ଗୁଲଶନ କୁମାରଙ୍କ ବାୟୋପିକ୍‌କୁ ପୁଣି ଫେରିଲେ ଆମୀର


ବର୍ଷ ୨୦୧୮ରୁ ଗୁଲଶନ କୁମାରଙ୍କ ବାୟୋପିକ୍‌ କରାଯିବା ନେଇ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଥିଲା। ପ୍ରଥମେ ଏହି ବାୟୋପିକ୍‌ରେ ଆମୀର ଖାନ କାମ କରିବା ନେଇ ଚର୍ଚ୍ଚା ହେଉଥିଲା, କିନ୍ତୁ ସେ ଏଥିରେ କାମ କରିବାକୁ ମନା କରି ଦେଇଥିଲେ। ଆମୀର ଏହି ଫିଲ୍ମ ଛାଡ଼ିବା ପରେ ଏଥିରେ ଶାହରୁଖ ଖାନ ଅଭିନୟ କରିବେ ବୋଲି ଖବର ଶୁଣିବାକୁ ମିଳିଥିଲା। ଯାହା ପରେ ଗୁଜବ ବୋଲି ଜଣାପଡ଼ିଥିଲା। ଏବେ ଶୁଣିବାକୁ ମିଳୁଛି ଆମୀର ଖାନ ପୁଣି ଥରେ ଗୁଲଶନ କୁମାରଙ୍କ ବାୟୋପିକ୍‌ରେ କାମ କରିବା ଲାଗି ରାଜି ହୋଇଛନ୍ତି। ଏଥିସହିତ ପ୍ରଥମେ ଏହି ପ୍ରୋଜେକ୍ଟରୁ କାହିଁକି ସେ ଅଲଗା ହୋଇଥିଲେ, ତାହା ବି କହିଛନ୍ତି।

ଆମୀର କହିଛନ୍ତି ଯେ ଗୁଲଶନ କୁମାରଙ୍କ ବାୟୋପିକ୍‌ ‘ମୋଗୁଲ’କୁ ସେ ଓ ତାଙ୍କ ପତ୍ନୀ କିରଣ ପ୍ରଯୋଜନା କରୁଥିଲେ। ଏଥିରେ ସେ ଅଭିନୟ ମଧ୍ୟ କରୁଥିଲେ। ଯେତେବେଳେ ସେ ଏହି ଫିଲ୍ମର କାମ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କୁ ଜଣା ନ ଥିଲା ଯେ ଏହି ଫିଲ୍ମର ନିର୍ଦେଶକ ସୁବାସ କପୁରଙ୍କ ବିରୋଧରେ ଯୌନଶୋଷଣ ମାମଲା ଚାଲିଥିଲା। ଏହି ମାମଲା ୫-୬ ବର୍ଷର ପୁରୁଣା ଥିଲା। କିନ୍ତୁ ଗତବର୍ଷ ଯେତେବେଳେ ବଲିଉଡ୍‌ରେ ‘ମି ଠୁ’ ଅଭିଯାନ ଆରମ୍ଭ ହୋଇଥିଲା, ପୁଣିଥରେ ସୁବାସଙ୍କ ନାମ ସାମ୍ନାକୁ ଆସିଥିଲା। ଏହା ପରେ ସେ ଓ ତାଙ୍କ ପତ୍ନୀ ବହୁତ ଚିନ୍ତାରେ ପଡ଼ି ଯାଇଥିଲେ। ପାଖାପାଖି ଏକ ସପ୍ତାହ ଯାଏ ସେମାନେ କ’ଣ କରିବେ ବୋଲି ଭାବି ପାରି ନ ଥିଲେ।

କିନ୍ତୁ ଆମୀର କାହିଁକି ତାଙ୍କ ବିଚାର ବଦଳାଇଲେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ତାଙ୍କ କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବିକା ବିପଦରେ ପଡ଼ିଥିଲା। ତେଣୁ ସେ ରାତି ରାତି ଶୋଇ ପାରି ନ ଥିଲେ। ତେଣୁ ଆମୀର ଓ ତାଙ୍କ ପତ୍ନୀ କିରଣ ନିଷ୍ପତ୍ତି ନେଇ ସୁବାସଙ୍କ ସହିତ ଗତ ୫ରୁ ୬ ବର୍ଷ ଧରି କାମ କରିଥିବା ମହିଳାଙ୍କ ସହିତ କଥା ହୋଇଥିଲେ। ସେମାନଙ୍କ ମଧ୍ୟରୁ କେହି ବି ସୁବାସଙ୍କ ବିରୋଧରେ କିଛି ବି କହି ନ ଥିଲେ। ସମସ୍ତେ ଓଲଟା କହିଥିଲେ ଯେ କାମ କରିବା ସମୟରେ ସୁବାସ ସେମାନଙ୍କର ବହୁତ ଯତ୍ନ ନେଇଥିଲେ। ଏହି ଅଭିଯୋଗ ସମ୍ପର୍କରେ ସେ ବେଶୀ କିଛି ଜାଣି ନାହାନ୍ତି। ତେଣୁ କାହାରିକୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ। ବହୁତ ଚିନ୍ତା କରିବା ପରେ ଇଣ୍ଡିଆନ ଫିଲ୍ମ ଏଣ୍ଡ ଟେଲିଭିଜନ ଡିରେକ୍ଟର ଆସୋସିଏସନ୍‌କୁ ଚିଠି ଲେଖି ସୁବାସଙ୍କ ସହ ସେ ପୁଣି ଥରେ କାମ କରିବାକୁ ବିଚାର କରୁଥିବା ଜଣାଇଥିଲେ ବୋଲି ଆମୀର କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଫିଲ୍ମ ଲୋକପ୍ରିୟ ପ୍ରସିଦ୍ଧ ମ୍ୟୁଜିକ୍‌ କମ୍ପୋଜର ତଥା ଟି’ ସିରିଜ୍‌ର ପ୍ରତିଷ୍ଠାତା ଗୁଲଶନ କୁମାରଙ୍କ ଜୀବନୀ ଉପରେ ଆଧାରିତ ସିନେମା। ଗୁଲଶନ କୁମାର ବହୁତ ସଂଘର୍ଷ ପରେ ସଫଳତା ହାସଲ କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ବିବାଦସ୍ପଦ ରହିଥିଲା, ଯାହାର ରହସ୍ୟ ଏବେ ବି ଖୋଲିପାରି ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ