ଏ୩୨୦ନିଓ ଜେଟ୍‌ ଝଟ୍‌କା: ବିମାନଯାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ଇଣ୍ଡିଗୋ ଓ ଗୋ ଏୟାର

ତ୍ରୁଟିଯୁକ୍ତ ଇଞ୍ଜିନର ବିମାନ ଉଡ଼ାଣ ପାଇଁ ଡିଜିସିଏର ସାମୟିକ କଟକଣା ଥିଲେ ବି ଠୋସ୍‌ କାର୍ଯ୍ୟାନୁଷ୍ଠାନ ନାହିଁ

ଆଜିକାଲି ବିମାନଯାତ୍ରା କରିବା ପୂର୍ବରୁ ଈଶ୍ବରଙ୍କୁ ପ୍ରାର୍ଥନା କରିବା ଜରୁରୀ ହୋଇପଡ଼ିଛି। କାରଣ କେତେବେଳେ ଯେ କେଉଁ ବିମାନର ଇଞ୍ଜିନ ଖରାପ ହୋଇଯିବ ବା ବିମାନ ଅଚଳ ହୋଇପଡ଼ିବ, ସେ କଥା କିଏ କହିବ? ଏହା କୌଣସି ଉଡ଼ାକଥା ନୁହେଁ, ବରଂ ସର୍ବେକ୍ଷଣ ଓ ଗବେଷଣା ଆଧାରିତ। ସାରା ବିଶ୍ବରେ ବିମାନ ଇଞ୍ଜିନ ଖରାପ ହେବା ଘଟଣା କ୍ବଚିତ ନଜର ଆସୁଥିବା ବେଳେ ଭାରତରେ ବର୍ଷକୁ ଏହା ପାଖାପାଖି ୨୬ ଥର ହେଉଥିବାର ନଜିର ରହିଛି। ତନ୍ମଧ୍ୟରୁ ଇଣ୍ଡିଗୋ ଓ ଗୋ ଏୟାରଲାଇନ୍ସରେ ଏପରି ଘଟଣା ଅଧିକ ଦେଖିବାକୁ ମିଳିଛି। ଦେଶର ପ୍ରାୟ ୫୦ ପ୍ରତିଶତ ବିମାନଯାତ୍ରୀଙ୍କୁ ପରିବହନ କରୁଥିବା ଏହି ଦୁଇ ଏୟାରଲାଇନ୍ସର ଏ୩୨୦ନିଓ ଜେଟ୍‌ର ଇଞ୍ଜିନ ତ୍ରୁଟିଯୁକ୍ତ ରହୁଥିବା ଜଣାଯାଇଛି। ଆମେରିକୀୟ କମ୍ପାନୀ ଏୟାରବସ୍‌ ଏଥିରେ ପ୍ରାଟ୍‌ ଏଣ୍ଡ ହ୍ବିଟ୍‌ନୀର ଇଞ୍ଜିନ ଖଞ୍ଜି ଏହାକୁ ବିଶ୍ବବ୍ୟାପୀ ଯୋଗାଣ କରୁଛି। ଏପରିସ୍ଥଳେ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ସାମୟିକ ଭାବେ ତାଗିଦ୍‌ କରି ବିମାନ ଉଡ଼ାଣ ପାଇଁ ଅନୁମତି ଦେବା କ’ଣ ଯାତ୍ରୀମାନଙ୍କ ଜୀବନ ସହିତ ଖେଳ ନୁହେଁ କି? ଡିଜିସିଏ କ’ଣ ଦୁର୍ଘଟଣାକୁ ଅପେକ୍ଷା କରିଛି? ୧୮ ମାସ ମଧ୍ୟରେ ଇଣ୍ଡିଗୋ ବିମାନରେ ୬୯ ଥର ତ୍ରୁଟି ପରିଲକ୍ଷିତ ହୋଇଥିଲେ ହେଁ ଡିଜିସିଏ କାହିଁକି ଠୋସ୍‌ କାର୍ଯ୍ୟାନୁଷ୍ଠାନ ନେଇନାହିଁ, ସେନେଇ ପ୍ରଶ୍ନବାଚୀ ହୋଇଛି। ଏଣୁ ବିମାନଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଡିଜିସିଏକୁ ଅଧିକ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି। ଶସ୍ତା ବିମାନସେବା ତୁଳନାରେ ଜୀବନନ ବେଶୀ ମୂଲ୍ୟବାନ। ଫଳରେ ଉପରୋକ୍ତ ଦୁଇ ବଡ଼ ଏୟାରଲାଇନ୍ସ ଯେ ପର୍ଯ୍ୟନ୍ତ ସେମାନଙ୍କ ବିମାନର ତ୍ରୁଟିଯୁକ୍ତ ଇଞ୍ଜିନରେ ସମ୍ପୂର୍ଣ୍ଣ ରୂପେ ସୁଧାର ନ ଆସିଛି, ସେ ପର୍ଯ୍ୟନ୍ତ ଉକ୍ତ ବିମାନଗୁଡ଼ିକୁ ଉଡ଼ାଣର ଅନୁମତି ଦିଆଯିବା ନିଆଁ ସହ ଖେଳିବା ସଙ୍ଗେ ସମାନ।

ଉଡ଼ାଜାହାଜର ଇଞ୍ଜିନକୁ ନେଇ ସଦ୍ୟ ହୋଇଥିବା ଏକ ଗବେଷଣା ଅନୁଯାୟୀ ପୂରା ବିଶ୍ବରେ ପ୍ରତି ୧୦ ଲକ୍ଷ ବିମାନ ମଧ୍ୟରୁ ଗୋଟିଏ ବିମାନର ଇଞ୍ଜିନ ଫେଲ୍‌ ହୋଇତାଏ। କିନ୍ତୁ ଆମ ଦେଶରେ ଏପରି ଏକ ଏୟାରଲାଇନ୍ସ ରହିଛି ଯାହାର ବିମାନର ଇଞ୍ଜିନ ହାରାହାରି ପ୍ରତି ସପ୍ତାହରେ ଥରେ ଫେଲ୍‌ ହୋଇଯାଇଥାଏ। ଭାରତରେ ବିଫଳ ଏୟାରଲଶଇନ୍ସର ଅନେକ ଦୃଷ୍ଟାନ୍ତ ସୃଷ୍ଟି ହେବାରେ ଲାଗିଛି। ନବେ ଦଶକର ଇଷ୍ଟ-ୱେଷ୍ଟ ଏୟାରଲାଇନ୍ସ ଏବଂ ଦମାନିଆ ଏୟାରୱେଜ ଠାରୁ ଆରମ୍ଭ କରି କିଙ୍ଗଫିଶର ଏୟାରଲଶଇନ୍ସ, ଜେଟ୍‌ ଏୟାରୱେଜ ଏବଂ ଏବେ ଇଣ୍ଡିଗୋ ଯାଏ ସମସ୍ତେ ଏକ ଅଶାନ୍ତ ସମୟ ଭିତର ଦେଇ ଉଡ଼ାଣ ଭରିଛନ୍ତି। ଏହାପଛରେ ତ ବିଭିନ୍ନ କାରଣ ରହିଛି କିନ୍ତୁ ସବୁଠୁ ବଡ଼ ଜଘନ୍ୟ କାରଣ ଭାବେ ଇଞ୍ଜିନ ଫେଲ୍‌ ଭଳି କାରଣ ଯୋଡ଼ିହୋଇ ଘରୋଇ ବିମାନ ବ୍ୟବସାୟକୁ ବୁଡ଼ାଇବାକୁ ବସିଛି। ଏୟାରଲାଇନ୍ସ ଓ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ) ମଧ୍ୟରେ ତୁତୁମେମେ ଚାଲିଥିବା ବେଳେ ଯାତ୍ରୀମାନଙ୍କ ବିମାନ ଉପରେ ଥିବା ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଯଦି ଆପଣ ବିମାନ ଯାତ୍ରା କରୁଥାନ୍ତି ତେବେ ଆପଣ ଚାହିଁଥାନ୍ତି ଯେ ଆପଣ ଯାତ୍ରା କରୁଥିବା ବିମାନର ଇଞ୍ଜିନ ସହିତ ଅନ୍ୟ କେହି କୌଣସି ଖେଳ ନ ଖେଳୁ। ଏଥିପାଇଁ ଆପଣ ବସିବା ମାତ୍ରେ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି। କିନ୍ତୁ ଜାଣିରଖନ୍ତୁ ଯେ ଯଦି ଉଡ଼ାଣ ସମୟରେ ଆପଣଙ୍କ ବିମାନର ଇଞ୍ଜିନ ଫେଲ୍‌ ହୁଏ, ତେବେ ଆପଣଙ୍କ ପ୍ରାର୍ଥନାର କୌଣସି ମୂ୍ଲ୍ୟ ରହିବ ନାହିଁ।

ଉଡ଼ାଜାହାଜର ଇଞ୍ଜିନକୁ ନେଇ କରାଯାଇଥିବା ଏକ ସଦ୍ୟତମ ଗବେଷଣା ଅନୁଯାୟୀ ସାରା ବିଶ୍ବରେ ପ୍ରତି ୧୦ ଲକ୍ଷ ବିମାନ ମଧ୍ୟରୁ କୌଣସି ଗୋଟିଏ ବିମାନର ଇଞ୍ଜିନ ଫେଲ୍‌ ହୋଇଥାଏ। କିନ୍ତୁ ଆମର ଦେଶରେ ଏପରି ଏକ ଏୟାରଲଶଇନ୍ସ ରହିଛି, ଯାହାର ବିମାନର ଇଞ୍ଜିନ ହାରାହାରି ପ୍ରତି ସପ୍ତାହରେ ଫେଲ୍‌ ହୋଇଥାଏ। ଏହି ଏୟାରଲାଇନ୍ସର ନାମ ହେଉଛି ଇଣ୍ଡିଗୋ। ଆମ ଦେଶରେ ଇଣ୍ଡିଗୋ ଏକ ଶସ୍ତା ଏବଂ ଇକୋନୋମୀ ଏୟାରଲାଇନ ଭାବେ ସ୍ବୀକାର କରାଯାଇଥାଏ। କିନ୍ତୁ ଇଣ୍ଡିଗୋର ଇଞ୍ଜିନ ଲଗାତର ଖରାପ ହେବା କାରଣକୁ ନେଇ ଏବେ ଦେଶବାସୀ ଚିନ୍ତାରେ। ଏଭଳି ସମସ୍ୟା ଗୋ ଏୟାର ବିମାନରେ ମଧ୍ୟ ଦେଖିବାକୁ ମିଳିଥାଏ। ଯଦ୍ବାରା ଏହି ଏୟାରଲଶଇନ୍ସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଜୀବନ ବିପଦରେ। ଯାତ୍ରୀମାନଙ୍କ ଜୀବନ ବିପଦରେ ଥିବା ଅନୁଭବ କରିବା ପରେ ଡିଜିସିଏ (ଡାଇରେକ୍ଟୋରେଟ ଜେନେରାଲ ଅଫ ସିଭିଲ ଆଭିଏସନ) ଇଣ୍ଡିଗୋ ଏବଂ ଗୋ ଏୟାର ଉପରେ ବିଭିନ୍ନ ସମୟରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି। ଏହି କାରଣରୁ ଗତ ମାର୍ଚ୍ଚ ମାସରେ ଡିଜିସିଏ ଏହି ଦୁଇ ଏୟାରଲାଇନ୍ସର ୧୧ଟି ବିମାନର ଉଡ଼ାଣରେ ବ୍ରେକ ଲଗାଇଥିଲେ। ଇଣ୍ଡିଗୋର ୪୮ଟି ଏବଂ ଗୋ ଏୟାରର ୧୮ଟି ବିମାନ ଏହି କାରଣରୁ ୧୨ ତାରିଖ ଦିନ ଉଡ଼ାଣ ଭରିପାରି ନ ଥିଲା। ଇଣ୍ଡିଗୋ ୧୮ ସହରରେ ନିଜର ବିମାନ ରଦ୍ଦ କରିଥିଲା। ଦିଲ୍ଲୀ ଓ ମୁମ୍ବାଇରେ ଇଣ୍ଡିଗୋର ୨୧ଟି ଉଡ଼ାଣ ରଦ୍ଦ ହୋଇଥିବା ବେଳେ ଗୋ ଏୟାର ୮ଟି ସହରରେ ଉଡ଼ାଣ କରିବାକୁ ଅନୁମତି ପାଇ ନ ଥିଲା।

ଦେଶର ମୋଟ ବିମାନଯାତ୍ରୀଙ୍କ ମଧ୍ୟରୁ ୪୦ ପ୍ରତିଶତ ଯାତ୍ରୀ ଇଣ୍ଡିଗୋରେ ଏବଂ ୧୦ ପ୍ରତିଶତ ଯାତ୍ରୀ ଗୋ ଏୟାର ବ୍ୟବହାର କରିଥାନ୍ତି। କହିବାକୁ ଗଲେ ଦେଶର ମୋଟ ବିମାନଯାତ୍ରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଯାତ୍ରୀ ଏହି ଦୁଇ ଏୟାରଲାଇନ୍ସରେ ଯାତ୍ରା କରୁଥିବାରୁ ଏବଂ ସର୍ବଦା ଏହାର ଇଞ୍ଜିନକୁ ନେଇ ବିପଦ ରହୁଥିବାରୁ ଏହି ଘଟଣା ଏବେ ଅତ୍ୟନ୍ତ ସମ୍ବେଦନଶୀଳ  ହୋଇପଡ଼ିଛି। ଦେଶର ଘରୋଇ ବିମାନ ଶିଳ୍ପରେ ୫୦ ପ୍ରତିଶତ ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଏହି ଦୁଇ ଏୟାରଲାଇନ୍ସ ଉପରେ ଡିଜିସିଏର ବିଳମ୍ବିତ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ପ୍ରଶ୍ନ ଉଠିଛି। ଡିଜିସିଏ କ’ଣ ଦୁର୍ଘଟଣାକୁ ଅପେକ୍ଷା କରିଛି କି ବୋଲି ଚର୍ଚ୍ଚା ହେଉଛି। ୨୪ ଫେବ୍ରୁଆରୀ ୨୦୧୮ରୁ ଅଦ୍ୟାବଧି ୩ ଥର ଏହି ଏୟାରଲାଇନ୍ସର ଇଞ୍ଜିନ ଫେଲ୍‌ ହୋଇଛି। ଫେବ୍ରୁଆରୀ ୨୪ରେ ଲେହରେ ଉଡ଼ାଣ ଭରୁଥିବା ଗୋ ଏୟାର ବିମାନର ଇଞ୍ଜିନ ଫେଲ୍‌ ହୋଇଯାଇଥିଲା। ଏହାପରେ ମାର୍ଚ୍ଚ ୫ରେ ମୁମ୍ବାଇରୁ ଉଡ଼ାଣ ଭରୁଥିବା ଇଣ୍ଡିଗୋର ଇଞ୍ଜିନ ଫେଲ୍‌ ହୋଇଥିଲା। ପୁଣି ଅହମଦାବାଦରୁ ଲକ୍ଷ୍ନୌ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ମାର୍ଚ୍ଚ ୧୨ରେ ଇଞ୍ଜିନ ଫେଲ୍‌ର ସାମ୍ନା କରିଥିଲା। ଏହାକୁ ଅହମଦାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରାଗଲା।

ଇଞ୍ଜିନ ଖରାପ ହେବାର ଏଭଳି ସମସ୍ୟା ଗୋଟିଏ କମ୍ପାନୀର ବିମାନରେ ହେଉଛି। ଏହି କମ୍ପାନୀର ନାମ ହେଉଛି ଏୟାର ବସ୍‌। ଏହି କମ୍ପାନୀର ଏ୩୨୦ନିଓ ଜେଟ୍‌ ବିମାନରେ ଲାଗିଥିବା ପ୍ରାଟ୍‌ ଆଣ୍ଡ ହ୍ବିଟ୍‌ନି ପିଡବ୍ଲ୍ୟୁ୧୧୦୦ଜି ନାମକ ଇଞ୍ଜିନ ବାରମ୍ବାର ଖରାପ ହେଉଛି। ବିମାନର ଗୋଟିଏ ଇଞ୍ଜିନ ଫେଲ୍‌ ହେଲେ ଆଉ ଏକ ଇଞ୍ଜିନ ସହାୟତାରେ ଉଡ଼ିପାରିବ। କିନ୍ତୁ ଏଭଳି ଯୋଗାଡ଼କୁ କେବେ ବି ସୁରକ୍ଷିତ କୁହାଯାଇ ପାରିବ ନାହିଁ। ଏୟାରବସ୍‌ ଅନୁଯାୟୀ, ପୂରା ବିଶ୍ବରେ  ପ୍ରାଟ ଆଣ୍ଡ ହ୍ବିଟ୍‌ନିର ୧୧୩ଟି ବିମାନ ରହିଛି। ଏବଂ ଏଥିରୁ ୧୦ ପ୍ରତିଶତ ବିମାନରେ ଦୁଇଟିଯାକ ଇଞ୍ଜିନ ଅଚଳ ହୋଇପଡ଼ୁଥିବା ଜଣାଯାଇଛି। ଗତ ଫେବ୍ରୁଆରୀ ୨୦୧୯ରେ ଇଣ୍ଡିଗୋ ନିଜର ଏ୩୨୦ନିଓ ଜେଟ୍‌ ବିମାନର ଉଡ଼ାଣକୁ ରଦ୍ଦ କରିଦେଇଥିଲା। କାରଣ ଏହି ବିମାନର ୨ଟିଯାକ ଇଞ୍ଜିନ ଅଚଳ ହେବା ନଜରକୁ ଆସିଥିଲା।

ଇଣ୍ଡିଗୋର ୮ଟି ବିମାନ ଏପରି ଥିଲା, ଯାହାର ଗୋଟିଏ ଇଞ୍ଜିନ ଅଚଳ। କିନ୍ତୁ ଦୁର୍ଭାଗ୍ୟର କଥା ଏହା ସତ୍ତ୍ବେ ବି ଡିଜିସିଏ ଏହି ୮ଟି ବିମାନକୁ ଉଡ଼ାଣ ଭରିବାର ଅନୁମତି ଦେଇଥିଲା। ଡିଜିସିଏ ସର୍ତ୍ତ ରଖିଥିଲା ଯେ ଗୋଟିଏ ଇଞ୍ଜିନ ଖରାପ ଥିବା ଏହି ବିମାନଗୁଡ଼ିକୁ କେବଳ ଦୁଇଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ କରିପାରିବ। ଏଠି ପ୍ରଶ୍ନ ଉଠେ, ଡିଜିସିଏ ଏଭଳି ସର୍ତ୍ତ ରଖି ଖରାପ ବିମାନର ଉଡ଼ାଣ ଅନୁମତି ଦେଇ ଯାତ୍ରୀମାନଙ୍କ ଜୀବନ ସହିତ ଖେଳିନାହିଁ କି? ଇଣ୍ଡିଗୋ ବିମାନର ଏଭଳି ତ୍ରୁଟି ନୂଆ ନୁହେଁ। ମାଚ୍ଚ୍ର ୨୦୧୬ରୁ ସେପ୍ଟେମ୍ବର ୨୦୧୭ ସୁଦ୍ଧା ଅର୍ଥାତ୍‌ ୧୮ ମାସ ମଧ୍ୟରେ ଇଣ୍ଡିଗୋ ବିମାନର ଇଞ୍ଜିନରେ ୬୯ ଥର ତ୍ରୁଟି ଥିବା ସାମ୍ନାକୁ ଆସିଛି। କିନ୍ତୁ ଏହା ସତ୍ତ୍ବେ ବି ଡିଜିସିଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଯେତେବେଳେ ସାରା ବିଶ୍ବରେ ବିମାନରେ ଇଞ୍ଜିନ ଖରାପ ହେବାର ଘଟଣା ବହୁତ କମ୍‌ ଶୁଣିବାକୁ ମିଳିଥାଏ, ସେତେବେଳେ ଭାରତରେ ଗୋଟିଏ ବର୍ଷରେ ଏଭଳି ବିମାନ ଇଞ୍ଜିନ ଅଚଳର ୨୬ଟି ଘଟଣା ଘଟେ।

ସାଧାରଣତଃ କମ୍‌ ଦୂରତ୍ବକୁ ଯାଉଥିବା ବିମାନରେ ଦୁଇଟି ଇଞ୍ଜିନ ଥାଏ। ଗୋଟିଏ ଇଞ୍ଜିନ ଅଚଳ ହେଲେ ଆଉ ଗୋଟିଏରେ ଉଡ଼ିପାରିବ ବୋଲି ଧରିନିଆଯାଏ। ଯଦି ଦୁଇଟିଯାକ ଇଞ୍ଜିନ ଅଚଳ ହୋଇଯାଏ, ତେବେ ଏହାର ମାନେ ନୁହେଁ ଯେ ବିମାନ ସିଧା ତଳେ ଆସି ପଡ଼ିବ। ଦୁଇଟି ଇଞ୍ଜିନ ଅଚଳ ହେଲେ ମଧ୍ୟ ବିମାନଟି ଶୂନ୍ୟରେ କିଛି ସମୟ ଝୁଲି ରହିବ ଏବଂ ଖୁବ୍‌ ଶୀଘ୍ର ଏହାକୁ ଅବତରଣ କରା ନ ଗଲେ ଦୁର୍ଘଟଣାଗ୍ରସ୍ତ ହୋଇପାରେ। ଇଞ୍ଜିନ ଅଚଳ କ୍ଷେତ୍ରରେ ବିମାନକୁ ଖୁବ୍‌ ଶୀଘ୍ର ଅବତରଣ କରାଯିବାର ଆବଶ୍ୟକତା ରହିଛି। ସାଧାରଣତଃ ୧୪ ହଜାର ଥର ଉଡ଼ାଣ ପୂରା କରିବା ପରେ ଏହାର ଇଞ୍ଜିନ ବଦଳା ଯାଇଥାଏ।

ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ପକ୍ଷରୁ ଏକ ବିଞପ୍ତିରେ କୁହାଯାଇଛି ଯେ ଇଣ୍ଡିଗୋ ଏବଂ ଗୋ ଏୟାରକୁ ସେମାନଙ୍କ ବିମାନରେ ଇଞ୍ଜିନକୁ ପୁନଃ ସଂସ୍ଥାପନ କରିବାକୁ ଯେଉଁ ନିର୍ଦେଶନାମା ଦିଆଯାଇଥିଲା, ସେମାନେ ତାହାକୁ ପାଳନ କରିନାହାନ୍ତି। ଇଏସ୍‌ଏନ ୪୫୦ରେ ପ୍ରାଟ ଏଣ୍ଡ ଡ୍ବିଟନୀର ପିଡବ୍ଲ୍ୟୁ ୧୧୦୦ଜି ଇଞ୍ଜିନକୁ ଯୋଡ଼ା ଯାଇଥିବାରୁ ଏ୩୨୦ନିଓ ଜେଟ୍‌କୁ ଉଡ଼ାଣ ଭରିବାକୁ ଦିଆଯାଇ ନ ଥିବା ଡିଜିସିଏ ସ୍ପଷ୍ଟ କରିଛି। ଡିଜିସିଏ ଇଣ୍ଡିଗୋ ଏବଂ ଗୋ ଏୟାରର ୨୧ ଏୟାରବସ୍‌ ଏ୩୨୦ନିଓ ଜେଟ୍‌ ବିମାନର ବିସ୍ତୃତ ନିରୀକ୍ଷଣର ଆଦେଶ ମଧ୍ୟ ଦେଇଛି, ଯାହା ପିଡବ୍ଲ୍ୟୁ ୧୧୦୦ଜି ଇଞ୍ଜିନ ସହ ଯୋଡ଼ାଯାଇଛି। ପ୍ରତି ୧୦ ଜଣ ଭାରତୀୟ ବିମାନଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଇଣ୍ଡିଆ ଉପରେ ନିର୍ଭର କରୁଥିବା ବେଳେ ଏହି ଏୟାରଲାଇନ୍ସ ୨୦୧୬ ମେରୁ ୨୦୧୭ ନଭେମ୍ବର ମଧ୍ୟରେ ଅତି କମ୍‌ରେ ୬୯ ଥର ନିଜର ୩୨ଏ ୩୨୦ ନିଓ ବିମାନରେ ପ୍ରାଟ ଆଣ୍ଡ ଡ୍ବିଟନୀ ଇଞ୍ଜିନକୁ ବଦଳାଇବାକୁ ବାଧ୍ୟ ହୋଇଛି। ଇଣ୍ଡିଗୋ କହିଛି ଯେ ଏହି ପ୍ରାଟ ଆଣ୍ଡ ଡ୍ବିଟନୀ ୧୧୦୦ ସିରିଜ ଇଞ୍ଜିନରେ ଚିପ୍‌, କାର୍ବନ, ସିଲ, ଲାଇନିଂ, କମ୍ବୋଷ୍ଟର ଚାମ୍ବର ଲାଇନିଂର ଚିହ୍ନଟ ନ ହେବା ସମ୍ବନ୍ଧିତ ଯେଉଁ ଇଞ୍ଜିନ ଗୁଡ଼ିକରେ ତ୍ରୁଟି ଥିଲା, ତାହାକୁ ରାତାରାତି ବଦଳ କରି ଦିଆଗଲା। ଏପରି ଭାବେ ଇଞ୍ଜିନ ବଦଳ କରି ଅଚଳ ଇଞ୍ଜିନ ଗୁଡ଼ିକୁ ସଜାଡ଼ିବା ପାଇଁ ନିର୍ମାଣକାରୀ ସଂସ୍ଥାକୁ ପଠାଯାଇଥିଲା ଓ ବିମାନରେ ପ୍ରତିସ୍ଥାପିତ ଇଞ୍ଜିନରେ ଉଡ଼ାଣ ଭରାଯାଇଥିଲା।

ଫେବ୍ରୁଆରୀ ୯ରେ ୟୁରୋପିଆନ ଏଭିଏସନ ସେଫ୍‌ଟି ଏଜେନ୍ସି (ଇଏଏସ୍‌ଏ) ପିଡବ୍ଲ୍ୟୁ ୧୧୦୦ଜି ଇଞ୍ଜିନ ସଂଯୁକ୍ତ ଥିବା ଏ ୩୨୦ନିଓ ଜେଟ୍‌ ବିମାନ ପାଇଁ ଏକ ଜରୁରୀ ଏୟାର ୱର୍ଥନେସ ନିର୍ଦେଶ ଜାରି କରି ଉଡ଼ାଣ ସମୟରେ ଇଞ୍ଜିନ ବନ୍ଦ ହେବାର ଉଦାହରଣ ଦର୍ଶାଇ ଏ ୩୨୦ ନିଓ ବିମାନର ଉଡ଼ାଣକୁ ୟୁରୋପରେ ରଦ୍ଦ ଘୋଷଣା କରିଛି। ଫେବ୍ରୁଆରୀ ୧୩ରେ ଡିଜିସିଏ ଯାତ୍ରୀଙ୍କ ସୁରକ୍ଷା ସହିତ ସାଲିସ କରାଯିବ ନାହିଁ ବୋଲି ଚେତାଇ ଦେବା ସହ ଇଞ୍ଜିନର ତ୍ରୁଟିକୁ ତଦାରଖ କରାଯିବ ବୋଲି କହିଥିଲା। ଫେବ୍ରୁଆରୀ ୨୧ରେ ପ୍ରାଟ୍‌ ଏଣ୍ଡ ଡ୍ବିଟନୀ କହିଲା ଯେ ଏ୩୨୦ ନିଓ ବିମାନରେ ଥିବା ଇଞ୍ଜିନର ସବିଶେଷ ସମସ୍ୟାର ସମାଧାନ ପାଇଁ ଏକ ସଂଶୋଧିତ ପଦ୍ଧତି ବାହାର କରାଯାଇଛି। ଯାତ୍ରୀବାହୀ ବିମାନ ନିର୍ମାତା ଏୟାରବସ ନିକଟରେ ନିଜର ଏ ୩୨୦ନିଓ ଜେଟ୍‌ ବିମାନ ପାଇଁ ପ୍ରାଟ ଆଣ୍ଡ ଡ୍ବିଟନୀ ପିଓର ପାୱାର ପିଡବ୍ଲୁ ୧୧୦୦ଜି ଜେଏମ୍‌ ଏବଂ ସିଏଫ୍‌ଏମ୍‌ ଏଲ୍‌ଇଏପି-୧ଏ ଇଞ୍ଜିନ ପ୍ରସ୍ତୁତ କରିଛି। ଏହି କମ୍ପାନୀ ଗୋ ଏୟାର ଓ ଇଣ୍ଡିଗୋକୁ ପିଡବ୍ଲୁ୧୧୦୦ଜି ଇଞ୍ଜିନ ଯୋଗାଣ କରିଥାଏ। ସୂଚନାଯୋଗ୍ୟ, ପ୍ରାଟ ଆଣ୍ଡ ଡ୍ବିଟନୀ ହେଉଛି ଏକ ଆମେରିକୀୟ ଏୟାରବସ କମ୍ପାନୀ, ଯାହାକି ଘରୋଇ ଓ ସାମରିକ ବିମାନର ଇଞ୍ଜିନର ନିର୍ମାଣ କରିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ