୯ ଘଣ୍ଟାରୁ ଅଧିକ ସମୟ ବସି ରହିଲେ, ହୋଇପାରେ ବିପଦ


ଯଦି ଆପଣ ଦିନରେ ୯ ଘଣ୍ଟା କିମ୍ବା ତାହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବସି ରହୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ଏହା ଏତେ ବିପଦପୂର୍ଣ୍ଣ ହୋଇଥାଏ ଯେ ଏଥିରେ ଆପଣଙ୍କ ଶୀଘ୍ର ମୃତ୍ୟୁ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଏହି ଗବେଷଣାର ଫଳାଫଳ ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଏହି ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ସାଢ଼େ ୯ ଘଣ୍ଟାରୁ ଅଧିକ ସମୟ ବସି ରହିବା ଦ୍ବାରା ପ୍ରତ୍ୟେକ ଘଣ୍ଟା ହିସାବରେ ଶୀଘ୍ର ମୃତ୍ୟୁ ଆଶଙ୍କା ସେହି ଅନୁପାତରେ ବଢ଼ିଯାଏ।

ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ଫଳାଫଳ ମୁତାବକ ଶୋଇବା ସମୟକୁ ଛାଡ଼ି ସାରା ଦିନରେ ସାଢ଼େ ୯ ଘଣ୍ଟାରୁ ଅଧିକ ସମୟ ଯାଏ ବସି ରହିବା ଫଳରେ ଶୀଘ୍ର ମୃତ୍ୟୁ ଆଶଙ୍କା ବଢ଼ିଯାଏ। ନରୱେର ଓସ୍ଲୋସ୍ଥିତ ନରୱେଜିଆନ୍‌ ସ୍କୁଲ୍‌ ଅଫ୍‌ ସ୍ପୋର୍ଟସ୍‌ ସାଇନ୍ସରେ ଏହି ଗବେଷଣା କରାଯାଇଥିଲା। ଏହି ଗବେଷଣା ପାଇଁ ୩୬,୩୮୩ ପ୍ରତିଯୋଗୀଙ୍କ ଉପରେ ପାଖାପାଖି ୬ ବର୍ଷ ଯାଏ ନଜର ରଖାଯାଇଥିଲା। ଏହି ଲୋକଙ୍କ ହାରାହାରି ବୟସ ୬୨.୬ ବର୍ଷ ଥିଲା। ଏହି ଗବେଷଣା ପାଇଁ ଆକ୍ସିଲରୋମିଟରର ଉପଯୋଗ କରାଯାଇଥିଲା। ଏହା ଶରୀରରେ ପିନ୍ଧା ଯାଉଥିବା ଏକ ଉପକରଣ ଅଟେ। ଏହା ଚେଇଁବା ସମୟରେ ଗତିବିଧି, ମାତ୍ରା ଓ ଏହାର ତୀବ୍ରତାକୁ ଟ୍ରାକ୍‌ କରିଥାଏ।

ଏହି ଗବେଷଣା ସମୟରେ ୨୧୪୯ ଜଣ ଅର୍ଥାତ୍‌ ୫.୯ ପ୍ରତିଶତ ପ୍ରତିଯୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ଯଦି ଆମେ ଦିନରେ ଅନେକ ଘଣ୍ଟା ବସି ବସି ବିତାଉଛନ୍ତି, ତେବେ ଏହାର ପ୍ରଭାବ ପୂରା ଶରୀର ଉପରେ ପଡ଼ିଥାଏ। ଦୀର୍ଘ ଦିନ ଯାଏ ଏଭଳି ଜୀବନଶୈଳୀ ଅବଲମ୍ବନ କରିବା ଫଳରେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ହୋଇଥାଏ। ପିଠି ଯନ୍ତ୍ରଣା, ଅଣ୍ଟା ଯନ୍ତ୍ରଣା ଭଳି ଅନେକ ସମସ୍ୟା ହୋଇଥାଏ। ଅଧିକ ସମୟ ବସି ବସି ବିତାଇବା ଫଳରେ ଶରୀରର ମେଟାବଲିଜମ୍‌ ମଧ୍ୟ କମ୍‌ ହୋଇଯାଏ। ଏହାକୁ ମେଟାବଲିକ୍‌ ସିଣ୍ଡ୍ରୋମ୍‌ ବୋଲି ମଧ୍ୟ କୁହାଯାଏ। ଏହି କାରଣରୁ ମଧୁମେହ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଓ ହୃଦ୍‌ରୋଗ ଆଶଙ୍କା ବଢ଼ିଯାଏ।

ଯଦି ଆପଣ କମ୍ପ୍ୟୁଟର କିମ୍ବା ଟିଭି ସାମ୍ନାରେ ବସି ରହୁଛନ୍ତି, ତେବେ ଆଖି ମଧ୍ୟ ଦୁର୍ବଳ ହୋଇଯାଏ। ଦୀର୍ଘ ସମୟ ଯାଏ ସୂର୍ଯ୍ୟ କିରଣ ନ ପାଇବା ଫଳରେ ଶରୀରରେ ଭିଟାମିନ୍‌ ଡି’ର ଅଭାବ ହୋଇପାରେ। ଏହାଫଳରେ ହାଡ଼ ମଧ୍ୟ ଦୁର୍ବଳ ହେବାରେ ଲାଗେ। ଏହି ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ସାରା ଦିନ ଭିତରେ ୩୦୦ ମିନିଟ୍‌ ଅର୍ଥାତ୍‌ ୫ ଘଣ୍ଟା ହାଲୁକା ପୁଲୁକା ଶାରୀରିକ କାର୍ଯ୍ୟକଳାପ ଅର୍ଥାତ୍‌ ଧିରେ ଧିରେ ଚାଲିବା, ଖାଦ୍ୟ ରାନ୍ଧିବା, ବାସନ ସଫା କରିବା ଭଳି କାମ କରିବା କିମ୍ବା ପାଖାପାଖି ୨୪ ମିନିଟ୍‌ ଯାଏ ଦ୍ରୁତ ବେଗରେ ଚାଲିବା (ବ୍ରିସ୍କ ୱାକିଂ) ଭଳି ମଧ୍ୟମ ଗତିର ଶାରୀରିକ କାର୍ଯ୍ୟକଳାପ କରିବା ଦ୍ବାରା ମୃତ୍ୟୁ ଆଶଙ୍କା ବହୁତ କମ୍‌ ହୋଇଯାଏ ବୋଲି ଗବେଷଣାରେ କୁହାଯାଇଛି।

ଫିଟ୍‌ନେସ୍‌ ବିଶେଷଜ୍ଞଙ୍କ କହିବାନୁସାରେ ଆମେ ଚାହିଲେ ଏଭଳି ଅନେକ ବ୍ୟାୟାମ ଚେୟାର ଉପରେ ବସି ବସି ମଧ୍ୟ କରିପାରିବା। ଏପରି କରି ନିଜକୁ ଫିଟ୍‌ ରଖିବାରେ ସାହାଯ୍ୟ କରିବେ। ଦିନରେ କିଛି ମିନିଟ୍‌ ପାଇଁ ଷ୍ଟ୍ରେଚିଙ୍ଗ ବ୍ୟାୟାମ କରନ୍ତୁ। ଏହାଦ୍ବାରା ଅଣ୍ଟା ଯନ୍ତ୍ରଣା ଓ ପିଠି ଯନ୍ତ୍ରଣା ଭଳି ସମସ୍ୟା କମ୍‌ ହୋଇଯିବ। ଯଦି ଆପଣଙ୍କ ଅଫିସ୍‌ରେ କିଛି ସ୍ଥାନ ରହିଛି, ତେବେ କାମରୁ କିଛି ମିନିଟ୍‌ ବାହାର କରି କେତେକ ବ୍ୟାୟମ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ମେସିନ୍‌ ବା ଉପକରଣର ଆବଶ୍ୟକତା ମଧ୍ୟ ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଗାଇଡ୍‌ଲାଇନ୍‌ ମୁତାବିକ ୧୮ରୁ ୬୪ ବର୍ଷ ବୟସର ଲୋକଙ୍କ ପାଇଁ ସପ୍ତାହରେ ଅତିକମ୍‌ରେ ୧୫୦ ମିନିଟ୍‌ ଯାଏ ମଧ୍ୟମ କିମ୍ବା ୭୫ ମିନିଟ୍‌ ଯାଏ ବହୁତ କଠିନ ଶାରୀରିକ ପରିଶ୍ରମ କରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ