ଭାରତର ବାଜିମାତ୍‌, ୱେଷ୍ଟ୍‌ଇଣ୍ଡିଜ୍‌ ଧରାଶାୟୀ: ପୋଛିନେଲା ଟେଷ୍ଟ୍‌ ସିରିଜ


ଜାମାଇକାର କିଙ୍ଗଷ୍ଟନ୍‌ ଠାରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍‌ ଜିତି କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ଭାରତ-ୱେଷ୍ଟ୍‌ଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜକୁ ଭାରତ ୨-୦ରେ ପୋଛି ନେଇଛି। ୪୬୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଓ୍ବେଷ୍ଟ୍‌ଇଣ୍ଡିଜ ଦ୍ୱିତୀୟ ଇନିଂସରେ ମାତ୍ର ୨୧୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଫଳରେ ଭାରତ ୨୫୭ ରନ୍‌ର ବଡ଼ ବ୍ୟବଧାନରେ କାରିବିଆନ୍ ଟିମ୍‌କୁ ପରାସ୍ତ କରିଛି। ଏଥିସହ ବିରାଟ କୋହଲି ସବୁଠାରୁ ଭାରତର ସଫଳତମ ଅଧିନାୟକ ଭାବେ ଗୌରବ ଅର୍ଜନ କରିଛନ୍ତି। ଏହାକୁ ମିଶାଇ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୨୮ଟି ଟେଷ୍ଟ୍‌ରେ ବିଜୟୀ ହୋଇଛି। ଏ କ୍ଷେତ୍ରରେ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୨୭ଟି ବିଜୟକୁ ପଛରେ ପକାଇ ଦେଇଛନ୍ତି। ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ ପାଇଁ ହନୁମା ବିହାରୀ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଡବଲ ବିଜୟ ସହ ଭାରତ ଆଇସିସି ବିଶ୍ୱ ଚାମ୍ପିଅନଶିପ୍‌ ଟେବଲ୍‌ରେ ୧୨୦ ପଏଣ୍ଟ ସହିତ ଶୀର୍ଷସ୍ଥାନ ବଜାୟ ରଖିଛି।

ଦ୍ଵିତୀୟ ଟେଷ୍ଟରେ ୱେଷ୍ଟ୍‌ଇଣ୍ଡିଜ ପ୍ରଥମେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଇଂନିସରେ ପ୍ରଥମେ ବ୍ୟାଟିଂ କରି ଭାରତ ଏକ ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ହନୁମା ବିହାରୀ ଶତକୀୟ ପାଳି ଖେଳିଥିଲେ। ଏହାସହ ମୟଙ୍କ ଅଗ୍ରୱାଲ୍ ‌(୫୫), ବିରାଟ କୋହଲି (୭୬) ଓ ଇଶାନ୍ତ ଶର୍ମା (୫୭) ରନ କରିଥିଲେ। ଫଳରେ ଭାରତ ୪୧୬ ରନ୍‌ କରିପାରିଥିଲା। ଏହାର ଜବାବରେ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟ୍‌ଇଣ୍ଡିଜ୍‌ର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୱେଷ୍ଟ୍‌ଇଣ୍ଡିଜ ଦଳର ସମସ୍ତ ବ୍ୟାଟ୍‌ସମ୍ୟାନ ଫେଲ୍‌ ମାରିଥିଲେ। ଜସପ୍ରୀତ୍‌ ବୁମରାଙ୍କ ଘାତକ ବୋଲିଂରେ ୱେଷ୍ଟ୍‌ଇଣ୍ଡିଜ ଦଳ ଧରାଶାୟୀ ହୋଇଯାଇଥିଲା। ଫଳରେ ଦଳ ସମସ୍ତ ୱିକେଟ୍‌ ହରାଇ ମାତ୍ର ୧୧୭ ରନ୍‌ କରିପାରିଥିଲା। ଦ୍ଵିତୀୟ ଇଂନିସରେ ଭାରତ ୧୬୮/୪ ରନ୍‌ କରି ପାଳି ଘୋଷଣା କରିଥିଲା। ଏଥିରେ ଦଳ ପକ୍ଷରୁ ରାହାଣେ ୬୪ ରନ ଓ ହନୁମା ବିହାରୀ ୫୩ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ବିଜୟ ପାଇଁ ଭାରତ ୪୬୮ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ତୃତୀୟ ଦିବସରେ ଓ୍ବେଷ୍ଟ୍‌ଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୩ ଓଭର ଖେଳି ୪୫ ରନ ମଧ୍ୟରେ ୨ଟି ୱିକେଟ୍‌ ହରାଇଥିଲା। କ୍ରେଗ୍‌ ବ୍ରେଥ୍‌ଓ୍ବେଟ୍‌ ମାତ୍ର ୩ ରନ କରି ଈଶାନ୍ତ ଶର୍ମାଙ୍କ ଶିକାର ହୋଇଥିବାବେଳେ ଜନ କ୍ୟାମ୍ପବେଲ୍‌ ୧୬ ରନ୍‌ କରି ମହମ୍ମଦ ଶମୀଙ୍କ ବଲ୍‌ରେ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଚତୁର୍ଥ ଦିନରେ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟ୍‌ଇଣ୍ଡିଜ୍‌ ୪୫/୨ରୁ ଖେଳ ଆରମ୍ଭ କରିଥିଲା।  ୪ର୍ଥ ଦିବସ ଆରମ୍ଭରେ ଡାରେନ୍‌ ବ୍ରାଭୋ ଓ ରଷ୍ଟନ ଚେଜ୍‌ ସତର୍କତାର ସହିତ ବ୍ୟାଟିଂକରି ଇନିଂସକୁ ଆଗେଇ ନେଇଥିଲେ। ତେବେ ଦଳୀୟ ସ୍କୋର ୫୫ ହୋଇଥିବାବେଳେ ଜସପ୍ରୀତ୍‌ ବୁମ୍‌ରାଙ୍କ ବୋଲିଂରେ ବ୍ରାଭୋ ରିଟାୟର୍ଡ ହର୍ଟ ହୋଇ କ୍ରିଜ୍‌ ଛାଡ଼ିଥିଲେ। ସେ ୪୧ ବଲ୍‌ରୁ ୨୩ ରନ୍‌ କରିଥିଲେ। ଏହାପରେ ରଷ୍ଟନ୍‌ ଚେଜ୍‌ ୧୨ ଓ ଶିମରନ ହେଟମେୟର ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ନିୟମ ଅନୁସାରେ ଆହତ ବ୍ରାଭୋଙ୍କ ସ୍ଥାନରେ ଜର୍ମେନ ବ୍ଲାକ୍‌ଉଡ୍‌ ବ୍ୟାଟିଂ ପାଇଁ ଆସିଥିଲେ। ସୋମବାର ମଧ୍ୟାହ୍ନ ଭୋଜନ ବିରତି ଶେଷସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ୪ ୱିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା। ଦ୍ୱିତୀୟ ସେସନ୍‌ରେ ମିଡଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଦଳ ଶୀଘ୍ର ୱିକେଟ୍‌ ହରାଇ ପରାଜୟ ଆଡ଼କୁ ମୁହାଁଇଥିଲା। ବ୍ଲାକ୍‌ଉଡ୍‌ ୩୮ ରନ୍‌ କରିଥିବାବେଳେ ବୁମ୍‌ରାଙ୍କ ବଲ୍‌ରେ ୱିକେଟ୍‌ କିପର ରିଷଭ ପନ୍ତଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଶାମରା ବ୍ରୁକ୍ସ ୫୦ ରନ୍‌ କରି ବିରାଟ କୋହଲିଙ୍କ ଡାଇରେକ୍ଟ ଥ୍ରୋରେ ରନ୍‌ଆଉଟ୍‌ ହୋଇଥିବାବେଳେ ଜାମର ହାମିଲଟନ ଖାତା ଖୋଲିବା ପୂର୍ବରୁ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ରାନକିମ୍‌ କର୍ନଓ୍ବାଲ ମାତ୍ର ୧ ରନ୍‌ କରି ମହମ୍ମଦ ଶମୀଙ୍କ ଶିକାର ହୋଇଥିଲେ। କେମାର ରୋଚ୍‌ଙ୍କୁ ଶମୀ ୫ ରନ୍‌ରେ ଆଉଟ୍‌ କରିଥିବାବେଳେ ଜେସନ୍‌ ହୋଲ୍ଡରଙ୍କୁ ୩୯ ରନ୍‌ରେ ପ୍ୟାଭିଲିୟନ ପଠାଇ ରବୀନ୍ଦ୍ର ଜାଡେଜା ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଶମୀ ଓ ଜାଡେଜା ଉଭେୟ ୩ଟି ଲେଖାଏଁ, ଈଶାନ୍ତ ଶର୍ମା ୨ଟି ଓ ବୁମ୍‌ରା ଗୋଟିଏ ୱିକେଟ୍‌ ନେଇଥିଲେ।

ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇ ସଫଳତମ ଅଧିନାୟକ ହୋଇଛନ୍ତି ବିରାଟ କୋହଲି। ଧୋନି ୬୦ଟି ଟେଷ୍ଟ୍‌ ମ୍ୟାଚ୍‌ରେ ଅଧିନାୟକତ୍ବ କରି ୨୭ଟି ବିଜୟ ପାଇଥିବା ବେଳେ କୋହଲି ମାତ୍ର ୪୮ଟି ଟେଷ୍ଟ୍‌ରେ ଅଧିନାୟକତ୍ବ କରି ୨୮ଟି ବିଜୟ ପାଇଛନ୍ତି। ଏଥିସହ ରିଷଭ ପନ୍ତ ମଧ୍ୟ ରେକର୍ଡ କରିଛନ୍ତି। ପନ୍ତ ଭାରତୀୟ ୱିକେଟ୍‌ କିପର୍‌ ଭାବେ ଟେଷ୍ଟ୍‌ରେ ଦ୍ରୁତତମ ୫୦ଟି କ୍ୟାଚ୍‌ ନେଇଛନ୍ତି। ଓ୍ବେଷ୍ଟ୍‌ଇଣ୍ଡିଜର ଦ୍ୱିତୀୟ ଇନିଂସରେ ଈଶାନ୍ତ ଶର୍ମାଙ୍କ ବଲ୍‌ରେ କ୍ରେଗ୍‌ ବ୍ରେଥଓ୍ବେଟ୍‌ଙ୍କୁ କ୍ୟାଚ୍‌ କରି ରିଷଭ ପନ୍ତ ଟେଷ୍ଟ୍‌ କ୍ରିକେଟରେ ଜଣେ ୱିକେଟ୍‌ କିପର ଭାବେ ୫୦ ଡିସ୍‌ମିସାଲ୍‌ ପୂରଣ କରିଛନ୍ତି। ସେ ମାତ୍ର ୧୧ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳି ଏହି ସଫଳତା ପାଇଥିବା ବେଳେ ପୂର୍ବତନ ଅଷ୍ଟ୍ରେଲୀୟ ୱିକେଟ୍‌ କିପର ଆଡାମ୍‌ ଗିଲକ୍ରିଷ୍ଟଙ୍କ ସମକକ୍ଷ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର, ଇଂଲଣ୍ଡର ଜନି ବେୟାରଷ୍ଟୋ ଓ ଅଷ୍ଟ୍ରେଲିଆର ଟିମ୍‌ ପେନ୍‌ ୧୦ ଟେଷ୍ଟରୁ ଏହି ସଫଳତା ସହ ଆଗରେ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ