ପାଟି ସୁଆଦ
କଦଳୀ ପତ୍ରପୋଡ଼ା ମାଛର ମଜା ନିଅନ୍ତୁ

ନନ୍ଭେଜ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ମାଛ ପ୍ରେମୀଙ୍କ ସଂଖ୍ୟା ଅଧିକ। ଆମ ଦେଶରେ ଅନେକ ସ୍ଥାନରେ ମାଛ ଖାଇବାକୁ ଲୋକେ ପସନ୍ଦ କରନ୍ତି। ପଶ୍ଚିମ ବଙ୍ଗ, ଓଡ଼ିଶା ତଥା କେରଳରେ ଅଧିକାଂଶ ଲୋକେ ମାଛ ଖାଇବାକୁ ଭଲ ପାଇଥାନ୍ତି। ମାଛ ସ୍ବାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଯଦି ଆପଣ ମଧ୍ୟ ମାଛ ପ୍ରେମୀ, ତେବେ ଏଥର ମାଛ ରାନ୍ଧିବାବେଳେ ଏହାକୁ କଦଳୀ ପତ୍ରରେ ପୋଡ଼ନ୍ତୁ। ଆପଣଙ୍କୁ ଏକ ନିଆରା ସ୍ବାଦ ମିଳିବ। ଏହି ରେସିପି ଆପଣଙ୍କ ସହିତ ଆପଣଙ୍କ ପରିବାର ଲୋକଙ୍କୁ ମଧ୍ୟ ବହୁତ ପସନ୍ଦ ଆସିବ। ଏହାକୁ ତିଆରି କରିବା ମଧ୍ୟ ଏତେ କଷ୍ଟକର ନୁହେଁ। ଚାଲନ୍ତୁ ଜାଣିବା ଏହି ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
କ’ଣ ଦରକାର
୧ କିଲୋ ମାଛ, ୨ ଚାମଚ କଟା କଞ୍ଚା ଲଙ୍କା, ୪ଟି କଟା ପିଆଜ, ସ୍ବାଦାନୁସାରେ ଲୁଣ, ୨ଟି କଦଳୀ ପତ୍ର, ୨ ଚାମଚ ଲେମ୍ବୁ ରସ ଓ ୨ ଚାମଚ ସୋରିଷ ତଲ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କଦଳୀ ପତ୍ରକୁ ଭଲ ଭାବେ ଧୋଇ କିଚେନ୍ ଟାୱଲରେ ଭଲ ଭାବେ ପୋଛନ୍ତୁ। ଗ୍ୟାସ୍କୁ ଧିମା ଆଞ୍ଚରେ ରଖି ଏହି କଦଳୀ ପତ୍ରକୁ କିଛି ଉପରେ ରଖି ଧିରେ ଧିରେ ବୁଲାନ୍ତୁ। ଏପରି କଲେ କଦଳୀ ପତ୍ର କୁକିଂ ପାଇଁ ପୂରା ଉପଯୁକ୍ତ ହୋଇଯିବ। ମାଛକୁ ପ୍ୟାକ୍ କରିବା ପାଇଁ ଯେତିକି ବଡ଼ ପତ୍ର ଦରକାର ସେପରି କାଟନ୍ତୁ। ଏବେ ଏକ ବଡ଼ ପାତ୍ରରେ କଟା ମାଛ, ଅଧା କଟା ପିଆଜ, ଲେମ୍ବୁ ରସ ଓ କଞ୍ଚା ଲଙ୍କାକୁ ଏକାଠି ମିଶାନ୍ତୁ। ଏହାକୁ କଦଳୀ ପତ୍ର ଉପରେ ରଖି ପାର୍ସଲ କଲା ଭଳି ପ୍ୟାକ୍ କରନ୍ତୁ। ଏହାକୁ ଏକ ସୁତାରେ ବାନ୍ଧି ଦିଅନ୍ତୁ। ଏବେ ଏହି ପାର୍ସଲକୁ ମଧ୍ୟମ ଆଞ୍ଚରେ ରଖନ୍ତୁ। ପୋଡ଼ିବା ବାସ୍ନା ଆସିଲେ, ଅପରପାର୍ଶ୍ବକୁ ଓଲଟାଇ ଦିଅନ୍ତୁ। ଉଭୟ ପାର୍ଶ୍ବ ଭଲ ଭାବେ ସିଝିବା ଲାଗି ୧୦ରୁ ୧୫ ମିନିଟ୍ ସମୟ ଲାଗିବ। ସମସ୍ତ ସମଗ୍ରୀ ଭଲ ଭାବେ ସିଝିଗଲା ପରେ ଏହି ପ୍ୟାକ୍କୁ ଖୋଲନ୍ତୁ। କଟା ପିଆଜ ସହିତ ସୋରିଷ ତେଲ ପକାଇ ଏହାକୁ ମିକ୍ସ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ କଦଳୀ ପତ୍ରରେ ପୋଡ଼ା ମାଛ ପିସ୍। ଏହାକୁ ଷ୍ଟାଟର ଭାବେ ମଧ୍ୟ ଖାଇପାରିବେ।