପୂର୍ବରୁ ହାତ ନିହାତି ଧୁଅନ୍ତୁ। ସଂକ୍ରମଣ ହୋଇଥିବା ସନ୍ଦେହ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ