ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ପ୍ରସ୍ତୁତ ହେବ ଲିଙ୍ଗରାଜ ମନ୍ଦିର ଆଇନ


ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ଢାଞ୍ଚାରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ମଧ୍ୟ ଏକ ଆକ୍ଟ ଖୁବ୍‌ଶୀଘ୍ର ପ୍ରଣୟନ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଜେନା ଏହା କହିଛନ୍ତି।

ଶ୍ରୀଲିଙ୍ଗରାଜ ମନ୍ଦିର ପୁରୀର ଶ୍ରୀମନ୍ଦିର ସହ ସମସାମୟିକ ହୋଇଥିବାରୁ ଏପରି ଆକ୍ଟ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୈଠକରେ ମତ ଦେଇଥିଲେ। ଏଥିସହ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ପୁନର୍ଗଠନ କରିବା, ଆଇନ ପ୍ରସ୍ତୁତି ପାଇଁ ଟ୍ରଷ୍ଟବୋର୍ଡ ଆଇନ ବିଭାଗକୁ ଦେବୋତ୍ତର କମିଶନଙ୍କ ମାଧ୍ୟମରେ ପ୍ରସ୍ତାବ ଦିଆଯିବ। ମନ୍ଦିର ଆଇନ ପ୍ରସ୍ତୁତି ସମ୍ବନ୍ଧରେ ଅଭିଜ୍ଞତା ଥିବା ଆଇନଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ମନ୍ତ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ।

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ, ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ରକ୍ଷଣାବେକ୍ଷଣ, ମାର୍କେଟ କମ୍ପେ୍ଲକ୍ସ ସମ୍ବଦ୍ଧିତ ସମସ୍ୟାର ସମାଧାନ, ଦେବୀ ପାଦହରା ପୋଖରୀର ଉନ୍ନୟନ ପାଇଁ ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇସାରିଥିବା ବୈଠକରୁ ଜଣାପଡ଼ିଛି। ଏଥିସହିତ ଘଟଗାଁ ତାରିଣୀ ମନ୍ଦିର କମିଟି ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ପୁନର୍ଗଠନ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଦେବୋତ୍ତର ବିଭାଗ ତଦନ୍ତ କରିବା ପାଇଁ ଉକ୍ତ ବୈଠକରେ ମଧ୍ୟ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରିନାରାୟଣ ପାତ୍ର, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସମେତ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ