କଏଦୀରେ ହାଉଜାଉ ଆମେରିକା: ସେଠି ଭାରତର ୫ ଗୁଣା ବନ୍ଦୀ

ଜେଲ୍‌ ଅବ୍ୟବସ୍ଥାର ଚିତ୍ର କେବଳ ଭାରତ ନୁହେଁ, ବିଶ୍ବର ସବୁଠି ଦୃଶ୍ୟମାନ

ଭାରତରେ ଜେଲ୍ ଗୁଡ଼ିକର ସ୍ଥିତି ଏବେ ଭଲ ନାହିଁ। ଦେଶର କେତେକ ଜେଲ୍‌ରେ କଏଦୀମାନେ ପଳାୟନ କରିବା ଉଦ୍ୟମ କରୁଥିବା ବେଳେ କେତେକ ଜେଲ୍‌ରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ଝଗଡ଼ା, ହିଂସାର ଘଟଣାମାନ ଘଟୁଛି। ନିକଟରେ ଲୁଧିଆନାର ସେଣ୍ଟ୍ରାଲ ଜେଲ୍‌ରେ କଏଦୀମାନେ ଫେରାର ହେବା ପାଇଁ ହଙ୍ଗାମା କରିଦେଇଥିଲେ। ସେଥିପାଇଁ ପୋଲିସ ସହ ମୁହାଁମୁହିଁ ସ୍ଥିତି ଉତ୍ପନ୍ନ ହୋଇଥିଲା। ହିଂସାରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉକେତେକ ଆହତ ହୋଇଥିଲେ। ଏଥି ପୂର୍ବରୁ ବି ଜେଲ୍‌ରୁ ଛୁ ମାରିବା ଘଟଣା ଘଟିଥିଲା। କେବଳ ଯେ ଭାରତୀୟ ଜେଲ୍‌ରେ ଏଭଳି ଘଟୁଛି ତାହା ନୁହେଁ, ସାରା ବିଶ୍ବର ଜେଲ୍‌ ଗୁଡ଼ିକରେ ସମାନ ଚିତ୍ର ନଜରକୁ ଆସିଥାଏ। ବିଶ୍ବ ସ୍ତରରେ ଦେଖିଲେ କଏଦୀଙ୍କ ସଂଖ୍ୟାରେ ଆମେରିକା ସର୍ବାଗ୍ରେ ରହିଥିବା ବେଳେ  ଭାରତ ବିଶ୍ବର ଟପ୍‌ ୫ ଦେଶ ମଧ୍ୟରେ ସାମିଲ୍‌ ଅଛି। ଭାରତ ତୁଳନାରେ ଆମେରିକାରେ ଏହାର ୫ ଗୁଣା କଏଦୀ ରହିଥିବା ଜଣାଯାଇଛି।

ବିଶ୍ବରେ ଏହି ଦେଶରେ ସର୍ବାଧିକ ବନ୍ଦୀ
ବିଶ୍ବର ସର୍ବାଧିକ କଏଦୀ ଆମେରିକାରେ ରହନ୍ତି। ଏହି ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ପଞ୍ଚମରେ। ଭାରତରେ ସମୁଦାୟ ବନ୍ଦୀଙ୍କ ସଂଖ୍ୟାର ୫ ଗୁଣା ଅଧିକ ବନ୍ଦୀ ଆମେରିକାରେ ଥିବା ଜଣାଯାଇଛି। ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆମେରିକାରେ ଏବେ ୨,୧୨୧,୬୦୦ କଏଦୀ ଜେଲ୍‌ର ଅନ୍ଧାରୁଆ ସେଲ୍‌ ଭିତରେ କଏଦୀ ଜୀବନ ଜିଉଁଥିବା ବେଳେ ଚୀନ ଏ ଦୃଷ୍ଟିରୁ ଦ୍ବିତୀୟରେ ରହିଛି। ଚୀନରେ ୧,୬୪୯,୮୦୪ କଏଦୀ ଥିବାବେଳେ ବ୍ରାଜିଲରେ ୭,୧୪,୮୯୯, ରୁଷରେ ୫,୫୨,୧୮୮ ଓ ଭାରତରେ ୪,୩୩,୦୦୩ କଏଦୀ ରହିଛନ୍ତି। ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଆମେରିକାରେ ୬୫୫ କଏଦୀ ଥିବାବେଳେ ଥାଇଲାଣ୍ଡରେ ପ୍ରତି ଲକ୍ଷେରେ ୫୫୮ କଏଦୀ ରହିଛନ୍ତି। ସର୍ବାଧିକ କଏଦୀଙ୍କ ଅନୁପାତ ତାଲିକାରେ ବ୍ରାଜିଲକୁ ଏବେ ତୁର୍କମେନିସ୍ତାନ ଟପିଯାଇଛି। କାରଣ ତୁର୍କମେନିସ୍ତାନରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ୫୫୨ ଜଣ କଏଦୀ ଅଛନ୍ତି। ଏହି ପ୍ରସଙ୍ଗରେ ଭାରତ ୨୧୩ ତମ ସ୍ଥାନରେ ରହିଛି। ଭାରତର ପ୍ରତି ୧ ଲକ୍ଷ ଜନସଂଖ୍ୟା ମଧ୍ୟରୁ ମାତ୍ର ୩୩ ଜଣ କଏଦୀ ଥିବା ପରିସଂଖ୍ୟାନରୁ ଜଣାଯାଇଛି। ପାକିସ୍ତାନ ଏ ମାମଲାରେ ଭାରତ ଠାରୁ ଆଗରେ। ପାକିସ୍ତାନ ୨୦୭ ତମ ସ୍ଥାନରେ ରହିଛି।

ଶୀର୍ଷ ୫ ରାଜ୍ୟର ଜେଲ୍‌ କ୍ଷମତା ଏବଂ କଏଦୀ ସଂଖ୍ୟା
ଦାଦ୍ରା ଓ ନଗରହାବେଳି କେନ୍ଦ୍ରଶାସିତ ଅଞ୍ଚଳରେ ୬୦ କ୍ଷମତା ଥିବା ଜେଲ୍‌ରେ ୧୨୦ କଏଦୀ ଥିବାବେଳେ ଛତିଶଗଡ଼ ଜେଲ୍‌ରେ ୯୮୧୩ କଏଦୀଙ୍କ କ୍ଷମତା ବିଶିଷ୍ଟ ଜେଲ୍‌ରେ ୧୮,୬୩୧ କଏଦୀ ରହୁଛନ୍ତି।

ସେହିପରି ଦିଲ୍ଲୀରେ ୭,୮୧୮ କଏଦୀଙ୍କ କ୍ଷମତା ଥିବା ଜେଲ୍‌ରେ ୧୪,୦୫୮ ଜଣ କଏଦୀ ରହିଛନ୍ତି। ଉତ୍ତର ପ୍ରଦେଶରେ ୫୮,୧୧୧ ଜଣଙ୍କ ପାଇଁ କ୍ଷମତା ରଖୁଥିବା ଜେଲ୍‌ରେ ୯୫,୩୩୬ ଜଣ ଓ ମେଘାଳୟରେ ୬୩୦ କ୍ଷମତା ବିଶିଷ୍ଟ ଜେଲ୍‌ରେ ୮୩୩ ଜଣଙ୍କୁ ରଖାଯାଇଛି। କଏଦୀମାନଙ୍କ ପାଇଁ ଗୋଟିଏ ପ୍ରକୋଷ୍ଠରେ ଯେତିକି ଜାଗା ରହିବା କଥା, ତାହା ନିଶ୍ଚିତ କରାଯାଇ ପାରି ନାହିଁ। ଜେଲ୍‌ ଗୁଡ଼ିକର ପ୍ରକୃତ କ୍ଷମତା ଠାରୁ ଶତ ପ୍ରତିଶତ ଅଧିକ କଏଦୀ ରହୁଥିବାରୁ ଜେଲ୍‌ ପରିବେଶ ବିଶୃଙ୍ଖଳିତ ଓ ବିଷାକ୍ତ ହୋଇପଡ଼ିଛି। ଦେଶର ୧୧ ରାଜ୍ୟ ଏବଂ ୫ କେନ୍ଦ୍ରଶାସିତ ପ୍ରଦେଶର ଜେଲ୍‌କୁ ବାଦ୍‌ ଦିଆଗଲେ ଅନ୍ୟ ସମସ୍ତ ରାଜ୍ୟର ଜେଲ୍‌ ଗୁଡ଼ିକରେ ମୋଟ କ୍ଷମତା ଠାରୁ ଢେର ଅଧିକ କଏଦୀ ବନ୍ଦୀ ହୋଇ ରହିଛନ୍ତି। ସର୍ବାଧିକ କଏଦୀ ଉତ୍ତର ପ୍ରଦେଶର ଜେଲ୍‌ରେ ବନ୍ଦୀ। କ୍ଷମତା ଠାରୁ ଏଠାରେ ବହୁ ଅଧିକ କଏଦୀ ଥିବାରୁ ଜେଲ୍‌ ହିଂସାରେ ଉତ୍ତର ପ୍ରଦେଶ ଶୀର୍ଷରେ ରହିଛି।

ଭାରତରେ କେତେ ଜେଲ୍‌
ଆମ ଦେଶରେ ସମୁଦାୟ ୧୩୭ଟି ସେଣ୍ଟ୍ରାଲ ଜେଲ୍‌ ବା କେନ୍ଦ୍ରୀୟ କାରାଗାର ରହିଛି। ସେହିପରି ୩୯୪ଟି ଜିଲା କାରାଗାର ରହିଥିବା ବେଳେ ୭୩୨ଟି ଉପ କାରାଗାର ରହିଛି। ଦେଶରେ ସମୁଦାୟ ୧୨୬୩ଟି ଜେଲ୍‌ ଥିବା ଜଣାଯାଇଛି। ଭାରତର ପ୍ରତି ରାଜ୍ୟରେ ଜେଲ୍‌ ରହିଛି। ସାଧାରଣ ଜେଲ୍‌ ସମେତ ଦେଶରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ୨୦ଟି ଜେଲ୍‌ ରହିଛି। ମହିଳା ଜେଲ୍‌ ସଂଖ୍ୟା ଦୃଷ୍ଟିରୁ ତାମିଲନାଡ଼ୁ ଆଗରେ। ତାମିଲନାଡ଼ୁରେ ସର୍ବାଧିକ ୫ଟି ମହିଳା ଜେଲ୍‌ ରହିଛି। ଉତ୍ତର ପ୍ରଦେଶରେ ମାତ୍ର ଗୋଟିଏ ମହିଳା ଜେଲ୍‌ ଥିବା ଜଣାଯାଇଛି।

୪ ବର୍ଷରେ ୫୭୭ କଏଦୀ ଛୁ

ଜେଲ୍‌ର ସୁରକ୍ଷା ବ୍ୟବସ୍ଥାରେ ମୁତୟନ ସୁରକ୍ଷାକର୍ମୀଙ୍କ ଅଭାବ କାରଣରୁ କଏଦୀମାନେ ଜେଲ୍‌ରୁ ଚମ୍ପଟ ମାରିବାର ପରିକଳ୍ପନା କରିଥାନ୍ତି। ଯେଉଁ କାରଣରୁ ଫେରାର କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୦୧୬ରୁ ୨୦୧୯  ଏହି ୪ ବର୍ଷ ମଧ୍ୟରେ ଜେଲ୍‌ ଭିତରୁ ୧୧୪ କଏଦୀ ଚମ୍ପଟ ମାରିଥିବା ବେଳେ ଜେଲ୍‌ ବାହାରୁ ୪୬୩ କଏଦୀ ଫେରାର ହୋଇଥିବା ଜଣାଯାଏ।

ଜେଲ୍‌ରୁ ସର୍ବାଧିକ କଏଦୀ ଫେରାର ମାମଲାରେ ମହାରାଷ୍ଟ୍ର ଶୀର୍ଷରେ ଥିବାବେଳେ ତା’ ପଛକୁ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ଅଛନ୍ତି। ମହାରାଷ୍ଟ୍ର ଜେଲ୍‌ରୁ ଅଧିକ କଏଦୀ ଛୁ ମାରିଛନ୍ତି। ଦେଶରେ ୧୪୧୨ରେ ୨୦୧୬ରେ ୪,୩୩,୦୩୩ ଜଣ କଏଦୀ ଥିବା ବେଳେ ୨୦୧୯ରେ ଏହା ୪,୮୬,୫୬୨କୁ ବଢ଼ିଛି। ସର୍ବାଧିକ କଏଦୀ ଥିବା ରାଜ୍ୟ ମଧ୍ୟରେ ଉତ୍ତର ପ୍ରଦେଶ (୯୯,୩୧୬), ମହାରାଷ୍ଟ୍ର (୬୮,୦୫୦), ବିହାର (୩୮,୭୨୨), ମଧ୍ୟ ପ୍ରଦେଶ (୩୭,୨୭୮), ପଶ୍ଚିମବଙ୍ଗ (୨୪,୨୬୨), ପଞ୍ଜାବ (୨୨,୭୧୭) ଏବଂ ହରିୟାଣା (୨୧,୪୮୪) ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ