ଉଦାହରଣ ସାଜିଲେ ସ୍ବରୂପ: ଅଭିନେତ୍ରୀରୁ ପାଲଟିଲେ ଶିକ୍ଷୟିତ୍ରୀ

ଶିକ୍ଷା ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବା ଲାଗି ସମ୍ପତଙ୍କର ଏହି ଅଭିନବ ପଦକ୍ଷେପ

୫ ସେପ୍ଟେମ୍ବରକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଏହି ଦିନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରି ସେମାନଙ୍କର ଏହି ଦିନକୁ ଖାସ୍‌ କରିଥାନ୍ତି। ଏହି ଅବସରରେ ଏଭଳି ଜଣେ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି, ଯିଏ ଜଣେ ଅଭିନେତ୍ରୀ ମଧ୍ୟ। ଆମ ଶିକ୍ଷା ବ୍ୟବସ୍ଥାରେ ରହିଥିବା ତ୍ରୁଟି ଯୋଗୁ ପିଲାମାନେ ଚାପଗ୍ରସ୍ତ ହେଉଥିବାରୁ ଏହାକୁ ସୁଧାରିବା ନିମନ୍ତେ ଗ୍ଲାମର ଦୁନିଆ ଛାଡ଼ି ଶିକ୍ଷା କ୍ଷେତ୍ରରେ ସେ ପାଦ ଥାପିଛନ୍ତି। ସ୍ବରୂପ ସମ୍ପତ ରାୱଲ ନାମକ ଏହି ଅଭିନେତ୍ରୀ ‘କୀ ଏଣ୍ଡ କା’ ସିନେମାରେ କରୀନା କପୁରଙ୍କ ମା’ ଭୂମିକାରେ ଅଭିନୟ କରିଥିଲେ। କେବଳ ସେତିକି ନୁହେଁ, ଅଭିନେତା ପରେଶ ରାୱଲଙ୍କ ପତ୍ନୀ ହେଉଛନ୍ତି ସ୍ବରୂପ।

୬୦ ବର୍ଷରେ ପହଞ୍ଚି ସାରିଥିଲେ ମଧ୍ୟ ସ୍ବରୂପ ଅଧିକାଂଶ ସମୟ ପିଲାଙ୍କ ସହିତ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି। ପିଲାଙ୍କ ସହିତ ରହି ସେମାନଙ୍କୁ ପାଠ ପଢ଼ାଇବାର ନୂଆ ନୂଆ ଉପାୟ ଖୋଜିଥାନ୍ତି। ଯାହାଫଳରେ ସେ ପିଲାଙ୍କୁ ସହଜରେ ପଢ଼ାଇପାରିବେ ଓ ପିଲା ବୋର୍‌ ମଧ୍ୟ ହେବେ ନାହିଁ। ଅଭିନେତ୍ରୀରୁ ଶିକ୍ଷକ ହେବା ଲାଗି ତାଙ୍କୁ ତାଙ୍କର ପିଲାମାନେ ଅନୁପ୍ରାଣିତ କରିଥିଲେ। ଥରେ ପିଲାମାନେ ପାଠ ପଢ଼ୁଥିବା ସମୟରେ ବହୁତ ଚାପରେ ଥିବା ସେ ଦେଖିବାକୁ ପାଇଥିଲେ। ଫଳରେ ସେ ପଢ଼ିବାର ନୂଆ ଉପାୟ ଖୋଜି କେବଳ ନିଜ ପିଲାଙ୍କୁ ନୁହେଁ, ବରଂ ଅନ୍ୟ ପିଲାମାନଙ୍କୁ ମଧ୍ୟ ପଢ଼ାଉଛନ୍ତି।

‘କୀ ଏଣ୍ଡ କା’ ଫିଲ୍ମରେ କରୀନା କପୁର ଖାନଙ୍କ ମା’ ଭୂମିକାରେ ଅଭିନୟ କରିଥିବା ସ୍ବରୂପ ବହୁତ ଦିନ ପରେ ବଡ଼ ପରଦାରେ ନଜର ଆସିଥିଲେ। ପିଲାଙ୍କୁ ପାଠ ପଢ଼ାଉଥିବା କାରଣରୁ ସେ ବହୁତ ଦିନ ବ୍ୟବଧାନରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଫେରିଥିଲେ। ସ୍ବରୂପ ଏବେ ପିଲାଙ୍କୁ ପଢ଼ାଇବା ତାଲିମ ଶିକ୍ଷକମାନଙ୍କୁ  ଦେଉଛନ୍ତି।

ମିସ୍‌ ଇଣ୍ଡିଆରୁ ଶିକ୍ଷୟିତ୍ରୀ
ସ୍ବରୂପ କେବେ ବି ଭାବି ନ ଥିଲେ ଯେ ସେ ଜୀବନରେ କେବେ ବି ଶିକ୍ଷକତା କରିବେ। ତାଙ୍କ ପିତା ଜଣେ ଥିଏଟର କଳାକାର ଓ ମା’ ସର୍ଜିକାଲ ଓନ୍‌କୋଲୋଜିଷ୍ଟ ଥିଲେ। ପିତାଙ୍କ ଭଳି ଥିଏଟର କରୁଥିବା ସ୍ବରୂପ ୧୯୭୯ରେ ମିସ୍‌ ଇଣ୍ଡିଆ ଟାଇଟଲ ହାସଲ କରିଥିଲେ। ଏହାପରେ ସେ ମଡେଲିଂ ଓ ଆକ୍ଟିଂରେ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ‘ୟେ ଜୋ ହୈ ଜୀନ୍ଦଗୀ’ ଧାରାବାହିକରୁ ତାଙ୍କୁ ପରିଚୟ ମିଳିଥିଲା। କିଛି ବର୍ଷ ତଳେ ଏକ ସାକ୍ଷାତକାରରେ ସ୍ବରୂପ କହିଛନ୍ତି ଯେ ସେ ଦିନେ ମିସ୍‌ ଇଣ୍ଡିଆ ହୋଇଥିଲେ ବୋଲି ତାଙ୍କର ବିଶ୍ବାସ ହେଉ ନାହିଁ। କାରଣ ବହୁତ ବର୍ଷ ହେଲାଣି ଗାଁରେ ଏକ କୁଡ଼ିଆରେ ସେ ରହୁଛନ୍ତି। କେବଳ ସେତିକି ନୁହେଁ, ସ୍ବରୂପ ଫିଲ୍ମରେ କାମ କରିବାବେଳେ ଆଇନା ମଧ୍ୟ ଦେଖୁ ନ ଥିଲେ। ସେ କେବେ ଫିଲ୍ମରେ କିପରି ପୋଷାକ ପିନ୍ଧିବେ, କିପରି ଲୁକ୍‌ ରହିବ ଏ ସମ୍ପର୍କରେ କାହାରି ସହିତ ଆଲୋଚନା କରୁ ନ ଥିଲେ। ସ୍ବରୂପ ଅନେକ ଫିଲ୍ମରେ ମଧ୍ୟ କାର କରି ସାରିଛନ୍ତି। ବହୁତ ଦିନ ଧରି ଟିଭିରେ କାମ କରିବା ପରେ ଯେତେବେଳେ ଶିକ୍ଷା ବ୍ୟବସ୍ଥାକୁ ନଜର ଦେଇଥିଲେ, ବୁଝି ପାରିଥିଲେ ଯେ ଯେଉଁ ଭଳି ଭାବେ ପାଢ଼ ପଢ଼ା ଯାଉଛି ଏହାଦ୍ବାରା ପିଲାଙ୍କ ଚାପ ବଢ଼ୁଛି। ଏଥିପାଇଁ ଶିକ୍ଷକତା କରିବା ଲାଗି ସେ ମନ ବଳାଇ ଥିଲେ।

୩୭ ବର୍ଷ ବୟସରେ ପୁଣିଥରେ ପାଠ ପଢ଼ା ଆରମ୍ଭ କରିଥିଲେ
ନିଜ ଅଭିନୟ କ୍ୟାରିଅର ସମୟରେ ପରସ୍ପର ସହ ଡେଟ୍‌ କରିବା ପରେ ୧୯୮୭ରେ ସେ ପରେଶଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପିଲା ଜନ୍ମ ହୋଇଗଲା ପରେ ସେ ପୁଣିଥରେ ୩୭ ବୟସରେ ପାଠ ପଢ଼ା ଶେଷ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ୨୦୧୦ରେ ସ୍ବରୂପ ତାମିଲନଡ଼ୁସ୍ଥିତ ଅନ୍ନାମଲାଇ ୟୁନିଭର୍ସିଟିରେ ଇଂରାଜୀରେ ପୋଷ୍ଟ ଗ୍ରାଜୁଏସନ୍‌ ଶେଷ କରିଥିଲେ। କେବଳ ସେତିକି ନୁହେଁ, ଏହାପରେ ସେ ଇଂଲଣ୍ଡର ଏକ ୟୁନିଭର୍ସିଟିରେ ପିଏଚ୍‌ଡି ମଧ୍ୟ କରିଥିଲେ। ପିଲାଙ୍କୁ ଡ୍ରାମା ମାଧ୍ୟମରେ କିଭଳି ଲାଇଫ୍ ସ୍କିଲ୍‌ ବଢ଼ାଯିବ, ଏହା ତାଙ୍କ ବିଷୟ ଥିଲା। ନିଜ ପାଠ ପଢ଼ା ଶେଷ କରି ଦିନେ ଯେତେବେଳେ ସେ ଦେଖିଲେ ତାଙ୍କ ପୁଅ ଅନିରୁଦ୍ଧ ଓ ଆଦିତ୍ୟ ପାଠ ପଢ଼ା କାରଣରୁ ବହୁତ ଚାପରେ ଅଛନ୍ତି, ସ୍ବରୂପ ତାଙ୍କ ସିଲାବସ୍‌ ଦେଖିଥିଲେ। ସେଥିରେ ସେ ଶିକ୍ଷା ବ୍ୟବସ୍ଥାରେ ଥିବା ଭୁଲ୍‌ ଦେଖିପାରିଥିଲେ। ଏହାପରେ ଶିକ୍ଷା ବ୍ୟବସ୍ଥାକୁ ବଦଳାଇବା ପାଇଁ ତାଙ୍କ ମନରେ ବିଚାର ଆସିଥିଲା।

ପିଲାଙ୍କ ସହିତ ବିତାଉଛନ୍ତି ଅଧିକ ସମୟ
ସ୍ବରୂପ ନିଜ ପାଠ ପଢ଼ା ଶେଷ କରିବା ପରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। କେତେବେଳେ ସେ ମହାରାଷ୍ଟ୍ରର କୌଣସି ଗାଁରେ ରହୁଥିବା ଜନଜାତି ସମ୍ପ୍ରଦାୟର ପିଲାଙ୍କୁ ତ ଆଉ କେତେବେଳେ ସୁରତ, ମୁମ୍ବାଇର ଏଲିଟ୍‌ ସ୍କୁଲ୍‌ର ପିଲାଙ୍କୁ ଲାଇଫ୍‌ ସ୍କିଲ୍‌ ଏଜୁକେଶନ ଟେକ୍‌ନିକ ମାଧ୍ୟମରେ ପଢ଼ାଉଛନ୍ତି। ଏବେ ସେ ସୁରତ ଓ ମୁମ୍ବାଇର ବିଭିନ୍ନ ସ୍କୁଲର ପିଲାଙ୍କୁ ପଢ଼ାଇବା ସହିତ ସ୍କୁଲ୍‌ ଶିକ୍ଷକଙ୍କୁ ମଧ୍ୟ ତାଲିମ ଦେଉଛନ୍ତି।

ଶିକ୍ଷା ପାଇଁ ଆପଣାଉଛନ୍ତି ବିଭିନ୍ନ ପଦ୍ଧତି
ସ୍ବରୂପ ଯେତେବେଳେ ବିଭିନ୍ନ ସ୍କୁଲ୍‌ ଓ ବସ୍ତିରେ ଯାଇ ଗରିବ ପିଲାଙ୍କୁ ପାଠ ପଢ଼ାନ୍ତି, ସେ ପାରମ୍ପରିକ ଶିକ୍ଷା ପ୍ରଣାଳୀକୁ ଛାଡ଼ି ନାଟକ, ଗୀତ, ସଙ୍ଗୀତ, ଚିତ୍ରକଳା, ସମୁହ ଆଲୋଚନା ଆଦିର ପ୍ରୟୋଗ କରନ୍ତି। କେବଳ ସେତିକି ନୁହେଁ, ସ୍ବରୂପ ସାଟେଲାଇଟ୍‌ ମାଧ୍ୟମରେ ଗୁଜରାଟର ୨.୫ ଲକ୍ଷ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ କିଭଳି ଭାବେ ସହଜରେ ପିଲାଙ୍କୁ ପାଠ ପଢ଼ା ଯାଇପାରିବ, ତାହାର ତାଲିମ୍‌ ମଧ୍ୟ ଦେଇ ସାରିଛନ୍ତି। ଏବେ ସେ ୫.୫ ଲକ୍ଷ ସରକାରୀ ଶିକ୍ଷକଙ୍କୁ ମଧ୍ୟ ତାଲିମ୍‌ ଦେଉଛନ୍ତି। ଏଥିପାଇଁ ସ୍ବରୂପଙ୍କୁ ବିଶ୍ବ ପ୍ରସିଦ୍ଧ ଭାର୍କେ ଫାଉଣ୍ଡେସନ୍‌ର ଗ୍ଲୋବାଲ ଟିଚର ପୁରସ୍କାରରେ ସମ୍ମାନିତ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ