ଶାହଜହାନପୁର ପୀଡ଼ିତାଙ୍କ ବିସ୍ଫୋରକ ବୟାନ: ସ୍ବାମୀ ଚିନ୍ମୟାନନ୍ଦ ମୋ ସହ ଦୁଷ୍କର୍ମ କରିଛନ୍ତି


ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦ ମୋ ସହ ଦୁଷ୍କର୍ମ କରିଛନ୍ତି ଓ ମୋତେ ବର୍ଷେ କାଳ ଶାରିରୀକ ନିର୍ଯାତନା ଦେଇଛନ୍ତି ବୋଲି ଜଣେ ସ୍ନାତକୋତ୍ତର ଡିଗ୍ରୀଧାରୀ ଛାତ୍ରୀ ଗୁରୁତର ଅଭିଯୋଗ ଆଣି ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ଦୁଷ୍କର୍ମ ଅଭିଯୋଗ ଆଣିଥିବା ଛାତ୍ରୀ ଜଣକ ଆହୁରି କହିଛନ୍ତି ଯେ ସେ ଶାହଜହାନପୁର ପୋଲିସ ଷ୍ଟେସନ୍‌ରେ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ନେଇ ଏତଲା କରିଥିଲେ ବି ତାହାକୁ ପୋଲିସ ଗ୍ରହଣ କରି ନ ଥିଲା। ଏଣୁ ସେ ବାଧ୍ୟ ହୋଇ ଦିଲ୍ଲୀ ପୋଲିସରେ ଅଭିଯୋଗ କଲେ ବୋଲି ଗଣମାଧ୍ୟମ ଆଗରେ ମୁହଁ ଘୋଡାଇ ବୟାନ ଦେଇଛନ୍ତି। ଦିଲ୍ଲୀ ପୋଲିସ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରି ତଦନ୍ତ ପାଇଁ ଶାହଜହାନପୁର ପୋଲିସ ନିକଟକୁ ପଠାଇ ଦେଇଛି।

ପୀଡ଼ିତା ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ରବିବାର ତଦନ୍ତ ପାଇଁ ଗଠନ ହୋଇଥିବା ଏସ୍‌ଆଇଟି ତାଙ୍କୁ ୧୧ ଘଣ୍ଟା କାଳ ଜେରା କରି ସବୁ ତଥ୍ୟ ନେଇଛି। ମାତ୍ର ଏଯାବତ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଗିରଫ କରିପାରି ନାହିଁ। ଏଥିସହ ପୀଡ଼ିତା ଆହୁରି କହିଛନ୍ତି ଯେ ଯେତେବେଳେ ତାଙ୍କ ବାପା ଏନେଇ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ଇନ୍ଦ୍ର ବିକ୍ରମ ସିଂହଙ୍କ ନିକଟରେ ଅଭିଯୋଗ କଲେ ସେତେବେଳେ ମାଜିଷ୍ଟ୍ରେଟ୍‌ ତାଙ୍କୁ ଧମକ ଦେବା ସହ ପୀଡ଼ିତାଙ୍କ ନାଁରେ ନିଖୋଜ ମାମଲା ରୁଜୁ କରିବା ପାଇଁ ଚାପ ପ୍ରୟୋଗ କରିଥିଲେ। ସେ ସ୍ପଷ୍ଟ କରିବାକୁ ଚାହାନ୍ତି ଯେ ସ୍ବାମୀ ଚିନ୍ମୟାନନ୍ଦ ପ୍ରତିଷ୍ଠା କରିଥିବା କଲେଜ୍‌ରେ ଅନେକ ଛାତ୍ରୀଙ୍କୁ ନିର୍ଯାତନା ଦେଇଛନ୍ତି। ମାତ୍ର ସେ କେବଳ ଏକା ସାହସ ଜୁଟାଇ ଏହାର ଗୁମର ସାମ୍ନାକୁ ଆସିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଏହି ଅଭିଯୋଗକୁ ନେଇ ସୁପ୍ରିମକୋର୍ଟ ତାଙ୍କ ନିଜ ପକ୍ଷରୁ ମାମଲା କରି ଆହ୍ଲାବାଦ ହାଇକୋର୍ଟକୁ ତଦନ୍ତ କରିବାକୁ ନିର୍ଦେଶ ଦେବା ପରେ ଏସବୁ କଥା ପଦାକୁ ଆସିଛି। ବର୍ତ୍ତମାନ ଆହ୍ଲାବାଦ ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନରେ ଏହି ମାମଲାର ତଦନ୍ତ ଏସ୍‌ଆଇଟି ଆରମ୍ଭ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ