ଏବେ କେବଳ ୫ଟି ଭୁଲ୍‌ ପାଇଁ ଦେବାକୁ ପଡ଼ିବ ଫାଇନ୍‌: ପୋଲିସ୍‌ କମିଶନର


ଦେଶରେ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଓଡ଼ିଶାରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଏବେ ଗାଡି ଚେକିଂ ଜୋର୍‌ସୋର୍‌ରେ ଚାଲିଛି। ନିୟମ ଉଲ୍ଲଂଘନକାରୀଙ୍କ ଠାରୁ  ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଫଳରେ ଲୋକମାନେ ଏବେ ଘରୁ ଗାଡ଼ି କାଢ଼ିବାକୁ ଡ଼ରୁ ଥିବାବେଳେ ଦିନକୁ ଦିନ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଶନିବାର ରାଜମହଲ ଛକରେ ଦେଖିବାକୁ ମିଳିଛି। ଲୋକମାନେ ମିଶି ସରକାରୀ ଗାଡ଼ିକୁ ଘେରିଛନ୍ତି। ତେବେ ଲୋକଙ୍କ ଏହି ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସରକାର ପ୍ରଦୂଷଣ ଚେକିଂ ଉପରେ ଏକ ମାସ ମହଲତ ଦେଇଛନ୍ତି। ଏହାପରେ ଶନିବାର ଆଉ କେତେକ ଭୁଲ୍‌ ପାଇଁ ଜରିମାନା ଦେବାକୁ ପଡ଼ିବ ନାହିଁ ବୋଲି ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏବେ ଇନ୍‌ସୁରାନ୍ସ ଏବଂ ପ୍ରଦୂଷଣ ସାର୍ଟିଫିକେଟ୍‌ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ ହେଉନାହିଁ ବୋଲି ସେ କହିଛନ୍ତି।

ବିଶେଷକରି ୫ଟି ଭୁଲ୍‌ ଉପରେ ନଜର ଦିଆଯାଇ ଜରିମାନା କରାଯାଉଛି। ବାଇକ୍‌ରେ ୩ ଜଣଙ୍କୁ ବସାଇ ନେଲେ, ହେଲମେଟ୍‌ ପିନ୍ଧି ନ ଥିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ଗାଡ଼ି ଚଳାଉଥିବା ବେଳେ ମୋବାଇଲରେ ଗପୁଥିଲେ ଓ ରାସ୍ତାର ଭୁଲ୍‌ ସାଇଡ୍‌ରେ ଗଲେ ଜରିମାନା ଦେବାକୁ ପଡ଼ିବ କମିଶନର କହିଛନ୍ତି। ଏଥିସହ ଆଇନ୍‌ ଉଲ୍ଲଂଘନ କରୁଥିବା ପୋଲିସ୍‌ କର୍ମଚାରୀଙ୍କ ପ୍ରତି ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଜରିମାନା ବାବଦକୁ ୧ ହଜାର ଟଙ୍କା ଜାଗାରେ ୫ ଶହ ଟଙ୍କା ଆଦାୟ କରଯାଉଛି ବୋଲି ସେ କହିଛନ୍ତି। ଲୋକଙ୍କ ପୁଞ୍ଜିଭୂତ ରାଗ ବଢ଼ୁଥିବା ଦେଖି ରାଜଧାନୀରେ ପୋଲିସ୍‌ କିଛିଟା ଟ୍ରାଫିକ୍ ନିୟମକୁ କୋହଳ କରିଛି। ଯେଉଁ ପୋଲିସ୍‌ କର୍ମଚାରୀମାନେ ନିୟମକୁ ମାନୁ ନାହାନ୍ତି କିମ୍ବା ବେଆଇନ୍ ଭାବେ ଅଧିକ ଫାଇନ୍‌ ଆଦାୟ କରୁଛନ୍ତି ସେମାନଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନର ଚେତାଇ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ