ଉତ୍ତମ ସ୍ବାସ୍ଥ୍ୟ
ଚାପ ବି ନେଇଯାଏ ଜୀବନ, ଜାଣନ୍ତୁ କାରଣ

ନୋଏଡ଼ାରେ ଜଣେ ଯୁବକଙ୍କ ଟ୍ରାଫିକ୍ ପୋଲିସ ସହିତ ଯୁକ୍ତିତର୍କ ସମୟରେ ହୃଦ୍ଘାତ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଖବର ଶୁଣିବାକୁ ମିଳୁଛି। ପରିବାର ଲୋକଙ୍କ କହିବାନୁସାରେ ଯୁବକଙ୍କର ହୃଦୟ ସହିତ ଜଡ଼ିତ କୌଣସି ରୋଗ ନ ଥିଲା। ସେହିପରି ପୋଲିସ କହିବାନୁସାରେ ଉକ୍ତ ଯୁବକ ମଧୁମେହ ରୋଗରେ ପୀଡ଼ିତ ଥିଲେ। ତେବେ ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଚାପ ଓ ମଧୁମେହ ସହିତ ହୃତ୍ଘାତ ଗଭୀର ସମ୍ପର୍କ ରହିଛି। ଚାଲନ୍ତୁ ଜାଣିବା କିଭଳି ଭାବେ ଏହି ହେଲ୍ଥ କଣ୍ଡିସନ୍ ହୃତ୍ଘାତର କାରଣ ହୋଇପାରେ।
ଚାପ ଓ ହୃଦ୍ରୋଗ
‘ଦ କାର୍ଡିଓଭାସ୍କ୍ୟୁଲାର ଟୋଲ୍ ଅଫ୍ ଷ୍ଟ୍ରେସ୍’ ନାମକ ହେଲ୍ଥ ରିପୋର୍ଟ ମୁତାବକ ଚାପ ହୃତ୍ପିଣ୍ଡକୁ ଭାଙ୍ଗି ଦେଇଥାଏ। ଏଥିରେ କୁହାଯାଇଛି ଯେ ରାଗ ଓ ଝଗଡ଼ା କାରଣରୁ ହେଉଥିବା ଇମୋସନାଲ ଷ୍ଟ୍ରେସ୍ ହୃଦ୍ଘାତର କାରଣ ହୋଇ ବ୍ୟକ୍ତିଙ୍କ ଜୀବନ ନେଇପାରେ। ଏକ ଗବେଷଣା ମୁତାବକ ଚାପ ପାଇଁ ନିର୍ଗତ ହେଉଥିବା ହରମୋନ୍ ରକ୍ତଚାପ ବଢ଼ାଇ ଦିଏ। ଯାହା ହୃତ୍ପିଣ୍ଡ ପାଇଁ ଠିକ୍ ହୋଇ ନ ଥାଏ। ଚାପ କାରଣରୁ ରକ୍ତ ଜମାଟ ବାନ୍ଧି ଦିଏ, ଯାହା ହୃତ୍ପିଣ୍ଡ ପର୍ଯ୍ୟନ୍ତ ରକ୍ତ ପହଞ୍ଚିବାରେ ବାଧା ସୃଷ୍ଟି କରେ। ଯାହାଫଳରେ ହୃଦ୍ଘାତର କାରଣ ପାଲଟିଥାଏ।
ମଧୁମେହ ବି ବଢ଼ାଏ ହୃଦ୍ଘାତ
ଯଦି କୌଣସି ବ୍ୟକ୍ତିଙ୍କ ମଧୁମେହ ରହିଛି, ତେବେ ସେମାନଙ୍କଠାରେ ହୃଦ୍ଘାତ ଆଶଙ୍କା ବଢ଼ିଯାଏ। ମଧୁମେହ ଶିରା ପ୍ରଶିରାକୁ କ୍ଷତି ପହଞ୍ଚାଇଥାଏ। ଏଥିସହିତ ହୃତ୍ପିଣ୍ଡ ଓ ଶିରାକୁ ନିୟନ୍ତ୍ରଣ କରୁଥିବା ନର୍ଭସ୍କୁ ମଧ୍ୟ ଡ୍ୟାମେଜ୍ କରିପାରେ। ଏହି କାରଣରୁ ଶରୀରର ରକ୍ତ ଯୋଗାଣ ଉପରେ ପ୍ରଭାବ ପଡ଼ିଥାଏ। ଏହା ହୃତ୍ପିଣ୍ଡ ପର୍ଯ୍ୟନ୍ତ ଅମ୍ଳଜାନ ଓ ରକ୍ତ ପହଞ୍ଚିବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ମଧୁମେହ କାରଣରୁ କୋଲେଷ୍ଟ୍ରଲ ଓ ଫ୍ୟାଟ୍ ଆର୍ଟେରୀରେ ଜମା ହେବାରେ ଲାଗେ ଓ ରକ୍ତ ଯୋଗାଣରେ ବାଧା ସୃଷ୍ଟି ହୁଏ। ଏହା ହୃଦ୍ଘାତ ଓ ଷ୍ଟ୍ରୋକ୍ର କାରଣ ପାଲଟିଥାଏ।
ଚାପ ସ୍ଥିତିରେ କ’ଣ କରିବେ
ଯଦି ଆପଣଙ୍କ ସାମ୍ନାରେ ଅଚାନକ ଏଭଳି ସ୍ଥିତି ଆସୁଛି, ଯେଉଁଥିରେ ଚାପ ବଢ଼ିବା ଏକ ରକମ ସ୍ଥିର, ଏଭଳି ସ୍ଥିତିରେ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଗଭୀର ଶ୍ବାସ ନିଅନ୍ତୁ। ଅମ୍ଳଜାନର ଫ୍ଲୋ ବଢ଼ିବା ପରେ ଶରୀରକୁ ଶାନ୍ତ ରଖିବା ଓ ବ୍ଲଡ୍ ଫ୍ଲୋ ସାମାନ୍ୟ ରଖିବାରେ ସାହାଯ୍ୟ ମିଳିବ। ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିବ। ତେଣୁ ଲଗାତର କାହାରି ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ଓ ଶରୀରକୁ ରିଲାକ୍ସ ହେବାକୁ ସମୟ ଦିଅନ୍ତୁ। ସାମ୍ନାବାଲ ଲୋକଙ୍କ କଥାକୁ ଧ୍ୟାନର ସହ ଶୁଣନ୍ତୁ ଓ ପରେ ପ୍ରତିକ୍ରିୟା ଦିଅନ୍ତୁ। ଏହାଦ୍ବାରା ଶରୀରକୁ ବ୍ରେକ୍ ଟାଇମ୍ ମିଳିବ, ଯାହା ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ