ଦାରିଦ୍ର୍ୟ ପାଇଁ ବିବାହ କଲେ ନାହିଁ ଜିମ୍ କରବେଟ୍


ଯେତେବେଳେ ତାଙ୍କୁ ୩୩ ବର୍ଷ ବୟସ। ନୈନିତାଲର କଲେକ୍ଟର ତାଙ୍କୁ ଆମନ୍ତ୍ରଣ କଲେ। ୨୦୦ ମଣିଷଙ୍କୁ ମାରି ଖାଇଥିବା ‘ଚମ୍ପାଓ୍ୱତ୍’ ନାମକ ଚାରିବର୍ଷର ମହାବଳ ବାଘକୁ ଶିକାର କରିବା ହିଁ ଥିଲା ଏଇ ଆମନ୍ତ୍ରଣର ମୁଖ୍ୟ ଉଦ୍ଦେଶ୍ୟ। ସେ ଏଇ ଚ୍ୟାଲେଞ୍ଜକୁ ଗ୍ରହଣକଲେ। ‘ଚମ୍ପାଓ୍ୱତ୍’କୁ ମାରିଦେଲେ। ୧୯୩୮ ମସିହା, ଯେତେବେଳେ ତାଙ୍କୁ ୬୩ ବର୍ଷ ବୟସ, ସେତେବେଳେ ସେ ମଣିଷଖିଆ ବାଘ ‘ଥାକ୍’କୁ ଶିକାର କଲେ। ଏହା ଥିଲା ତାଙ୍କର ଦଶମ ଓ ଶେଷ ବାଘ ଶିକାର।

ତାଙ୍କ ନାଁ ଜେମ୍‌ସ ଏଡ୍ଓ୍ୱାର୍ଡ଼ କରବେଟ୍। ବିଶ୍ୱବାସୀଙ୍କ ପାଖରେ ସେ ଜିମ୍ କରବେଟ୍ ନାଁରେ ଅଧିକ ପ୍ରସିଦ୍ଧ। ଭାରତର ସ୍ଥାୟୀ ବାସିନ୍ଦା ମାରିଜେନ୍ କରବେଟ୍ ଓ କ୍ରିଷ୍ଟୋଫର କରବେଟଙ୍କ ଅଷ୍ଟମ ସନ୍ତାନ ଜିମ୍ ୧୮୭୫ ମସିହା ଜୁଲାଇ ୨୫ ତାରିଖରେ ଜନ୍ମହୋଇଥିଲେ ହିମାଳୟର ପାଦଦେଶ ନୈନିତାଲରେ।
 
ଜିମ୍‌ଙ୍କ ପିଲାଦିନ ଖୁବ୍ ସୁଖରେ ବିତିଥିଲା। ଛୋଟବେଳେ ସ୍ଥାନୀୟ ଶିକାରୀଙ୍କ ସହ ମିଶି ବାଘ, ଚିତାବାଘ, ଭାଲୁ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ଶିକାର କରୁଥିଲେ। ତାଙ୍କୁ ଯେତେବେଳେ ପାଞ୍ଚ ବର୍ଷ ବୟସ, ସେ ନୈନିତାଲର ଫିଲାଣ୍ଡର ସ୍ମିଥ୍ ସ୍କୁଲରେ ଭର୍ତ୍ତି ହୋଇଥିଲେ। ପରେ ୧୮୯୩ ମସିହାରେ ଫୁଏଲ୍ ଇନସପେକ୍ଟର ଭାବରେ ବେଙ୍ଗଲ ରେଲେଓ୍ୱରେ ମାସିକ ୧୦୦ ଟଙ୍କା ଦରମାରେ ଚାକିରି ଜୀବନ ଆରମ୍ଭ କଲେ ଜିମ୍। ଦୀର୍ଘ ୨୦ ବର୍ଷ ସେ ବିହାରର ମୋକାମାଘାଟରେ ରହିଥିଲେ ଏବଂ ତାଙ୍କର ଆର୍ଥିକ ପରିସ୍ଥିତି ଆଦୌ ଭଲ ନ ଥିଲା। ସେଥିପାଇଁ ସେ ସାରା ଜୀବନ ବିବାହ କରି ପାରି ନ ଥିଲେ। ଅବିବାହିତା ଭଉଣୀ ମ୍ୟାଗି, ଏକାଧିକ ପୋଷା କୁକୁର ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସହ ତାଙ୍କ ଜୀବନ ବିତିଥିଲା।

୧୯୪୬ ମସିହା ସେପ୍ଟେମ୍ବରରେ ଜିମ୍ କରବେଟ୍ ଭଉଣୀ ମ୍ୟାଗିଙ୍କ ସହ ଭାରତ ଛାଡ଼ିଲେ ଏବଂ ବସବାସ କଲେ ପୂର୍ବ ଆଫ୍ରିକାର କେନିଆରେ। ସେତେବେଳେ ତାଙ୍କୁ ୭୧ ବର୍ଷ ବୟସ। ସେ କେନିଆରେ ସିନା ଥିଲେ, ହେଲେ ତାଙ୍କୁ ସବୁବେଳେ ତାଙ୍କର ପ୍ରିୟ ସ୍ଥାନ ଭାରତର ଆକର୍ଷଣ ଟାଣୁଥିଲା, ନୈନିତାଲର ମୋହ ତାଙ୍କୁ ପାଗଳ କରିଦେଉଥିଲା। ମାତ୍ର ୧୯୫୫ ମସିହା ଅପ୍ରେଲ୍ ୧୯ ତାରିଖରେ ସେ ହୃଦ୍‌ରୋଗରେ ଆକ୍ରାନ୍ତ ହେଲେ ଏବଂ ପ୍ରାଣ ହରାଇଲେ।

କେବଳ ଶିକାରୀ ନୁହଁ, ଜିମ୍ କରବେଟ୍ ଜଣେ ଲେଖକ ମଧ୍ୟ ଥିଲେ। ଶିକାରକୁ ନେଇ ସେ ଲେଖିଥିବା ଅନେକ ବହି ବିଶ୍ୱର ସର୍ବୋଚ୍ଚ ବିକ୍ରି ତାଲିକାରେ ରହିଛି। ‘ମେନ୍ ଇଟର୍ସ ଅଫ୍ କୁମାୟୁଁ’, ‘ମ୍ୟାନ୍ ଇଟିଂ ଲିଓପାର୍ଡ଼ ଅଫ୍ ରୁଦ୍ର ପ୍ରୟାଗ’, ‘ମାଇଁ ଇଣ୍ଡିଆ’,‘ଦ ଟେମ୍ପଲ୍ ଟାଇଗର’, ‘ଜଙ୍ଗଲ ଲୋର୍’, ‘ଟ୍ରି ଟପ୍ସ୍’ ଆଦି ପ୍ରସିଦ୍ଧ ବହିଗୁଡ଼ିକ ଭିତରୁ ଅନେକ ସିନେମାରେ ରୂପାୟିତ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ