ଅସାଧାରଣ ଆମ୍ମା: ୯୬ରେ ପାଠ ପଢ଼ା ଆରମ୍ଭ, ଏବେ ବିଦେଶରେ ଗୁଡ୍‌ ୱିଲ୍‌ ଆମ୍ବାସଡ଼ର


କୁହାଯାଏ, ପଢ଼ିବା ପାଇଁ କୌଣସି ବୟସ ନାହିଁ। ମଣିଷ ଯେପର୍ଯ୍ୟନ୍ତ ଚାହିବ, ପାଠ ପଢ଼ିପାରିବ। ଏହି କଥାକୁ କେରଳର ୯୬ ବର୍ଷୀୟା କାର୍ତ୍ତିୟାନୀ ଆମ୍ମା ସତ୍ୟ ବୋଲି ପ୍ରମାଣ କରିଛନ୍ତି। ଗତ ବର୍ଷ ୯୬ ବର୍ଷୀୟା ଆମ୍ମା ୯୮ ପ୍ରତିଶତ ମାର୍କ ସହିତ ସାକ୍ଷରତା ପରୀକ୍ଷାରେ ଟପ୍‌ କରିଛନ୍ତି। ସେ ପ୍ରମାଣ କରି ଦେଇଛନ୍ତି ଯେ ବାସ୍ତବରେ ପାଠପଢ଼ାର କୌଣସି ବୟସ ନାହିଁ।

୪୨ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରେ ଟପ୍ପର
ଆମ୍ମା କେବେ ବି ସ୍କୁଲ୍‌ ଯାଇ ନ ଥିଲେ। ସେ ଗତବର୍ଷ କେରଳରେ ହୋଇଥିବା ସାକ୍ଷରତା ମିଶନ ‘ଅକ୍ଷରଲକ୍ଷ୍ୟମ’ ପରୀକ୍ଷାରେ ଟପ୍‌ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଏହି ପରୀକ୍ଷାରେ ଆମ୍ମା ୪୨ ହଜାର ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଟପ୍‌ କରିଛନ୍ତି। ଏହି ପରୀକ୍ଷାରେ ଆମ୍ମା ଲିଖିତ ପରୀକ୍ଷାରେ ୪୦ରୁ ୩୮ ଓ ବାକି ପରୀକ୍ଷାରେ ପୂରା ନମ୍ବର ହାସଲ କରିଥିଲେ। ଆମ୍ମା କହିଛନ୍ତି ଯେ ଏହି ପରୀକ୍ଷା ବହୁତ ସହଜ ଥିଲା।

ଚତୁର୍ଥ ଶ୍ରେଣୀରେ ନେଇଥିଲେ ଆଡମିସନ୍‌
ଆମ୍ମାଙ୍କ କହିବାନୁସାରେ ପାଠ ପଢ଼ିବା ବୟସରେ ସେ ପଢ଼ି ପାରି ନ ଥିଲେ। କିନ୍ତୁ ଏବେ ସେ ପାଠପଢ଼ା ଶେଷ କରିବେ। ସେ ତାଙ୍କର ପୂରା ଜୀବନ ମନ୍ଦିରରେ ସେବା କରିବାରେ ବିତାଇଛନ୍ତି। ଏଥିସହିତ ସେ ଅନ୍ୟ ଘରେ ଚାକରାଣୀ ଭାବେ ମଧ୍ୟ କାମ କରୁଥିଲେ। ଏଥିପାଇଁ ସେ କେବେ ବି ଉଚ୍ଚ ସ୍ବପ୍ନ ଦେଖୁ ନ ଥିଲେ। ଆମ୍ମା କହିଛନ୍ତି ଯେ ସେ ଯେତେ ଅଧିକ ପଢ଼ିବେ, ସେତେ ଭଲ ନମ୍ବର ଆଣିବେ। ତେଣୁ ଯଥାସମ୍ଭବ ଅଧିକ ସେ ପଢ଼ିବାକୁ ଚାହୁଛନ୍ତି। ଏହି ପରୀକ୍ଷା ପରେ ଆମ୍ମାଙ୍କ ଦକ୍ଷତା ଅନୁସାରେ ତାଙ୍କୁ ଚତୁର୍ଥ ଶ୍ରେଣୀରେ ଆଡମିସନ୍‌ କରାଯାଇଥିଲା।

କାନାଡ଼ାର ଏକ ସଂସ୍ଥାର ଗୁଡ୍‌ ୱିଲ୍‌ ଆମ୍ବାସଡ଼ର
ଚଳିତ ବର୍ଷ ପ୍ରଥମରେ କାନାଡ଼ାର ଏକ ସଂସ୍ଥା ‘କମନ୍‌ୱେଲ୍‌ଥ ଲର୍ଣ୍ଣିଂ’ କାର୍ତ୍ତିୟାନୀ ଆମ୍ମାଙ୍କୁ ନିଜର ଗୁଡୱିଲ୍‌ ଆମ୍ବାସଡ଼ର ନିଯୁକ୍ତ କରିଛି। ୨୦୨୦ ସୁଦ୍ଧା କେରଳ ଏକ ଶତ ପ୍ରତିଶତ ସାକ୍ଷର ରାଜ୍ୟ ହୋଇଯାଉ ବୋଲି ଆମ୍ମା ଚାହୁଥିବା କହିଛନ୍ତି।

୬୦ ବର୍ଷୀୟା ଝିଅଠୁ ନେଇଥିଲେ ପ୍ରେରଣା
ଆମ୍ମା ପାଠ ପଢ଼ା ପାଇଁ ପ୍ରେରଣା ନିଜର ୬୦ ବର୍ଷୀୟା ଝିଅଠାରୁ ନେଇଥିଲେ। ତାଙ୍କ ଝିଅ ୨୦୧୬ରେ ୬୦ ବର୍ଷ ବୟସରେ ୧୦ମ ପରୀକ୍ଷା ପାସ୍‌ କରିଥିଲେ। ପୂର୍ବରୁ ସେ ସବୁବେଳେ ପିଲାଙ୍କ ଦେଖାଶୁଣାରେ ଲାଗି ରହୁଥିଲେ ଓ ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେ ପାଠ ପଢ଼ି ପାରି ନ ଥିଲେ। ତାଙ୍କ ଝିଅ ମାଟ୍ରିକ୍‌ ପାସ୍‌ କରିବା ପରେ ତାଙ୍କଠାରୁ ଆମ୍ମାଙ୍କୁ ପ୍ରେରଣା ମିଳିଥିଲା। ଏବେ ସେ ଭାବୁଛନ୍ତି ୧୦୦ ବର୍ଷ ବୟସ ବେଳକୁ ସେ ୧୦ମ ପାସ୍‌ କରିଯିବେ। କେବଳ ସେତିକି ନୁହେଁ, ଏବେ ସେ କମ୍ପ୍ୟୁଟର ଚଳାଇବା ମଧ୍ୟ ଶିଖୁଛନ୍ତି। ନିର୍ଦ୍ଦିଷ୍ଟ ବୟସ ପରେ ପାଠପଢ଼ା ହୋଇ ନ ଥାଏ ବୋଲି ଯେଉଁ ଧାରଣା ରହିଛି, ଆମ୍ମା ସେମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ