ଫନି କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ସହାୟତା ଦେବ କେନ୍ଦ୍ର: ନରେନ୍ଦ୍ର ସିଂ ତୋମର


ଫନିରେ କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ। ଫନି ବାତ୍ୟାରେ ରାଜ୍ୟର ନଡ଼ିଆ ଚାଷ କ୍ଷତିଗ୍ରସ୍ତ ଅଞ୍ଚଳ ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ରସିଂ ତୋମର କହିଛନ୍ତି। ଓଡ଼ିଶାରେ ନଡ଼ିଆ ଚାଷର ବିକାଶ ପାଇଁ ନାରିକେଳ ବିକାଶ ବୋର୍ଡ ୨୯.୬୫୯କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଏତଦ୍ ବ୍ୟତୀତ କେନ୍ଦ୍ର ସରକାର ଓଡ଼ିଶାକୁ ସିଆରଏଫ୍‌ ସହାୟତା ରାଶି ମଧ୍ୟ ପ୍ରଦାନ କରିବେ। ଓଡ଼ିଶାରେ ପ୍ରାୟ ୫୧ ହଜାର ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଛି ଏବଂ ରାଜ୍ୟରେ କୃଷି କ୍ଷେତ୍ରର ବିକାଶରେ ନଡ଼ିଆ ଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ତୋମର କହିଛନ୍ତି।

ସୋମବାର ଭୁବନେଶ୍ବର କିଟ୍‌ ବିଶ୍ବବିଦ୍ୟାଳୟରେ ବିଶ୍ବ ନାରିକେଳ ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତୋମର କହିଛନ୍ତି, ଓଡ଼ିଶାରୁ ୩୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ବାର୍ଷିକ ୬ ହଜାର ଟଙ୍କା ସହାୟତା ପାଉଛନ୍ତି। ବଳକା ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇବାକୁ ସେ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ, ଆଗାମୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ କରିବେ। ଏହି ଅବସରରେ ପ୍ରାୟ ୧୦ ଲକ୍ଷ କୃଷକଙ୍କୁ ସହାୟତାରାଶି ପ୍ରଦାନ କରାଯିବ। ଏହି ଯୋଜନା ଅନ୍ତର୍ଗତ ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୫୨ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି। ଯୋଜନା ଅନ୍ତର୍ଗତ ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଚାଷୀ ୫୫ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଜମାରାଶି ରଖିବେ। ଭାରତ ସରକାର ସମାନ ରାଶି ଉକ୍ତ ଚାଷୀଙ୍କ ଖାତାରେ ଯୋଡ଼ିବେ। ଚାଷୀଙ୍କୁ ୬୦ ବର୍ଷ ହେଲା ପରେ ମାସକୁ ସର୍ବାଧିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍‌ ମିଳିବ। ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ବିଭିନ୍ନ ଶସ୍ୟ ଜାତୀୟ ଉତ୍ପାଦ ଉପରେ ଏମ୍‌ଏସ୍‌ପି ଦେଢ଼ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ତୋମର କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ତୋମର କହିଛନ୍ତି, ଆମ ଦେଶରେ ୧ କୋଟି ନଡ଼ିଆ ଚାଷୀ ରହିଛନ୍ତି ଓ ଭାରତ ବିଶ୍ୱର ଅଗ୍ରଣୀ ନଡ଼ିଆ ଉତ୍ପାଦନକାରୀ ରାଷ୍ଟ୍ର। ସମସ୍ତ କୃଷି ଉତ୍ପାଦନ ମଧ୍ୟରୁ ନାରିକେଳରେ ସର୍ବାଧିକ ମୂଲ୍ୟ ସମ୍ବର୍ଦ୍ଧନ ହୋଇପାରିବ। ତେଣୁ ନଡ଼ିଆ ଚାଷକୁ ସରକାର ଅଗ୍ରାଧିକାର ପ୍ରଦାନ କରୁଛନ୍ତି। ବିଶ୍ୱ ବଜାରରେ ଭାରତର ନଡ଼ିଆ ଓ ଆନୁସଙ୍ଗିକ ପଦାର୍ଥର ଚାହିଦା ବୃଦ୍ଧି ଲାଗି ଆଗାମୀ ଦିନରେ ଦେଶବ୍ୟାପୀ ୧୦ ହଜାର ଏଫ୍‌ପିଓ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ଏହି ଏଫ୍‌ପିଓ କେନ୍ଦ୍ର ଦ୍ୱାରା ଚାଷୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ସହାୟତା ପ୍ରଦାନ କରାଯିବ। ଏହି କେନ୍ଦ୍ର ଗୁଡ଼ିକ ନଡ଼ିଆ ଚାଷୀଙ୍କ ଦକ୍ଷତା ବିକାଶରେ ମଧ୍ୟ ସହାୟକ ହେବ। ବର୍ତ୍ତମାନ ଦେଶରେ ସରକାରୀ ସହାୟତାରେ ୪୮୪ଟି ନଡ଼ିଆ ଉଦ୍ୟୋଗ ଚାଲୁଛି। ୨୦୨୨ ସୁଦ୍ଧା ଏହି ସଂଖ୍ୟାକୁ ଦ୍ୱିଗୁଣିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ନଡ଼ିଆଚାଷୀମାନଙ୍କୁ ଷ୍ଟାର୍ଟଅପ୍‌ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ପୋତ୍ସାହିତ କରିବେ ବୋଲି ତୋମାର କହିଛନ୍ତି।

ଏହି ସମାରୋହରେ ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ ସାହୁ, ଭାରତ ସରକାରଙ୍କ କୃଷିମନ୍ତ୍ରଣାଳୟ ସଚିବ ସଞ୍ଜୟ ଅଗ୍ରୱାଲ, ଓଡ଼ିଶା ସରକାରଙ୍କ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଓ ନାରିକେଳ ବୋର୍ଡ ଅଧ୍ୟକ୍ଷା ଭି.ଉଷାରାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନାରିକେଳ ବିକାଶ ବୋର୍ଡ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପୁସ୍ତିକା ଓ ପତ୍ରିକାର ଉନ୍ମୋଚନ ହୋଇଥିଲା। ସମାରୋହରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ, ତେଲଙ୍ଗାନା, ଆସାମ ଆଦିରୁ ୫୦୦ରୁ ଊଦ୍ଧ୍ୱର୍ ନଡ଼ିଆ ଚାଷୀ ଯୋଗଦେଇଥିଲେ। ନଡ଼ିଆ ଚାଷ ପ୍ରଣାଳୀ ଓ ବିଭିନ୍ନ ଉତ୍ପାଦକକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ