ବିଦ୍ରୋହକୁ ରୋକି ପାରିଲାନି ଥଇଥାନ ପ୍ୟାକେଜ୍‌: ପଛଘୁଞ୍ଚା ଦେଲା ପ୍ରଶାସନ


ପୁରୀକୁ ବିଶ୍ବ ଐତିହ୍ୟସ୍ଥଳିରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ସରକାରଙ୍କ ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ପରିଧି ଭିତରୁ ଆରମ୍ଭ ହୋଇଛି ଉଚ୍ଛେଦ। ଉଚ୍ଛେଦ ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କ ପାଇଁ ସରକାର ମଧ୍ୟ ଲୋଭନୀୟ ପ୍ୟାକେଜ ଘୋଷଣା କରିଛନ୍ତି। ମାତ୍ର ଏହି ପ୍ୟାକେଜ୍‌ ଉଚ୍ଛେଦକୁ ନେଇ ଦେଖାଦେଇଥିବା ବିଦ୍ରୋହକୁ ରୋକିପାରିନି। ଅଗଷ୍ଟ ୧୯ରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମଙ୍ଗଳବାର ଲାଗିଛି ଜୋର୍‌ଦାର୍‌ ଝଟ୍‌କା। ୧୩ ଦିନ ଧରି ଉଚ୍ଛେଦ ପ୍ରକ୍ରିୟା ପ୍ରାୟ ଏକାର ପ୍ରକାର ଶାନ୍ତିରେ ଚାଲିଥିବା ବେଳେ ଆଜି ସବୁଠାରୁ ବିଦ୍ରୋହର ସମ୍ମୁଖୀନ ହୋଇଛି ପ୍ରଶାସନ। ମୁହାଁମୁହିଁ ହୋଇଛନ୍ତି  ସରକାର ଓ ପ୍ରଶାସନ। ଏମାର ମଠ ଭଙ୍ଗାକୁ ଏହାର ମହାନ୍ତ ରାଜଗୋପାଳ ରାମାନୁଜ ଦାସ ନୀରବ ପ୍ରତିବାଦ କରିଥିବା ବେଳେ କିନ୍ତୁ ବଡ଼ ଆଖଡ଼ା ମଠ ପକ୍ଷରୁ ଉଚ୍ଛେଦକୁ ଜୋର୍‌ଦାର ବିରୋଧ କରାଯାଇଛି।

ମେଘନାଦ ପାଚେରୀ ଜବରଦଖଲମୁକ୍ତ ହେବା ପରେ ପ୍ରଶାସନ ୭୫ ମିଟର ଉଚ୍ଛେଦ ଆରମ୍ଭ କରିଥିଲା। ପ୍ରଥମେ ଲଙ୍ଗୁଳି ଏବଂ ଏମାର ମଠ ଭାଙ୍ଗିଥିଲା। ଏହି ମଠ ଉଚ୍ଛେଦ ବେଳେ ପ୍ରତିବାଦର ସ୍ୱର ତେଜି ନ ଥିଲା। ଯେଉଁ କିଛି ଉଠା ଦୋକାନୀ ରାଜରାସ୍ତାରେ ପ୍ରତିବାଦ କରିଥିଲେ ସେମାନଙ୍କୁ ପ୍ରଶାସନ ସେମାନଙ୍କୁ ବୁଝାଇ ସୁଝାଇ ଶାନ୍ତ କରିଦେଇଥିଲା। ସବୁଠାରୁ ଧନୀ ତଥା ପୁରୁଣା ମଠ ଏମାର ଭାଙ୍ଗିବା ପରେ ପ୍ରଶାସନ ଭାବିଥିଲା ଉଚ୍ଛେଦରେ ଆଉ ବାଧା ଉପୁଜିବ ନାହିଁ। ମାତ୍ର ମଙ୍ଗଳବାର ଦିନ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥମାନେ ପୁରୀରେ ଏକାଠି ହୋଇ ମଠ ଉଚ୍ଛେଦକୁ ତୀବ୍ର ବିରୋଧ କଲେ। ଶେଷରେ ଆଜି ବଡ଼ ଆଖଡ଼ା ମଠରେ ହାତ ମାରି ପାରିଲାନି ପ୍ରଶାସନ।

ଦୁଇଦିନର ବିରତି ପରେ ମଙ୍ଗଳବାର ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନକୁ ଆଗେଇ ନେବାକୁ ଚାହୁଁଥିବା ଜିଲ୍ଲାପ୍ରଶାସନକୁ ଝଟ୍‌କା ଲାଗିଛି। ରାଜ୍ୟ ଓ ରାଜ୍ୟ ବାହାରରୁ ବହୁତ ସଂଖ୍ୟାରେ ସାଧୁ ଏକାଠି ହୋଇ ପ୍ରକ୍ରିୟାକୁ ବିରୋଧ କରିଥିଲେ। ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଥିଲେ ମହନ୍ତ ଓ ସାଧୁସନ୍ଥ। ବଡ଼ ଆଖଡ଼ା ମଠ ବିପଦ ସଙ୍କୁଳ ବୋଲି ଦସ୍ତାବିଜରେ ଦସ୍ତଖତ କରିବାକୁ ପ୍ରଶାସନ ବାଧ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସାଧୁସନ୍ଥଙ୍କ ବିରୋଧ ଯୋଗୁ ସକାଳେ ସଜବାଜ ହୋଇ ଆସିଥିବା ପ୍ରଶାସନ ମଠକୁ ଭାଙ୍ଗି ପାରି ନ ଥିଲା। ସକାଳେ ଉଚ୍ଛେଦ କରି ନ ପାରି ଫେରି ଯାଇଥିବା ପ୍ରଶାସନ ଅପରାହ୍ନରେ ପହଞ୍ଚି ମଠକୁ କର୍ଡନ କରି ନେଇଛି। ସେହିପରି ମଠ ନିକଟରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ବୁଲ୍‌ଡ୍ରୋଜର ମଧ୍ୟ ପହଞ୍ଚିଛି।

ଅନ୍ୟପଟେ ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଉପଜିଲ୍ଲାପାଳ ସାଥିରେ ନେଇଯାଇଥିବା ଜଣାପଡ଼ିଛି। ମଠ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି। ସେପଟେ ମଠର ଛାତ ଉପରେ ଏବଂ ମଠ  ଭିତରେ ବହୁ ସଂଖ୍ୟାରେ ସାଧୁ ସନ୍ଥ ରହିଥିବା ଜଣାପଡ଼ିଛି। ମଠ ପାଖରେ ପାଖାପାଖି ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଉପସ୍ଥିତିକୁ ଦେଖି ବିରୋଧ ବି ବଢ଼ିଥିଲା। ଜୋର୍ ଧରିଥିଲା ନାରାବାଜି। ଉଚ୍ଛେଦକାରୀ  ଓ ସାଧୁସନ୍ଥଙ୍କ ଭିତରେ ଦିନତମାମ ଏଭଳି ଛକାପଞ୍ଝା ଭିତରେ ମଙ୍ଗଳବାର ଉଚ୍ଛେଦକୁ ବନ୍ଦ ରଖିଛି ପ୍ରଶାସନ। ପରିସ୍ଥିତି ଉତ୍ତେଜନାମୂଳକ ଥିବାରୁ ଆଲୋଚନା ପାଇଁ ମଠ ମହନ୍ତଙ୍କୁ ଉପଜିଲ୍ଲପାଳ ସାଥିରେ ନେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ମଠ ମହନ୍ତ, ସାଧୁସନ୍ଥଙ୍କ ସହ ଆଲୋଚନା ସଫଳ ହୋଇଛି।୨/୩ ଦିନ ଭିତରେ ଆଲୋଚନା କରି ପଦକ୍ଷେପ ନେବୁ। ଏବେ ଉଚ୍ଛେଦ ସାମୟିକ ବନ୍ଦ ରଖାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ