ଅଦିନିଆ ରଥଯାତ୍ରା ମହାପ୍ରଭୁଙ୍କ ପ୍ରତି ଅପମାନ: ଗଜପତି ମହାରାଜ


ପୁରୀ: ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଅଦିନରେ ମହାପ୍ରଭଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ ବୋଲି ସେ ମତ ଦେଇଛନ୍ତି। ଏଥିସହ ନିର୍ଦ୍ଧାରିତ ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା କରିବାକୁ ସେ ଆହ୍ବାନ ଦେଇଛନ୍ତି।

ମହାରାଜ କହିଛନ୍ତି, ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ। ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନ ବିଜେ କରିଥାନ୍ତି। ତ୍ରୟୋଦଶୀ/ଚତୁର୍ଦ୍ଦଶୀରେ ମହାପ୍ରଭୁ ରତ୍ନ ସିଂହାସନ ବିଜେ କରିଥାନ୍ତି। ତେଣୁ ବିଶ୍ୱର ସବୁ ଜଗନ୍ନାଥପ୍ରେମୀ ନିର୍ଦ୍ଧାରିତ ତିଥିରେ ଘୋଷଯାତ୍ରା କରନ୍ତୁ। ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଂଘନ କରି କେହି ପବିତ୍ର ଯାତ୍ରା ନ କରିବାକୁ ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ୱର ୨୭ ତାରିଖରେ ଇସ୍କନ୍‌ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ଜଣାପଡ଼ିବା ପରେ ଓଡ଼ିଶାରେ ଏନେଇ ତୀବ୍ର ପ୍ରତିବାଦ ହୋଇଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ କେଉଁ ଆବହମାନ କାଳରୁ ଚାଲି ଆସିଛି। ତେବେ ଇସ୍କନ୍‌ର ଏହି ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧୀ ବୋଲି ବିଜେପି ଅଭିଯୋଗ କରିଥିଲା। ତେବେ ବିରୋଧ ହେବା ପରେ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରି ଥିଲା ଇସ୍କନ। ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ କରି  ସୋମବାର ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ଶ୍ରୀଜଗନ୍ନାଥ ସେନା ଓ ପୁରୀ ସଚେତନ ନାଗରିକ ମଞ୍ଚ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ