ଆଝାର, ହାଫିଜ୍‌, ଦାଉଦ୍‌, ଲଖ୍‌ଭିଙ୍କୁ ଆତଙ୍କବାଦୀ ଘୋଷଣା କଲା ଭାରତ


ନୂଆ ଆତଙ୍କବାଦ ନିରୋଧୀ ଆଇନ୍‌ ଅନୁଯାୟୀ ଭାରତ ବୁଧବାର ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଆଝାର, ଲଶ୍ମର-ଇ-ତୋଇବା ଓ ଜମାତ-ଉଦ୍‌-ଦାୱାରର ପ୍ରତିଷ୍ଠାତା ହାଫିଜ୍‌ ମହମ୍ମଦ ସଈଦ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ଜାକିଉର୍ ରହମନ୍ ଲଖ୍‌ଭି ଏବଂ ମୋଷ୍ଟ୍‌ ୱାଣ୍ଟେଣ୍ଡ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଆତଙ୍କବାଦୀ ଘୋଷଣା କରିଛି।

ଏମାନଙ୍କୁ ଅନ୍‌ଲ’ ଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ ଅଧିନିୟମ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହାସହ ଏମାନଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ନାଁରେ ଭାରତରେ ପ୍ରାୟ ୫ଟି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ଚଳିତ ବର୍ଷ ମେ’ରେ ତାକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ମଧ୍ୟ ଘୋଷଣା କରାଯାଇଥିଲା।

ସେହିପରି ନିକଟରେ ହାଫିଜ ସଈଦଙ୍କୁ ପାକିସ୍ତାନର ଗୁଜରନ୍‌ୱାଲା କୋର୍ଟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା। ଏହାପରେ ହାଫିଜ୍‌କୁ ଲାହୋରରୁ ଗିରଫ କରାଯାଇଥିଲା। ପାକିସ୍ତାନର ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି) ହାଫିଜ୍‌କୁ ଗିରଫ କରିଥିଲା। ସେତେବେଳେ କୁହାଯାଇଥିଲା ଯେ ହାଫିଜ୍‌ ଆତଙ୍କବାଦ ନିରୋଧ କୋର୍ଟରେ ହାଜର ହେବାକୁ ଲାହୋରରୁ ଗୁଜରନ୍‌ୱଲା ଅଦାଲତକୁ ଆସିଥିଲା ଓ ସେତେବେଳେ ତାକୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ କୌଣସି ମାମଲା ନାହିଁ। ଏବେ ଚିକିତ୍ସା ବାହାନାରେ ହାଫିଜ ପାକିସ୍ତାନର ଏକ ସେନା ହସ୍ପିଟାଲରେ ସମସ୍ତ ସୁବିଧା ଉପଭୋଗ କରୁଛି। କେବଳ ଦୁନିଆକୁ ଦେଖାଇବା ବାହାନାରେ ହାଫିଜକୁ ଗିରଫ କରାଯାଇଥିଲା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ ଭାରତ ସରକାର ଆତଙ୍କବାଦ ନିରୋଧୀ ବିଧେୟକ ସଂସଦରେ ପାରିତ କରି ତାକୁ ଆଇନ କରିଥିଲେ। ଏହି ଆଇନ ଅନୁସାରେ ଆତଙ୍କବାଦୀ ଗତିବିଧିରେ ସଂପୃକ୍ତ ଥିବାର ଆଶଙ୍କା ଆଧାରରେ କୌଣସି ବି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷିତ କରିହେବ। ଆତଙ୍କବାଦୀଙ୍କୁ ଆର୍ଥିକ ଏବଂ ବିଚାରଗତ ସହଯୋଗ ପ୍ରଦାନ କରୁଥିବା ଓ ଆତଙ୍କବାଦୀ ସିଦ୍ଧାନ୍ତକୁ ପ୍ରଚାର କରୁଥିବା ଲୋକଙ୍କୁ ଆତଙ୍କବାଦୀ ଘୋଷିତ କରାଯାଇ ହେବ। ଆତଙ୍କବାଦୀ ମାମଲାରେ ଏନ୍‌ଆଇଏର ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ଯାଞ୍ଚ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ