କୋହଲି-ରୋହିତ ମତଭେଦ ସମ୍ପର୍କରେ ଶାସ୍ତ୍ରୀଙ୍କ ମତ: ଭିନ୍ନ ମତ ବିବାଦ ନୁହେଁ


ୱେଷ୍ଟଇଣ୍ଡିଜ ଗସ୍ତ ଶେଷ କରି ଫେରିବା ବାଟରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ପୁଣି ଥରେ ଦୁଇ ବରିଷ୍ଠ ଖେଳାଳି ଅଧିନାୟକ ବିରାଟ କୋହଲି ଓଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ରହିଛି ବୋଲି ଗଣମାଧ୍ୟମରେ ହେଉଥିବା ଆଲୋଚନା ଉପରେ ମତ ଦେଇଛନ୍ତି। ସେ କହିଛନ୍ତି ଯେ ପାଞ୍ଚ ବର୍ଷ ହେଲା ଦଳ ସହ ସେ ରହି ଆସିଛନ୍ତି। ଡ୍ରେସିଂ ରୁମ୍‌ରେ ଖେଳାଳିଙ୍କ ସମସ୍ୟା ସମ୍ପର୍କରେ ସେ ପୁରା ଅବଗତ ଅଛନ୍ତି। ମାତ୍ର କୌଣସି କ୍ଷେତ୍ରରେ ବି କୋହଲି ଓ ରୋହିତଙ୍କ ମଧ୍ୟରେ ବିବାଦ ଥିବା ସେ ଦେଖି ନାହାନ୍ତି।

ସେ ଆହୁରି କହିଛନ୍ତି ଯେ ଦଳରେ ୧୫ ଜଣ ଖେଳାଳି ଅଛନ୍ତି। ସମସ୍ତଙ୍କ ମତ ସମାନ ହେବ ବୋଲି କୁହାଯାଇ ପାରିବ ନାହିଁ। ତେଣୁ ଅନେକ କ୍ଷେତ୍ରରେ କୋହଲି ଓ ରୋହିତଙ୍କ ମତ ଅଲଗା ହେବା ସ୍ବାଭାବିକ। ମାତ୍ର ଏହାକୁ ବିବାଦ ବୋଲି କୁହାଯାଇ ପାରିବ ନାହିଁ। ଯଦି ଦୁଇ ଜଣଙ୍କ ମଧ୍ୟରେ ବିବାଦ ଥାଆନ୍ତା, ତାହେଲେ ଶେଷ ହୋଇଥିବା ବିଶ୍ବକପ୍‌ରେ ରୋହିତ କିପରି ୫ଟି ଶତକ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ବିଶ୍ବକପ୍‌ରେ ରୋହିତ ଓ କୋହଲିଙ୍କ ମଧ୍ୟରେ ସର୍ବାଧିକ ପାର୍ଟନରଶିପ୍‌ ରନ୍‌ ମଧ୍ୟ ଦେଖିବାକୁ ମିଳିଛି। ତେଣୁ ଦୁଇ ଖେଳାଳିଙ୍କ ମଧ୍ୟରେ ବିବାଦ କଥା ଆଦୌ ଗ୍ରହଣୀୟ ନୁହେଁ।

ଏଥିସହ ଶାସ୍ତ୍ରୀ ଆହୁରି କହିଛନ୍ତି ଯେ ଦଳରେ ସାମିଲ ହେଉଥିବା ଯୁବ ଖେଳାଳିଙ୍କ କଥାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଯଦି ଜଣେ ଯୁବ ଖେଳାଳି ଡ୍ରେସିଂ ରୁମ୍‌ରେ ମ୍ୟାଚ୍‌ର ରଣନୀତି ନେଇ କିଛି ବି କୁହନ୍ତି, ତାହା ଉପରେ ଆଲୋଚନା ହୋଇଥାଏ। ଏପରିକି ଆବଶ୍ୟକୀୟ ମନେ ହେଲେ ତାଙ୍କ କଥାକୁ ମ୍ୟାଚ୍‌ରେ ଗ୍ରହଣ କରାଯାଇଥାଏ। ବିଗତ ୫ ବର୍ଷରେ ସେ ଦଳରେ କୌଣସି ପ୍ରକାର ବିବାଦ ଦେଖିନାହାନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ