ବାପା ମା’ଙ୍କ ସହଯୋଗ ଥିଲେ, ପିଲାଙ୍କୁ ହୋଇ ନ ଥାଏ ଅବସାଦ


କିଛି ଦିନ ତଳେ ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାରରେ ରହୁଥିବା ଏକାଦଶ ଶ୍ରେଣୀର ଜଣେ ଛାତ୍ରଙ୍କୁ ତାଙ୍କ ବାପା ଗାଳି ଦେବାରୁ ସେ ରାଗିଯାଇ ଆତ୍ମହତ୍ୟା କରିଥିବା ଖବର ଶୁଣିବାକୁ ମିଳିଥିଲା। ଏହି ହୃଦୟବିଦାରକ ଘଟଣା ସମାଜ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ମା’ବାପା ନିଜ ପ୍ୟାରେଣ୍ଟିଂରେ କିପରି ପରିବର୍ତ୍ତନ ଆଣିବେ, ଯାହାଫଳରେ ପିଲାଙ୍କ ବଦଳୁଥିବା ବ୍ୟବହାରକୁ ଜାଣିପାରିବା ସହିତ ସେମାନଙ୍କୁ ଚାଇଲ୍ଡହୁଡ୍‌ ଡିପ୍ରେସନ୍‌ରୁ ରକ୍ଷା କରିପାରିବେ ଏହା ଏକ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ଚାଲନ୍ତୁ ଜାଣିବା ମନୋବିଜ୍ଞାନୀ ଏ ସମ୍ପର୍କରେ କ’ଣ କହନ୍ତି।

ପିଲାଙ୍କ ଉପରେ ରଖନ୍ତୁ ନଜର
ବରିଷ୍ଠ ମନୋରୋଗ ବିଶେଷଜ୍ଞ ଡା.ଆର.ପି ବେନିୱାଲ କହିଛନ୍ତି ଯେ ଯଦି ଆପଣ ଏହି ଘଟଣା ଉପରେ ବିଶ୍ଲେଷଣ କରିବେ, ତେବେ ଉକ୍ତ ପିଲା କେବଳ ଏହି ଗୋଟିଏ କାରଣ ପାଇଁ ଏତେ ବଡ଼ ପଦକ୍ଷେପ ନେଇ ନ ଥିବ। ହୁଏତ ଏହା ପଛରେ ଅନେକ କାରଣ ମଧ୍ୟ ରହିଥିବ। ସାଧାରଣତଃ ଅବସାଦ ଗ୍ରସ୍ତ ଲୋକେ ଶେଷରେ ଏଭଳି ପଦକ୍ଷେପ ନେଇଥାନ୍ତି। ଏହି ପଦକ୍ଷେପ ନେବା ପୂର୍ବରୁ ସେମାନେ ଅନେକ ଗୁଡ଼ିଏ ହିଣ୍ଟ ମଧ୍ୟ ଦେଇଥାନ୍ତି। ଏଥିରେ କେବଳ ପିଲାର ଦୋଷ ନାହିଁ, ଆଜିକାଲିର ଧାଁ ଧପଡ଼ ଜୀବନରେ ପ୍ୟାରେଣ୍ଟମାନେ ପିଲାଙ୍କ ଛୋଟ ଛୋଟ ହରକତ ଉପରେ ଦୃଷ୍ଟି ଦେଇପାରୁ ନାହାନ୍ତି। ଯଦି ପିଲା ଦୀର୍ଘ ଦିନ ଧରି ଚୁପ୍‌ ରହୁଛନ୍ତି କିମ୍ବା ଚିନ୍ତିତ ଦେଖା ଯାଉଛନ୍ତି ତେବେ ସେମାନଙ୍କ ସହିତ କଥା ହେବା ଉଚିତ ବୋଲି ଡା.ବେନିୱାଲ କହିଛନ୍ତି।

ପିଲାଙ୍କୁ ଶାରୀରିକ କାର୍ଯ୍ୟକଳାପ କରିବା ଲାଗି ଅନୁପ୍ରାଣିତ କରନ୍ତୁ
ପିଲାମାନେ ଆଜିକାଲି ଶାରୀରିକ କାର୍ଯ୍ୟକଳାପଠାରୁ ଦୂରେଇ ରହୁଛନ୍ତି। ସେମାନେ ଅଧିକାଂଶ ସମୟ ମୋବାଇଲ୍‌, ଲ୍ୟାପଟପ୍‌ ଭଳି ଗ୍ୟାଜେଟ୍‌ ସହିତ ସାରା ଦିନ ରହୁଛନ୍ତି। କେତେକ ବାପା ମା’ ପିଲାଙ୍କୁ ବହୁତ କମ୍‌ ବୟସରୁ ମୋବାଇଲ୍‌ ଦେଇ ଦେଉଛନ୍ତି। ଏହା ବଦଳରେ ସେମାନେ ପିଲାଙ୍କୁ ବାହାରେ ଖେଳିବାକୁ ଅନୁପ୍ରାଣିତ କରିବା ଉଚିତ। ହେଲ୍‌ଦି ମସ୍ତିଷ୍କ ଲାଗି ଏହା ନିହାତି ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ପିଲାଙ୍କ ବିହେଭିଅର ଥେରାପି ଉପରେ ପ୍ୟାରେଣ୍ଟ କାମ କରନ୍ତୁ
ସାଇକିଆଟ୍ରିକ୍‌ ଡା. ଅଭିନବ ତିୱାରୀ କହିଛନ୍ତି ଯେ ଏଭଳି ଘଟଣାର ଅନେକ ଦିଗ ରହିଛି। ଗୋଟିଏ ଘଟଣା ପାଇଁ କେହି ଏତେ ବଡ଼ ନିଷ୍ପତ୍ତି ନେଇ ନ ଥାନ୍ତି। ତାଙ୍କ ପାଖକୁ ଯେତେବେଳେ ଏଭଳି ମାମଲା ଆସୁଛି, ସେତେବେଳେ ସେ ତାଙ୍କ ବାପା ମା’ଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ବାପା ମା’ଙ୍କୁ ପିଲାଙ୍କ ବିହେଭିଅର ଥେରାପି ଉପରେ କାମ କରିବାକୁ ପରାମର୍ଶ ଦେଇଥାନ୍ତି। ଏଥିପାଇଁ ପିଲାଙ୍କ ସହିତ ବୁଲିବାକୁ ଯିବା, ସେମାନଙ୍କ ସହ ସମୟ ବିତାଇବା, ସେମାନଙ୍କ ଜୀବନ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ। ପାଠ ପଢ଼ା ସହିତ ପିଲାଙ୍କ ଭିତରେ ପିଲା ଦିନୁ ଏକ ହାବିଟ୍‌ ଡେଭଲପ୍‌ ହୋଇଥାଏ। ଏହା ପିଲାଙ୍କ ବ୍ୟବହାରରେ ବହୁତ ପରିବର୍ତ୍ତନ ଆଣିଥାଏ। ଏହା ମାଧ୍ୟମରେ ପିଲାମାନେ ଚାପକୁ ବାହାରକୁ ବାହାର କରିଥାଆନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ