‘କାଶ୍‌’ ବଖାଣୁଛି ସୋନମ-ଦୁଲକରଙ୍କ ଚମତ୍କାର କେମେଷ୍ଟ୍ରି


ମୁକ୍ତିଲାଭ ଅପେକ୍ଷାରେ ଥିବା ନୂଆ ବଲିଉଡ ଫିଲ୍ମ ‘ଦ ଜୋୟା ଫ୍ୟାକ୍‌ଟର’ରେ ସୋନମ କପୁର ଓ ଦୁଲକର ସଲମାନଙ୍କ କେମେଷ୍ଟ୍ରି ଏବେ ଜଳଜଳ ହୋଇ ଦେଖାଯାଉଛି। ସଦ୍ୟ ମୁକ୍ତିଲାଭ କରିଥିବା ଏହାର ନୂଆ ଗୀତ ‘କାଶ୍‌’ ଫିଲ୍ମରେ ସେମାନଙ୍କର ଏହି ରୋମାଣ୍ଟିକ ସମ୍ପର୍କକୁ ଦର୍ଶକଙ୍କ ସାମ୍ନାରେ ପେଶ୍‌ କରିଛି। ଏଥିରେ ଦୁହିଁଙ୍କ ଅଭିନୟ ଓ ଭାବଭଙ୍ଗୀ ବେଶ୍‌ ମନୋମୁଗ୍‌ଧକର ମନେହେଇଛି, ଯାହାକୁ ଦର୍ଶକ ଓ ଶ୍ରୋତା ବେଶ୍‌ ପସନ୍ଦ କରିଛନ୍ତି। ଅନୁରୂପ ଭାବେ ଏହା ପୂର୍ବରୁ ମୁକ୍ତିଲାଭ କରିଥିବା ଫିଲ୍ମର ‘ଲକି ଚାର୍ମ’ ଗୀତଟିକୁ ମଧ୍ୟ ବେଶ୍‌ ପସନ୍ଦ କରାଯାଇଥିଲା।

କାଶ୍‌ ଗୀତଟିକୁ ଅରିଜିତ ସିଂ ଓ ଆଲିଶା ମେଣ୍ଡୋନ୍‌ସା ଗାଇଥିବା ବେଳେ ଏହାର ଗୀତ ରଚନା କରିଛନ୍ତି ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ। ଏହି ଗୀତଟି ବେଶ୍‌ ଶ୍ରୁତିମଧୁର ହୋଇପାରିଛି। ଭାରତୀୟ କ୍ରିକେଟ ଦଳ ପାଇଁ ‘ଲକି ଚାର୍ମ’ ସାଜିଥିବା ଜୋୟା ସିଂ ସୋଲଙ୍କିଙ୍କ ଚରିତ୍ରରେ ସୋନମ କପୁର ଏବଂ ଭାରତୀୟ ଦଳର ଅଧିନାୟକ ନିଖିଲ ଖୋଡା ଚରିତ୍ରରେ ଦୁଲକର ସଲମାନ ଏହି ଗୀତରେ ଅଭିନୟ କରି ଭରପୂର ରୋମାଞ୍ଚ ଆଣିବାରେ ସକ୍ଷମ ହୋଇଛନ୍ତି।

ଏହି ଫିଲ୍ମର କଥାବସ୍ତୁ ଅନୁଯାୟୀ ୧୯୮୩ରେ ଭାରତ ବିଶ୍ବକପ୍‌ ବିଜେତା ହେବା ଦିନ ହିଁ ଜୋୟାଙ୍କର ଜନ୍ମ। ଏଣୁ ତାଙ୍କୁ ଭାରତୀୟ କ୍ରିକେଟ ପାଇଁ ‘ଲକି ଚାର୍ମ’ ମନେକରାଯାଉଛି। ପରବର୍ତ୍ତୀ ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଖିଲଙ୍କ ସହ ଗଢ଼ିଉଠୁଛି ଜୋୟାଙ୍କ ପ୍ରେମ ସମ୍ପର୍କ। ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହେଉଛି। ସୋନମ କପୁରଙ୍କ ଭଳି ଚୁଲବୁଲି ଅଭିନେତ୍ରୀ ଫିଲ୍ମରେ ଏହି ଚରିତ୍ରକୁ ନ୍ୟାୟ ଦେଇଥିବା ମନେହେଉଛି। ତାଙ୍କ ସହ ଦୁଲକରଙ୍କ ତାଳମେଳ ମଧ୍ୟ ଠିକ୍‌ ଥିବା ପରି ଲାଗୁଛି। କ୍ରିକେଟକୁ ନେଇ ଏଭଳି ଏକ ନୂଆ ଢାଞ୍ଚାର କାହାଣୀ ଦର୍ଶକଙ୍କ ଆଗ୍ରହ ବାନ୍ଧିରଖିବାରେ ସକ୍ଷମ ହେବ ବୋଲି ଏବେଠାରୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫକ୍ସଷ୍ଟାର ହିନ୍ଦୀ ଦ୍ବାରା ପ୍ରଯୋଜିତ ଏହି ଫିଲ୍ମଟିର ନିର୍ଦେଶନା ଅଭିଜିତ ଶର୍ମା ଦେଇଥିବାବେଳେ ଆଗାମୀ ୨୦ ସେପ୍ଟେମ୍ବରରେ ଫିଲ୍ମଟିର ମୁକ୍ତିଲାଭ କରିବାକୁ ଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ