ସେପ୍ଟେମ୍ବର ୨୬ରୁ ୨୯ ବନ୍ଦ ରହିବ ବ୍ୟାଙ୍କ୍‌


ଚଳିତ ମାସ ଶେଷ ଭାଗରେ ବ୍ୟାଙ୍କିଂ ପ୍ରତିଷ୍ଠାନଗୁଡ଼ିକ ୪ ଦିନ ପାଇଁ ବନ୍ଦ ରହିବ। ଆସନ୍ତା ସେପ୍ଟେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଏକାଧିକ କାରଣରୁ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ୍‌ ସେବା ମିଳିପାରିବ ନାହିଁ। ନିକଟରେ କେନ୍ଦ୍ର ସରକାର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ର ବିଲୟ ଘଟାଇ ଏହାକୁ ୪କୁ କମାଇଦେବେ ବୋଲି ଘୋଷଣା କରିଥିବା ବେଳେ ବିଭିନ୍ନ ବ୍ୟାଙ୍କିଙ୍ଗ୍‌ ସଂଘ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏହା ପ୍ରତିବାଦରେ ଏକାଧିକ ସଂଘ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଛନ୍ତି। ଏଥିରେ ଅଲ୍‌ ଇଣ୍ଡିଆ ବ୍ୟାଙ୍କ୍‌ ଅଫିସର୍ସ କନ୍‌ଫେଡେରେସନ୍‌ (ଏଆଇବିଓସି), ଅଲ୍‌ ଇଣ୍ଡିଆ ବ୍ୟାଙ୍କ୍‌ ଅଫିସର୍ସ ଆସୋସିଏସନ୍‌ (ଏଆଇବିଓଏ), ଇଣ୍ଡିଆନ୍‌ ନ୍ୟାସନାଲ୍‌ ବ୍ୟାଙ୍କ୍‌ ଅଫିସର୍ସ (ଆଇଏନ୍‌ବିଓସି, ନ୍ୟାସନାଲ୍‌ ଅର୍ଗାନାଇଜେସନ୍‌ ଅଫ୍ ବ୍ୟାଙ୍କ୍‌ ଅଫିସର୍ସ (ଏନ୍‌ଓବିଓ) ସାମିଲ୍‌ ହେବ। ଏହି ସଂଘଗୁଡ଼ିକ ଆସନ୍ତା ୨୬ରୁ ଦୁଇ ଦିନ ପାଇଁ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଦୁଇ ଦିନ ଗୁରୁବାର ଓ ଶୁକ୍ରବାର ପଡ଼ୁଥିବା ବେଳେ ସେପ୍ଟେମ୍ବର ୨୮ ଓ ୨୯ ଯଥାକ୍ରମେ ଚତୁର୍ଥ ଶନିବାର ଓ ରବିବାର ରହିଛି। ତେଣୁ ଉକ୍ତ ଦିନଗୁଡ଼ିକରେ ଦେଶର ଜନସାଧାରଣଙ୍କୁ ବ୍ୟାଙ୍କିଙ୍ଗ୍‌ ସେବା ମିଳିପାରିବ ନାହିଁ।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୩୦ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରି କହିଥିଲେ ଯେ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌, ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଓ ୟୁନାଇଟେଡ୍‌ ବ୍ୟାଙ୍କ୍‌କୁ ପରସ୍ପର ସହ ବିଲୟ କରିଦିଆଯିବ। ଏହି ବିଲୟ ପରେ ଏହା ଦେଶର ସର୍ବବୃହତ୍‌ ପିଏସ୍‌ୟୁ ବ୍ୟାଙ୍କ୍‌ରେ ପରିଣତ ହେବ। ସେହିପରି କାନାଡା ବ୍ୟାଙ୍କ୍‌ ସହ ସିଣ୍ଡିକେଟ୍‌ ବ୍ୟାଙ୍କ୍‌ର ବିଲୟ ପରେ ଏହା ଦେଶର ଚତୁର୍ଥ ବୃହତ୍ତମ ପିଏସ୍‌ବି ହୋଇପାରିବ। ତା’ଛଡ଼ା ୟୁନିଅନ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ୍‌ ଓ କର୍ପୋରେସନ୍‌ ବ୍ୟାଙ୍କ୍‌କୁ ପରସ୍ପର ସହ ବିଲୟ କରିଦିଆଯିବ। ଏହା ଦେଶର ପଞ୍ଚମ ସର୍ବବୃହତ୍‌ ପିଏସ୍‌ବିରେ ପରିଣତ ହୋଇଯିବ। ଆହୁରି ମଧ୍ୟ ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଓ ଆହ୍ଲାବାଦ ବ୍ୟାଙ୍କ୍‌କୁ ପରସ୍ପର ସହ ମିଶାଇ ଦିଆଯିବ। ଫଳସ୍ବରୂପ ଏହା ଦେଶର ସପ୍ତମ ସର୍ବବୃହତ୍‌ ପିଏସ୍‌ବି ହୋଇପାରିବ ବୋଲି ସୀତାରମଣ ଘୋଷଣା କରିଥିଲେ। ଏହି ବିଲୟ ପ୍ରକ୍ରିୟା ପରେ ଦେଶରେ ପିଏସ୍‌ବି ସଂଖ୍ୟା ୨୭ରୁ ୧୨କୁ ଖସିଆସିବ। ଦେଶରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଓ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ସ୍ବଧୀନ ଭାବେ କାର୍ଯ୍ୟ କରିବେ ବୋଲି ମଧ୍ୟ ସୀତାରମଣ ଘୋଷଣା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ