ଗୁଜରାଟରେ ମୁଣ୍ଡ ଟେକୁଛି ସିଙ୍ଗାପୁରର ଦେଢ଼ଗୁଣା ବଡ଼ ବାଣିଜ୍ୟିକ ସହର

ଉନ୍ନତ ଭିତ୍ତିଭୂମିର ଏହି ଅତ୍ୟାଧୁନିକ ସହର ଦେଇ ଡେଣା ମେଲାଇବ ବେପାର ବଣିଜ

୫ ହଜାର ବର୍ଷ ପୂର୍ବରୁ ଅହମଦାବାଦ ନିକଟରେ ସିନ୍ଧୁଘାଟି ସଭ୍ୟତାର ବିକଶିତ ସହର ‘ଲୋଥଲ’ର ଅତି ପାଖରେ ଏପରି ନୂଆ ଏବଂ ସ୍ମାର୍ଟ ସହର ନିର୍ମାଣ କରାଯାଉଛି, ଯାହା ସିଙ୍ଗାପୁର ଠାରୁ ଦେଢ଼ଗୁଣା ବଡ଼ ହେବ। ଏଥିରେ କେବଳ ବୈଦ୍ୟୁତିକ ଯାନବାହନ ଚଳପ୍ରଚଳ କରିବ। ଗୋଟିଏ ବୁନ୍ଦା ପାଣି ମଧ୍ୟ ଏଠାରେ ନଷ୍ଟ ହେବାକୁ ଦିଆଯିବ ନାହିଁ। ବୁନ୍ଦାବୁନ୍ଦା ପାଣିର ସଠିକ୍‌ ଉପଯୋଗ କରାଯିବ। ଏଠାରେ ଥିବା ଶୌଚାଳୟ, ସ୍ନାନାଗାର ଏବଂ ସ୍ବେରେଜର ପାଣିକୁ ପୁନଃ ବ୍ୟବହାର କରାଯିବ।

ଏହି ନଗରୀ ୯୨୦ ବର୍ଗ କିମି ପରିବ୍ୟାପ୍ତ ଅଞ୍ଚଳରେ ଗଢ଼ିଉଠିବ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦ ପରେ ଏହାର ଭୌଗୋଳିକ ପରିସୀମାକୁ ବିଚାର କଲେ ଏହା ଦେଶର ସବୁଠୁ ବଡ଼ ସହର ହେବ। ଏଥିରେ ପ୍ରାଚୀନ ସହର ଲୋଥଲର ଥିମ ଦିଆଯାଇଛି। ଏଠାରୁ ଜଳପଥ ଓ ଆକାଶ ପଥ ଜରିଆରେ ବ୍ୟବସାୟର ନୂଆ ଡେଣା ବିକଶିତ ହେବ। ଧୋଲେରା ଅଞ୍ଚଳର ଖମ୍ଭାତର ଉପକୂଳରେ ଥିବା ପ୍ରାଚୀନ ବନ୍ଦର ଦିନେ ସାମୁଦ୍ରିକ ବ୍ୟବସାୟର ପେଣ୍ଠସ୍ଥଳ ଥିଲା। ଏହା ଏବେ ପୁନର୍ଜୀବିତ ହେବାକୁ ଯାଉଛି। ଏଠାରେ ଗୁଜରାଟର ସବୁଠୁ ବଡ଼ ଅନ୍ତର୍ଜାତୀୟ ପଣ୍ୟ ରପ୍ତାନୀ ସ୍ଥଳୀର ନିର୍ମାଣ ଚାଲିଛି। ୯୨୦ ବର୍ଗ କିଲୋମିଟର ବ୍ୟାପ୍ତ ଏହି ସହର ପାଇଁ ନିର୍ମାଣ ହେବାକୁ ଥିବା ୩୨୦ ଏୟାରବସ୍‌ ଭଳି ବଡ଼ ଉଡ଼ାଜାହାଜର ପରିଚାଳନା ଲାଗି ଦୁଇଟି ରନ୍‌ୱେ ନିର୍ମାଣ କରାଯିବ।

ଆସିବେ ୫ କୋଟି ଯାତ୍ରୀ
ଏଠାରେ ବିଶ୍ବର ବିଭିନ୍ନ ସହରରୁ ପଣ୍ୟ ପରିବହନ ନେଇ ଆସିଥିବା ଉଡ଼ାଜାହାଜ ଗୁଡ଼ିକର ସୁରକ୍ଷିତ ପାର୍କିଂ ସହିତ ଯାତ୍ରୀ ପରିବହନର ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ଭିତ୍ତିଭୂମି ନିର୍ମାଣ କରାଯିବ। ଏହି ବିମାନବନ୍ଦରକୁ ଅନୁମତି ମିଳିଯାଇଛି। ବାର୍ଷିକ ୫ କୋଟି ଯାତ୍ରୀ ଏହି ବିମାନବନ୍ଦରକୁ ଆଗମନ କରିବାର ପରିକଳ୍ପନା କରାଯାଇଛି। ଧୋଲେରା ସ୍ମାର୍ଟ ସିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା। ଏହି ସହର ପାଇଁ ବିନିଯୋଗ ହେଉଥିବା ପାଣ୍ଠିର ୫୧ ପ୍ରତିଶତ ଅଂଶଧନ ଗୁଜରାଟ ଦେଉଥିବା ବେଳେ ୪୯ ପ୍ରତିଶତ ଅଂଶଧନ କେନ୍ଦ୍ର ସରକାର ବହନ କରିବା ସ୍ଥିର ହୋଇଛି।

ଏଠାରୁ ପ୍ରଥମ ବିମାନ ୨୦୨୩ ସୁଦ୍ଧା ଉଡ଼ାଣ ଭରିବାର ସମ୍ଭାବନା ରଖାଯାଇଥିବା କୁହାଯାଇଛି। ଏହି ସହରରେ ହେଉଥିବା ବାଣିଜ୍ୟିକ କାରବାର ଉଭୟ ଆକାଶ ଓ ଜଳପଥରେ ବିସ୍ତାରିତ ଓ ବିକଶିତ ହୋଇପାରିବ। ଅର୍ଥାତ୍‌ ସହରକୁ ରପ୍ତାନୀ ଓ ଆମଦାନି, ଜଳ ଓ ଆକାଶ ପଥରେ ସୁଗମ ଭାବେ ହୋଇପାରିବା ଭଳି ଭିତ୍ତିଭୂମି ନିର୍ମାଣ ଉପରେ ପ୍ରାଥମିକତା ଦିଆଯାଇଛି। ହଜାର ହଜାର କୋଟି ଟଙ୍କାର ବ୍ୟବସାୟିକ କାରବାର ଏଠାରେ ହୋଇପାରିବ। କେବଳ ଦେଶ ନୁହେଁ, ସାରା ବିଶ୍ବକୁ ଏହାର ଲାଭ ମିଳିବ। ୧୪୨୬ ହେକ୍ଟର ଜମିରେ ପ୍ରସ୍ତାବିତ ଏହି ବିମାନବନ୍ଦରରେ ଦୁଇଟି ରନ୍‌ୱେ ନିର୍ମାଣ କରାଯିବ, ଯାହାକି ୩୨୦ ଏୟାରବସ୍‌ ଭଳି ବଡ଼ ବିମାନକୁ ମଧ୍ୟ ସହଜରେ ପରିଚାଳନା କରିପାରିବ। ଧୋଲେରା ସିଟି ଭାରତର ବ୍ୟବସାୟକୁ ନୂଆ ଦିଗ ଦେବ। ଏହାର ବିମାନବନ୍ଦର ଗୁଜରାଟର ସବୁଠୁ ବଡ଼ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ହେବ। ଏହାକୁ ବିକଶିତ କରିବା ଲକ୍ଷ୍ୟରେ ବ୍ୟାପକ ମାତ୍ରାରେ ଲଜିଷ୍ଟିକ କାର୍ଯ୍ୟ ହାତକୁ ନିଆଯାଉଛି ବୋଲି ଧୋଲେରା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏକ୍ସପୋର୍ଟ କମ୍ପାନୀର ମହାପ୍ରବନ୍ଧକ ଅମିତ ଚାୱଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି। ବିଶ୍ବସ୍ତରୀୟ ସୁବିଧା ଉପଲବ୍ଧ ଦୃଷ୍ଟିରୁ ଏହା ସିଙ୍ଗାପୁରକୁ ଟପିଲା ଭଳି କରାଯିବ।

ଅହମଦାବାଦ ସହର ଠାରୁ ୧୦୦ କିମି ଦୂରରେ ଅବସ୍ଥିତ ଧୋଲେରା ହେବ ଗ୍ରୀନଫିଲ୍ଡ ଇଣ୍ଡଷ୍ଟ୍ରିଆଲ ସିଟି। ଅହମଦାବାଦ ସିଟି ଠାରୁ ଏହା ଆହୁରି ବଡ଼ ସହର ହେବ। ଗୁଜରାଟର ଅହମଦାବାଦ ବରୋଦା, ରାଜକୋଟ ଏବଂ ଭାବନଗର ସହରର ମଝିଆ ମଝି ଏହି ସହରର ଚାରିପଟେ ଥିବା ସହର ସହିତ ଏହା ଲାଗିଯିବ।  ଏଥିରେ ୬ ଲେନ ଯୁକ୍ତ ଏକ୍ସପ୍ରେସ ୱେ ସଂଯୋଜିତ ହେବ। ମେଟ୍ରୋ ରେଳପଥର ନିର୍ମାଣ ବି କରାଯିବ। ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ୨୦୩୦ ସୁଦ୍ଧା ପ୍ରସ୍ତାବିତ ଏହି ସହର ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ। ଏଠାରେ ୮ ଲକ୍ଷ ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ। ଏହାର ବିକାଶ ପାଇଁ ୨୦୦୯ରେ ଏକ ବିଧେୟକ ପ୍ରସ୍ତୁତ ହୋଇଛି ଏବଂ ଆଞ୍ଚଳିକ ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରାଯାଇଛି। ଏହି ସ୍ବପ୍ନର ସହରରେ ସୁରତର ବସ୍ତ୍ର ବ୍ୟବସାୟୀମାନେ ୧୦୦ କୋଟି ଟଙ୍କା ନିବେଶ କରିବେ। ସ୍ବତନ୍ତ୍ର ନିବେଶ ଅଞ୍ଚଳ ଭାବେ ଚିହ୍ନଟ ଏହି ସହରର ବିକାଶ ପାଇଁ କେନ୍ଦ୍ର ସରକାର ୨,୪୮୬ କୋଟି ଟଙ୍କା ମଞ୍ଜୁର କରିଥିବା ଜଣାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ