ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ଶ୍ରୀମନ୍ଦିର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇ ରାଜ୍ୟ ସରକାର ମନ୍ଦିର ଚତୁପାର୍ଶ୍ବରେ ଏକ ସୁରକ୍ଷିତ ଅଞ୍ଚଳ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି କରି କାର୍ଯ୍ୟାରମ୍ଭ କରିଛନ୍ତି। ମନ୍ଦିରର ସୁରକ୍ଷା ଓ ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୨୩ ତାରିଖରେ ଏକ ପ୍ୟାକେଜ୍‌ ଘୋଷଣା କରିଥିଲେ। ଏହାପରେ ସୋମବାର ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା। ସୁରକ୍ଷା ଜୋନ୍‌ ମଧ୍ୟରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ଲାଗି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଅଧିଗୃହିତ ଅଞ୍ଚଳରେ ଥିବା ଘର ଲାଗି ସବୁ ପରିବାରକୁ କ୍ଷତିପୂରଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଘୋଷଣା ହୋଇଥିବା ପ୍ୟାକେଜ୍‌ ଅନୁଯାୟୀ, କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ପରିବହନ ଖର୍ଚ୍ଚ ଲାଗି ତୁରନ୍ତ ୫୦ ହଜାର ଟଙ୍କା ଦିଆଯିବ। ଏଥିସହିତ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକ ଘର କିମ୍ବା ଜମି ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ସରକାର ମାସିକ ୧୦ ହଜାର ଟଙ୍କାର ଘରଭଡ଼ା ସହାୟତା ଦେବେ। ତେବେ ଏକକାଳୀନ ସହାୟତା ନେଉଥିବା ପରିବାରଗୁଡ଼ିକ ଏହି ସୁବିଧା ପାଇବେ ନାହିଁ। ବିସ୍ଥାପିତ ପରିବାର ଲାଗି ୩ଟି ଇଚ୍ଛାଧୀନ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିରୁ ଯେକୌଣସି ଗୋଟିଏ ବାଛିବାକୁ ନିୟମ ରହିଛି। ୩ ଇଚ୍ଛାଧୀନ ସହାୟତାଗୁଡିକ ହେଲା, ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା ନେଇପାରିବେ, ମନ୍ଦିରର ଦେଢ଼ କିମି ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟ୍‌ର ଘର ଏବଂ ମନ୍ଦିରର ୨ କିମି ଭିତରେ ୪୦x୨୫ ଫୁଟ୍‌ର ଜାଗା ନେଇପାରିବେ। ତେବେ ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡ଼ା ପାଇବେନି ବୋଲି ଏହି ପ୍ୟାକେଜରେ ଦର୍ଶାଯାଇଛି।

ସେହିଭଳି ଦୋକାନୀମାନଙ୍କ ଲାଗି ବି ସହାୟତା ରାଶି ଘୋଷଣା ହୋଇଛି। ସେମାନଙ୍କୁ ପରିବହନ ଓ ଅନ୍ୟନ୍ୟ କାର୍ଯ୍ୟ ପାଇଁ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଏକକାଳୀନ ୫୦ ହଜାର ଟଙ୍କାର ସହାୟତା ଦିଆଯିବ। ଦୋକାନ ଘର ପାଇଁ ଦୁଇ ପ୍ରକାରର ସହାୟତା ଘୋଷଣା ହୋଇଛି। ଏଥିରୁ ଯେକୌଣସି ଗୋଟିଏକୁ କ୍ଷତିଗ୍ରସ୍ତମାନେ ବାଛପାରିବେ। ତାହାହେଲା ୨୦୦ ବର୍ଗଫୁଟରୁ କମ୍‍, ୨୦୦ରୁ ୫୦୦ ବର୍ଗଫୁଟ୍‌ ଓ ୫୦୦ ବର୍ଗଫୁଟରୁ ଅଧିକ ନିର୍ମାଣ ଅଞ୍ଚଳ ଥିବା ଦୋକାନ ପାଇଁ ମାସିକ ଯଥାକ୍ରମେ ୫ ହଜାର, ୧୦ ହଜାର ଓ ୧୫ ହଜାର ଟଙ୍କା ଘରଭଡ଼ା ଦିଆଯିବ କିମ୍ବା ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ ମାର୍କେଟ୍‍ କମ୍ପଲେକ୍ସରେ ଦୋକାନ ଘର ଯୋଗାଇ ଦିଆଯିବ। ପୁନର୍ବାସ ସହାୟତା ଯୋଜନାରେ ସୁରକ୍ଷା ଜୋନ୍‌ ଭିତରେ ଥିବା ପ୍ରତ୍ୟେକଟି ଦୋକାନ ଘର ଲାଗି ଥଇଥାନ ବ୍ୟବସ୍ଥା କରାଯିବ।

ସେହିଭଳି ଯେଉଁ ଲଜ୍‌ ଗୁଡ଼ିକ ୧୫୦୦ ବର୍ଗଫୁଟ୍‌ରୁ ଅଧିକ ଥିବା ସେମାନଙ୍କ ଲାଗି ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଓ ସହାୟତା ବ୍ୟବସ୍ଥା କରାଯାଇଛି। ୩ ହଜାର ବର୍ଗ ଫୁଟ୍‌ରୁ ଅଧିକ ଲଜିଂ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ୩ ହଜାର ବର୍ଗଫୁଟରୁ କମ୍‍ ଲଜିଂଗୁଡ଼ିକ ପାଇଁ ତୁରନ୍ତ ୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଏହାଛଡ଼ା ପ୍ରତି ଲଜ୍‍କୁ ବର୍ଗଫୁଟ୍‌ ପିଛା ମାସକୁ ୨୫ ଟଙ୍କା କରି ୧୮ ମାସ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ଲଜିଂ ମାଲିକମାନେ ନିର୍ମାଣଧୀନ କୋଠାର ପ୍ରତି ବର୍ଗଫୁଟ୍‌ ପାଇଁ ୨ ହଜାର ଟଙ୍କା କରି ଏକାକାଳୀନ ସହାୟତା ନେଇପାରିବେ କିମ୍ବା ବଡ଼ଦାଣ୍ଡର ଉଭୟ ପାଶ୍ୱର୍ର ୩୦୦ ମିଟର ମଧ୍ୟରେ ସେମାନେ ଚାହିଁଲେ ୧୫୦୦, ୨୦୦୦ କିମ୍ବା ୩୦୦୦ ବର୍ଗଫୁଟ୍‌ ଜାଗା ଯୋଗାଇ ଦିଆଯିବ। ଏହି ସ୍ଥାନରେ ଲଜିଂ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ ଟଙ୍କା କରି ସହାୟତା ଦିଆଯିବ।

ସୁରକ୍ଷିତ ଜୋନ୍‍ ମଧ୍ୟରେ ଥିବା ମଠଗୁଡ଼ିକ ଲାଗି ବିସ୍ତୃତ ଥଇଥାନ, ସଂରକ୍ଷଣ ଏବଂ ପୁନର୍ବାସ ବ୍ୟବସ୍ଥା କରାଯାଇଛି। ପୁରୀ ଜିଲ୍ଲାପାଳ ସମ୍ପୃକ୍ତ ପକ୍ଷମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ମଠର ଗାଦି ଏବଂ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ। ପ୍ରତ୍ୟେକ ମଠରେ ଥିବା କୀର୍ତ୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିର ସେବା ପାଇଁ ଥିବା ପାରମ୍ପାରିକ ବ୍ୟବସ୍ଥା ବଜାୟ ରଖାଯିବ। ଏହି ମଠଗୁଡ଼ିକରେ ପାର୍କିଂ ବ୍ୟବସ୍ଥା ସହିତ ସେମାନଙ୍କର ଆର୍ଥିକ ସୁରକ୍ଷା ପାଇଁ ମାର୍କେଟ୍‍ କମ୍ପଲେକ୍ସମାନଙ୍କରେ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଛି। ଏଥିସହିତ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ଭିତରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ସୁରକ୍ଷା ଜୋନ୍‌ରେ ଥିବା ସେମାନଙ୍କ ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ୍‍ ସହିତ ଅଧିକ ୧୦ ପ୍ରତିଶତ ଆର୍ଥିକ ସହାୟତା ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ