ଡ୍ରିମ୍‌ ବୟଙ୍କୁ ‘ଡ୍ରିମ୍‌ ଗାର୍ଲ’ର ଜନ୍ମଦିନ ଉପହାର


ଏବେ ବଲିଉଡ୍‌ରେ ଆୟୁଷ୍ମାନ ଖୁରାନାଙ୍କ ଲୋକପ୍ରିୟତା ଯେମିତି, ତାଙ୍କୁ ଡ୍ରିମ୍‌ ବୟ କହିଲେ ଭୁଲ୍‌ ହେବ ନାହିଁ। ସେପ୍ଟେମ୍ବର ୧୪ରେ ଆୟୁଷ୍ମାନ ନିଜର ୩୫ତମ ଜନ୍ମ ଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଆଗରୁ ତାଙ୍କ ପାଇଁ ଏକ ଗୁଡ୍‌ ନ୍ୟୁଜ୍‌ ମିଳିଛି। ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଆୟୁଷ୍ମାନଙ୍କ ‘ଡ୍ରିମ୍‌ ଗାର୍ଲ’ ସିନେମା ରିଲିଜ୍‌ ହୋଇଥିଲା। ଏହା ତାଙ୍କର ସବୁଠାରୁ ବଡ଼ ଓପନିଂ ସିନେମା ପାଲଟିଛି। ‘ଡ୍ରିମ୍‌ ଗାର୍ଲ’ ସିନେମା ପ୍ରଥମ ଦିନରେ ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା କଲେକ୍ସନ୍‌ କରିଛି, ଯାହା ଏ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଫିଲ୍ମର ପ୍ରଥମ ଦିନ କଲେକ୍ସନଠାରୁ ଅଧିକ। କେବଳ ସେତିକି ନୁହେଁ, ଚଳିତ ବର୍ଷ ରିଲିଜ୍‌ ହୋଇଥିବା ମିଡ୍‌ ରେଞ୍ଜର ସମସ୍ତ ଫିଲ୍ମ ମଧ୍ୟରେ ଆୟୁଷ୍ମାନଙ୍କ ‘ଡ୍ରିମ୍‌ ଗାର୍ଲ’  ସିନେମା ପ୍ରଥମ ଦିନରେ ସବୁଠାରୁ ଅଧିକ ଟଙ୍କା ଆୟ କରି ତାଙ୍କର ସବୁଠୁ ବଡ଼ ଓପନର ଫିଲ୍ମ ପାଲଟିଛି। ପ୍ରଥମ ଦିନରେ ‘ଡ୍ରିମ୍‌ ଗାର୍ଲ’ ସିନେମା ବକ୍ସ ଅଫିସ୍‌ରେ ୧୦.୦୫ କୋଟି ଟଙ୍କା କଲେକ୍ସନ୍‌ କରିଛି।

ଚଳିତ ବର୍ଷ ମିଡ୍‌ ରେଞ୍ଜ ଫିଲ୍ମ ମଧ୍ୟରେ ଭିକ୍କି କୌଶଲଙ୍କ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ପ୍ରଥମ ଦିନ ୮.୨୦ କୋଟି ଟଙ୍କା, କାର୍ତ୍ତିକ ଆର୍ୟନ, କୃତି ସେନନଙ୍କ ‘ଲୁକା ଛୁପ୍ପି’ ପ୍ରଥମ ଦିନରେ ୮ କୋଟି ଟଙ୍କା ଓ ଚଳିତ ସପ୍ତାହରେ ରିଲିଜ୍‌ ହୋଇଥିବା ନିର୍ଦେଶକ ନିତେଶ ତିୱାରୀଙ୍କ ‘ଛିଛୋରେ’ ୭.୩୨ କୋଟି ଟଙ୍କାର ଓପନିଂ କରିଥିଲା। ସେହିପରି ଆୟୁଷ୍ମାନଙ୍କ ଫିଲ୍ମ  ‘ଡ୍ରିମ୍‌ ଗାର୍ଲ’ ତାଙ୍କର ରିଲିଜ୍‌ ହୋଇସାରିଥିବା ସମସ୍ତ ଫିଲ୍ମର ରେକର୍ଡ ଭାଙ୍ଗି ଦେଇଛି। ‘ବଧାଇ ହୋ’ ସିନେମା ପ୍ରଥମ ଦିନରେ ୭.୩୫ କୋଟି ଟଙ୍କା, ‘ଆର୍ଟିକିଲ ୧୫’ ପ୍ରଥମ ଦିନରେ ୫.୦୨ କୋଟି ଟଙ୍କା, ‘ଅନ୍ଧାଧୁନ’ ପ୍ରଥମ ଦିନରେ ୨.୭୦ କୋଟି ଟଙ୍କା, ‘ଶୁଭ ମଙ୍ଗଳ ସାବଧାନ’ ପ୍ରଥମ ଦିନରେ ୨.୭୧ କୋଟି ଟଙ୍କା କଲେକ୍ସନ୍‌ କରିଥିଲା। ଚଳିତ ବର୍ଷ ଆୟୁଷ୍ମାନଙ୍କ ପାଇଁ ବହୁତ ଶୁଭ ରହିଛି। କାରଣ ଚଳିତ ବର୍ଷ ‘ବଧାଇ ହୋ’ ସିନେମା ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ତାଙ୍କ ବଲିଉଡ୍‌ କ୍ୟାରିଅରର ଆରମ୍ଭ ଜନ୍‌ ଆବ୍ରାହମଙ୍କ ପ୍ରଡକ୍ସନ୍‌ରେ ନିର୍ମିତ ସିନେମା ‘ଭିକ୍କି ଡୋନର’ରୁ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା ମିଳିଥିଲା। 

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ